April 20, 2025

ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, ଓଡ଼ିଶା ପାଇଁ କରିପାରନ୍ତି ବଡ଼ ଘୋଷଣା*

Share

 

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଦିନିକିଆ ଗସ୍ତରେ ଆସି ଭେଟିଦେବେ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ । ବରମୁଣ୍ଡା ପଡ଼ିଆରେ ସାଧାରଣ ସଭାକୁ କରିବେ ସମ୍ୱୋଧନ, ଓଡ଼ିଶା ପାଇଁ କରିପାରନ୍ତି ବଡ଼ ଘୋଷଣା ।

 

 

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ସେ ଓଡ଼ିଶାକୁ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ । ଆଜି ଅପରାହ୍ଣରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ନୀତିନ ଗଡ଼କରୀ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ଏଥିରେ ୨ହଜାର ୯୦୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା ୪ଟି ସିଆରଆଇଏଫ୍ ବ୍ରିଜ୍‌ର ଶିଳାନ୍ୟାସ ରହିଛି । ସେହିପରି ୮୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ଜାତୀୟ ରାଜପଥକୁ ନୀତିନ ଗଡ଼କରି ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହାଛଡ଼ା ଏବେ ରାସ୍ତା ସଂଯୋଗୀକରଣରେ ଓଡ଼ିଶା ସାରା ଦେଶରେ ୮ ନମ୍ୱର ସ୍ଥାନରେ ରହିଥିବା ବେଳେ ଖୁବଶୀଘ୍ର ଯେପରି ପ୍ରଥମ ସ୍ଥାନ ହାସଲ କରିପାରିବ, ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି କେନ୍ଦ୍ରମନ୍ତ୍ରୀ । ବରମୁଣ୍ଡା ପଡ଼ିଆ କାର୍ଯ୍ୟକ୍ରମ ପୂର୍ବରୁ କଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ ସମାରୋହରେ ସାମିଲ ହେବେ ନୀତିନ ଗଡ଼କରୀ । ତାଙ୍କ ଗସ୍ତକୁ ଆଖିରେ ରଖି କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 

ଆଜି କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଓ ବରମୁଣ୍ଡାରେ ସାଧାରଣ ସଭାକୁ ଆଖିରେ ରଖି କମିସନରେଟ ପୋଲିସ ପକ୍ଷରୁ ଟ୍ରାଫିକ ଭିଡ଼କୁ ନେଇ ଜନସାଧାରଣକୁ ସତର୍କ କରାଯାଇଛି । ଅପରାହ୍ଣ ୨ଟାରୁ ଅପରାହ୍ଣ ୩ଟା ଯାଏଁ ବାଣୀବିହାର ଛକରୁ ରସୁଲଗଡ଼ ଛକ ଭାୟା ୱାର୍ଲଡ୍‌ ସ୍କିଲ୍‌ ସେଣ୍ଟର ଓ ଏହା ବୀପରିତ ଦିଗ ରାସ୍ତାରେ ଟ୍ରାଫିକ ଭିଡ଼ ହେବାର ଆଶଙ୍କା ରହିଛି । ସେହିପରି ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ – ବରମୁଣ୍ଡା ଛକ ଏବଂ ଏହାର ଆଖପାଖ ରାସ୍ତାଗୁଡ଼ିକରେ ଟ୍ରାଫିକ ଭିଡ଼ ହେବାର ଆଶଙ୍କା କରାଯାଇଛି । ତେଣୁ ଯାତ୍ରୀମାନଙ୍କୁ ଉପରୋକ୍ତ ରାସ୍ତାରେ ନଯାଇ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ବିକଳ୍ପ ରାସ୍ତାରେ ୟାତାୟତ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନାରେ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛି କମିସନରେଟ ପୋଲିସ ।