ଶତବାର୍ଷିକୀ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ– ସଜେଇ ହେଉଛି ଭୀମପୁର ଗାଁ

ଚିକିଟି(ଶୁଭଶ୍ରୀ ପ୍ରଧାନ)ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମପୁର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ ଉତ୍ସବ ପାଳନ କରିବ।ଏହାକୁ ନେଇ ବିଦ୍ୟାଳୟ ପରିସର ସଜେଇ ହେଉଛି।ବିଦ୍ୟାଳୟର ରଙ୍ଗ ବଦଳୁଛି।ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଯୋଗଦେବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହାକୁ ନେଇ ସମଗ୍ର ଚିକିଟୀ ନିର୍ବାଚନ ମଣ୍ଡଳୀ ଚିକିଟୀ ଓ ପାତ୍ରପୁର ବ୍ଲକରେ ଆନନ୍ଦ ପ୍ରକାଶ ପାଇଛି। ଗତ ବର୍ଷ ରାଜ୍ୟରେ ନୂତନ ଭାବେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଚିକିଟି ଅଞ୍ଚଳକୁ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଉକ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ସ୍ତରରେ ତତ୍ପରତା ପ୍ରକାଶ ପାଇଛି I ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଥିବା ଭୀମପୁର ଗ୍ରାମର ଭାଗ୍ୟ ବଦଳୁଥିବା ଦେଖିବାକୁ ମିଳୁଛି। ଦିନ ଥିଲା ବିଦ୍ୟାଳୟର ଚତୁଃପାର୍ଶ୍ଵରେ ଅଳିଆ ଆବର୍ଜ୍ଜନା ପଡ଼ିରହିଥିଲା। ଗୋଟିଏ ପଟେ ବିଦ୍ୟାଳୟକୁ ଲାଗି ମୁକୁଳା ଟ୍ରାନ୍ସଫରମର , ଅନ୍ୟପଟେ ପଚାଶ ମିଟର ଦୁରରେ ଦେଶୀ ମଦ ଦୋକାନ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ବେଳେ ମୁକୁଳା ଟ୍ରାନ୍ସଫରମର ହଟାଇବା ପାଇଁ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ଏଥି ସହିତ ବିଦ୍ୟାଳୟ ନିକଟରେ ଥିବା ଖେଳ ପଡ଼ିଆରେ ମାଟି ପକାଇ ସମତଳ କରିବା ସହିତ ବିଦ୍ୟାଳୟ କୋଠାରେ ନୂତନ ରଙ୍ଗ ଦିଆଯାଇ କାନ୍ଥରେ ଶିକ୍ଷଣୀୟ ଚିତ୍ର ଆଙ୍କିବା କାର୍ଯ୍ୟ ଆଗେଇ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପ୍ରତ୍ୟେକ ଦିନ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏଥି ସହିତ ବୁଧବାର ଦିନ ଦକ୍ଷିଣାଞ୍ଚଳ ଆଇଜି, ବ୍ରହ୍ମପୁର ଏସପି ଭୀମପୁର ଗସ୍ତରେ ଆସି ସମିକ୍ଷା କରିଥିବା ବେଳେ ତାଙ୍କ ସହିତ ଚିକିଟୀ ଏସ୍ଡିପିଓ ବିଶ୍ଵାମିତ୍ର ହରପାଲ, ଜରଡା ଥାନା ଅଧିକାରୀ ଟୁନା ସାସମଲ,ବିଡିଓ ଲକ୍ଷ୍ମଣ ଚରଣ ସୋରେନ, ପୂର୍ତ୍ତ ବିଭାଗ ଅଧିକାରି, ପାତ୍ରପୁର କନିଷ୍ଠ ଯନ୍ତ୍ରୀ,ସ୍ଥାନୀୟ ସରପଞ୍ଚ ଏନ୍ ତିରୁପତି, ସମିତି ସଭ୍ୟ ପ୍ରଶାନ୍ତ ସାହୁ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ।ବିଦ୍ୟାଳୟର ସମ୍ପୂର୍ଣ ରୁପରେଖ ବଦଳାଇବା ନିମନ୍ତେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି।