ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ପଦ ଓ ଦଳରୁ ନିଲମ୍ବନ କରାଯାଇଛି..
( ଦେବାଶିଷ ଦାଶ କ୍କ ରିପୋର୍ଟ )
ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ପଦ ଓ ଦଳରୁ ନିଲମ୍ବନ କରାଯାଇଛି। ଜାତୀୟ ଯୁବ କଂଗ୍ରେସ ସଭାପତି ତାଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି। ଉଦିତ ପ୍ରଧାନଙ୍କୁ ମଞ୍ଚେଶ୍ୱର ପୁଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳତ୍କାର କରିଥିବା ଅଭିଯୋଗରେ ପୁଲିସ ଉଦିତଙ୍କୁ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ ଧାରା ୬୪(୧), ୧୨୩, ୨୯୬, ୭୪,୩୫୧(୨) ଅଧିନରେ ମାମଲା ରୁଜୁ ହୋଇଛି ।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ୍ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ। ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ।
ହୋଟେଲ୍ରେ ସେମାନେ ମଦ ପିଇଥିଲେ। କିନ୍ତୁ ପୀଡ଼ିତା ମଦ ପିଇବାକୁ ମନା କରିଥିଲେ। ତେଣୁ ଉଦିତ ତାଙ୍କୁ ମୃଦୁପାନୀୟ ପିଇବାକୁ କହିଥିଲା। ସେ କୌଶଳକ୍ରମେ ସେଥିରେ କୌଣସି ନିଶା ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ମୃଦୁ ପାନୀୟ ପିଇବାର କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ତେଣୁ ତୁରନ୍ତ ଘରେ ଛାଡ଼ିଦେବାକୁ ସେ କହିଥିଲେ। ମାତ୍ର ଉଦିତ ଓ ଅନ୍ୟମାନେ ତାଙ୍କୁ ଯିବାକୁ ଦେଇ ନଥିଲେ। ଏହାପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କର ହୋସ୍ ଫେରିବା ବେଳକୁ ସେ ଦେଖିଲେ ଯେ ଉଦିତ ତାଙ୍କ ସହିତ କିଛି ଖରାପ କାମ କରିଛି। ପରେ ସେ ବୁଝିଲେ ଯେ ଉଦିତ ତାଙ୍କୁ ଦୁଷ୍କର୍ମ କରିଛି। ଏନେଇ ସେ ପଚାରିବାରୁ ଉଦିତ ତାଙ୍କୁ ଧମକ ଦେଇଥିଲେ। ଅଭିଯୋଗ କଲେ, ତାଙ୍କୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ଉଦିତ ଜଣେ ଛାତ୍ରନେତା ହୋଇଥିବାରୁ ପୀଡ଼ିତା ଡରିଯାଇଥିଲେ ଏବଂ ନିରବ ରହିବାକୁ ବାଧ୍ୟ ହୋଇଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି।
ସେପଟେ ଏହି ଘଟଣା ପରେ ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ କରାଯାଇଛି। ଜାତୀୟ ଯୁବ କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦରୁ ନିଲମ୍ବନ କରିଛନ୍ତି। ଏଥି ସହିତ ଏହି ଘଟଣାର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସସ୍ମିତା ବେହେରାଙ୍କ ନେତୃତ୍ବରେ ୬ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଘଟଣାର ଅନୁଧ୍ୟାନ କରି OPCCକୁ ରିପୋର୍ଟ ଦେବ।
