ରୋଟାରୀ କ୍ଲବ ପୁରୀ ସାଗରର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ..
ପୁରୀ, ୨/୮: ରୋଟାରୀ କ୍ଲବ ଅଫ୍ ପୁରୀ ସାଗରର ସପ୍ତମ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ସ୍ଥାନୀୟ ଭିବ୍ରାନ୍ସ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୨୦୨୪-୨୫ର କ୍ଲବ ସଭାପତି ସୁରେନ୍ଦ୍ର ଟାପୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ୨୦୨୬-୨୭ ବର୍ଷର ରୋଟାରୀ ପ୍ରାନ୍ତପାଳ ଅନୀଲ କୁମାର ସାମଲ, ପ୍ରଥମ ମହିଳା ସୁବ୍ରତା ସାମଲ, ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ସଦାଶିବ ପରିସରର ନିର୍ଦ୍ଦେଶକ ପ୍ରଫେସର ଡ. ପ୍ରଭାତ କୁମାର ମହାପାତ୍ର, ଆସିଷ୍ଟାଣ୍ଡ ଗଭର୍ଣ୍ଣର ଦେବଦତ୍ତ ଷଡ଼ଙ୍ଗୀ, ଚଳିତବର୍ଷର ସଭାପତି କୃଷ୍ଣଚନ୍ଦ୍ର ସାହୁ ଏବଂ ସମ୍ପାଦକ ଧବଳେଶ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ ପରେ ସମସ୍ତଙ୍କୁ ଚାରା ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଗତବର୍ଷର ସମ୍ପାଦକ ରୋଟାରିଆନ ଦାମୋଦର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାପରେ ବିଗତ ବର୍ଷର ସଭାପତି ଶ୍ରୀ ଟାପୁରିଆ ଓ ସମ୍ପାଦକ ଶ୍ରୀ ମହାନ୍ତି ନୂତନବର୍ଷର ସଭାପତି ଶ୍ରୀ ସାହୁ ଏବଂ ସମ୍ପାଦକ ଶ୍ରୀ ମହାପାତ୍ରଙ୍କୁ କଲର ପ୍ରଦାନ ପୂର୍ବକ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଏହି ଅବସରରେ ସଭାପତି ଓ ସମ୍ପାଦକଙ୍କ ବ୍ୟତିତ ଉପସଭାପତି କେଦାର ମହାପାତ୍ର, କୋଷାଧ୍ୟକ୍ଷ ତୁଷାରକାନ୍ତ ରାଉତ, ଯୁଧିଷ୍ଠିର ଲେଙ୍କା, ପ୍ରକାଶ ଚନ୍ଦ୍ର ନାୟକ, ହିମାଂଶୁ ମୋହନ ମହାନ୍ତି, ଦିଲ୍ଲୀପ କୁମାର ତ୍ରିପାଠୀ, ପ୍ରମୋଦ ସ୍ବାଇଁ, ଅରୁଣକାନ୍ତ ଗଜେନ୍ଦ୍ର, ଅନନ୍ତ ତିଆଡ଼ି, ସନ୍ତୋଷ ପାତ୍ର ପ୍ରମୁଖ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ଅବସରରେ କ୍ଲବରେ ସଦସ୍ୟ ଭାବେ ଯୋଗ ଦେଇଥିବା ନୂତନ ସଦସ୍ୟ ଭାସ୍କର ପରିଡ଼ା, ଲକ୍ଷ୍ମୀନାରାୟଣ ଦିକ୍ଷୀତ, କାହ୍ନୁ ପଣ୍ଡା, ସନ୍ଧ୍ୟାରାଣୀ ସାହୁ ଏବଂ ସୁନୟନା ମହାପାତ୍ରଙ୍କୁ ପିନ୍ ପ୍ରଦାନ ପୂର୍ବକ ସ୍ବାଗତ କରାଯିବା ସହିତ ଉତ୍ସବରେ ଯୋଗଦେବାକୁ ଆସିଥିବା ବିଭିନ୍ନ କ୍ଲବର କର୍ମକର୍ତ୍ତାମାନଙ୍କୁ ମଧ୍ୟ ଏଠାରେ ସମ୍ମାନୀତ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ଚିନ୍ମୟୀ ଦେଓ, ଅନୀତା ଦାସ, ପ୍ରଦୀପ୍ତ କୁମାର ପ୍ରଧାନ ଓ ସ୍ବୟଂପ୍ରକାଶ ସାହୁଙ୍କ ସମେତ ରଥଯାତ୍ରାରେ ସେବାକାର୍ଯ୍ୟ କରିଥିବା ୧୮ ଜଣ ସ୍ବେଚ୍ଛାସେବୀମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ଏଠାରେ ପ୍ରମୋଦ କୁମାର ସ୍ବାଇଁଙ୍କ ଦ୍ବାରା ସମ୍ପାଦିତ କ୍ଲବର ମାଗାଜିନ୍ ‘ସାଗର’ ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ଶ୍ୟାମ କାହ୍ନା ପଟ୍ଟନାୟକ ଓ ସନ୍ତୋଷ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ସରୋଜ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ରୋଟାରିଆନ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
