ଡାକ୍ତର ରଞ୍ଜନଙ୍କ ବିୟୋଗ ପରେ ପରିବାରବର୍ଗ ତାଙ୍କର ଚକ୍ଷୁଦାନ
ବରଗଡ,
ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଲିଠିପାଲି ଗ୍ରାମର ସୁପୁତ୍ର ତଥା ଜାମପାଲି ହ୍ୟାଣ୍ଡଲୁମ୍ର ସେକ୍ରେଟାରୀ ବେଣୁ ମହାନନ୍ଦଙ୍କ ପୁଅ ଡାକ୍ତର ରଞ୍ଜନ ମହାନନ୍ଦଙ୍କ ମାତ୍ର ୩୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ସେ ବିଜେପୁର CHCରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ। ଦୀର୍ଘଦିନ ଧରି କିଡ୍ନି ଜନିତ ସମସ୍ୟାରେ ସେ ଚିକିତ୍ସାଧୀନ ଥିଲେ।
ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ରଞ୍ଜନ ମହାନନ୍ଦଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ବରଗଡ଼କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଓ ଚିକିତ୍ସା ପାଇଁ ଦିନ ୧ଟା ୩୦ରେ ସମୟ ଦିଆଯାଇଥିବା କୁହାଯାଇଛି। ତେବେ ଦିନ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ଚିକିତ୍ସା ହୋଇନଥିବାରୁ ପରିବାର ତାଙ୍କୁ ଅନ୍ୟ ଏକ ମେଡିକାଲକୁ ନେବାକୁ ବାହାରିଥିଲେ। ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି।
ସମାଜସେବାରେ ଥିଲେ ଆଗୁଆ
ଡାକ୍ତର ରଞ୍ଜନ ମହାନନ୍ଦ କେବଳ ଜଣେ ଡାକ୍ତର ନୁହେଁ, ଜଣେ ସମାଜସଚେତନ, ମାନବିକ ଓ ସମାଜସେବୀ ଯୁବକ ଭାବେ ମଧ୍ୟ ପରିଚିତ ଥିଲେ। ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟରେ ସେ ସକ୍ରିୟ ଭାବେ ଜଡ଼ିତ ରହିଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର, ବନ୍ଧୁବର୍ଗ, ସହକର୍ମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ମୃତ୍ୟୁ ପରେ ମଧ୍ୟ ମାନବିକତାର ଉଦାହରଣ
ଡାକ୍ତର ରଞ୍ଜନଙ୍କ ବିୟୋଗ ପରେ ପରିବାରବର୍ଗ ତାଙ୍କର #ଚକ୍ଷୁଦାନ କରି ଏକ ମହତ୍ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ଚକ୍ଷୁ ଅନ୍ୟ କାହାରି ଜୀବନରେ ଆଲୋକ ଆଣିବାର ମାଧ୍ୟମ ହୋଇପାରିବ। ଏହି ମହତ୍ କାର୍ଯ୍ୟ ତାଙ୍କ ସେବାମୟ ଜୀବନର ସ୍ମୃତିକୁ ଆହୁରି ଜୀବନ୍ତ ରଖିବ।
ଛୁଆରିଆପାଲିରେ ଦୀର୍ଘଦିନ ଧରି ବସବାସ କରୁଥିବା ଡା. ରଞ୍ଜନ ମହାନନ୍ଦଙ୍କ ଶେଷକୃତ୍ୟ ତାଙ୍କ ଜନ୍ମମାଟି ଲିଠିପାଲି ଗ୍ରାମରେ ସମ୍ପନ୍ନ ହୋଇଛି।
