April 28, 2026

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚାଲିଥିବା ସ୍ବର୍ଣ୍ଣିମ ଅଧ୍ୟାୟରେ ପଡିଛି ଯବନିକା

IMG-20250506-WA0029
Share

 

ଭୁବନେଶ୍ୱର ( ଦେବାଶିଷ ଦାଶ )

ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚାଲିଥିବା ସ୍ବର୍ଣ୍ଣିମ ଅଧ୍ୟାୟରେ ପଡିଯାଇଛି ଯବନିକା। ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବରଦାନ ସାଜିଥିବା ବିଏସକେୱାଇ ବନ୍ଦ ହେବା ପରେ ଏବେ ସରକାରୀ ଚିକିତ୍ସା କ୍ଷେତ୍ର ବି ଧରାଶାୟୀ।

୧୧ ଟି ଜିଲ୍ଲାରେ ନାହାଁନ୍ତି ସିଡିଏମଓ। ରାଜ୍ୟରେ ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫର ଘୋର ଅଭାବ। ଏହାକୁ ନେଇ ତୀବ୍ର ହୋଇଛି ଅସନ୍ତୋଷ।

ଦିନ ଥିଲା….ଘରୋଇ ହସ୍ପିଟାଲ ହେଉ କିମ୍ବା ସରକାରୀ ହସ୍ପିଟାଲ। ସବୁଆଡେ ଗରିବ ରୋଗୀଟିଏ ବିଶ୍ୱସ୍ତରୀୟ ସେବା ପାଉଥିଲା। ପୂର୍ବ ସରକାର ସମୟରେ ଅପହଞ୍ଚ ବଣ ଜଙ୍ଗଲରେ ବି ସେବା ପହଞ୍ଚାଯାଉଥିଲା। କିନ୍ତୁ ଏବେ ସେସବୁ ଇତିହାସ । ଓଲଟି ବିଗିଡିଯାଇଛି ରାଜ୍ୟର ସ୍ୱାସ୍ଥ୍ୟସେବା। ବିନା ମୁଖିଆରେ ଚାଲିଛି ରାଜ୍ୟର ୧୧ଟି ଜିଲ୍ଲାର ସ୍ୱାସ୍ଥ୍ୟସେବା। ୧୧ଟି ଜିଲ୍ଲାରେ ସିଡିଏମଓ ନାହାନ୍ତି। କାମଚଳା ସିଡିଏମଓ କାମ ଚଳାଉଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସିଡିଏମଓ ନିଯୁକ୍ତି ଏକ ରୁଟିନ କାମ ହୋଇଥିଲେ ବି ତାହା ଘଟୁନାହିଁ। ଯେଉଁମାନେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ସେମାନେ ସଠିକ୍ କାମ କରିବାକୁ ଅସମର୍ଥ। ଲଗାତର ଭାବେ ରାଜ୍ୟର ସ୍ୱାସ୍ଥ୍ୟ ସେବା ତଳକୁ ତଳକୁ ଯାଉଛି। ଏପରିକି ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ବି ବଦଳୁନି ସ୍ଥିତି। ଏନେଇ ସରକାରକୁ ଟାର୍ଗେଟ କରିଛନ୍ତି ଓଡିଶା ମେଡ଼ିକାଲ ସେବା ସଂଘର ପୂର୍ବତନ ସଭାପତି।

୧୧ ଜିଲ୍ଲାରେ ସିଡିଏମଓ ନଥିବାବେଳେ ସ୍ବାସ୍ଥ୍ୟ ସେବା କେମିତି ଚାଲିବ ବୋଲି ପ୍ରଶ୍ନ କରିଛି ଜନସ୍ଵାସ୍ଥ୍ୟ ମିଶନ। ରାଜ୍ୟରେ ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫର ବ୍ୟାପକ ଅଭାବ ରହିଛି। ପାଖାପାଖି ୬୦ ପ୍ରତିଶତରୁ ଅଧିକ ପଦ ଫାଙ୍କା। ପାରା ମେଡ଼ିକାଲ ଷ୍ଟାଫ ବହୁତ ସଂଖ୍ୟାରେ ରହିଥିବା ବେଳେ ସେମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉ ନାହିଁ। ଗରିବ ରୋଗୀଟିଏ କରିବ କଣ ବୋଲି ଉଠିଛି ପ୍ରଶ୍ନ। ଏପରିକି ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡାର୍ଡ ନର୍ମକୁ ମଧ୍ୟ ଓଡିଶା ପୂରଣ କରିପାରୁ ନାହିଁ ବୋଲି କୁହାଯାଇଛି। ସେପଟେ ବିଜେପି ସରକାର କାହିଁକି ସବୁ କ୍ଷେତ୍ରରେ ଓଡ଼ିଶାର ଲୋକଙ୍କୁ ସଙ୍କଟ ଭିତରୁ ଠେଲି ଦେଉଛି ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ।

ଜାତୀୟ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାର ରାଙ୍କ ବହୁ ତଳେ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି କରିବା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଅଭିଯୋଗ ହେଉଛି।

You may have missed