May 11, 2026

ନବୀନର 27ତମ ବିଷୁବ ମିଳନରେ ସମ୍ମାନିତ ହେବେ 5 ପ୍ରତିଭାଧର

IMG-20250410-WA0019
Share

ବ୍ରହ୍ମପୁର, 9/4 : ଓଡ଼ିଶାର ସର୍ବପୁରାତନ ସମ୍ୱାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ 27ତମ ବିଷୁବ ମିଳନ ଅବସରରେ 5 ଜଣ ପ୍ରତିଭାଧରଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ବୈଠକ ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା।

ଅପ୍ରେଲ 14 ତାରିଖ (ସୋମବାର) ରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ରେଭିନୁ୍ୟ ଆଇବି ପରିସରରେ ଆୟୋଜିତ ହେବାକୁ ଯାଉଥିବା ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ଵତ ସମାବେଶରେ ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବୟିତ୍ରୀ ସରୋଜିନୀ ମିଶ୍ର, କବି ଲିଙ୍ଗରାଜ ଜେନା, ଓଡ଼ିଆ ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ, ଅନୁବାଦିକା କେ.ଜୟଶ୍ରୀ ଦୋରା, ଯୁବକବି ଚିନ୍ମୟ ରଂଜନ ମିଶ୍ରଙ୍କୁ ନବୀନ ବିଷୁବ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସ୍ଥିରୀକୃତ ହୋଇଛି। ଏ ସମ୍ପର୍କରେ ଆୟୋଜିତ ଚୟନ କମିଟି ବୈଠକରେ ସାଧାରଣ ସମ୍ପାଦକ କାମରାଜୁ ମହାରଣା, ସମ୍ପାଦକ ସୁଶାନ୍ତ କରଙ୍କ ସମେତ ବହୁ ସଦସ୍ୟଙ୍କ ଉପସ୍ଥିତିରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ନବୀନର 27ତମ ବିଷୁବ ମିଳନ ସମାରୋହରେ ଉଦଘାଟକ ଭାବେ ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଲୋକସଭା ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ଡ଼. ବାୟାମନୁ ଚର୍ଚ୍ଚି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା କବି ଗଦାଧର ପାତ୍ର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବି କବୟିତ୍ରୀମାନେ ଅଂଶଗ୍ରହଣ କରି ସ୍ଵରଚିତ କବିତା ପାଠ କରିବେ ।

 

(ରବି ରଥ)

ସମ୍ପାଦକ ନବୀନ