ଦଣ୍ଡଯାତ୍ରା ପାଇଁ ବୁଗୁଡ଼ା ଅଞ୍ଚଳ ଉତ୍ସବ ମୁଖର
ବୁଗୁଡ଼ା : ତା ୧୦/୦୪/୨୩ : ସଂପ୍ରତି ଦଣ୍ଡଯାତ୍ରା ଯୋଗୁଁ ବୁଗୁଡ଼ା ଅଞ୍ଚଳ ଉତ୍ସବ ମୁଖର ସହ ଚଳଚଞ୍ଚଳ ହୋଇ ଉଠିଛି । ବୁଗୁଡା ବ୍ଲକର ଗ୍ରାମାଞ୍ଚଳ ସାଙ୍ଗକୁ ସହରାଞ୍ଚଳରେ ମଧ୍ୟ ପ୍ରତ୍ଯେକ ଦିନ କେଉଁଠି ନା କେଉଁଠି ଦଣ୍ଡଯାତ୍ରା ଯୋଗୁଁ ବିଭିନ୍ନ ଦଣ୍ଡଦଳର ନଗର ଭ୍ରମଣ କାଳରେ ପ୍ରତ୍ଯେକ ଘର ସମ୍ମୁଖରେ କୁମ୍ଭ ସ୍ଥାପନର ସୁଦୃଶ୍ଯ ସାଙ୍ଗକୁ ଝୁଣାର ମହକ ଓ ଗଗନ ପବନ ପ୍ରକମ୍ପିତ ଢୋଲ ଶବ୍ଦ ଏକ ଉତ୍ସବ ମୁଖର ପରିବେଶ ସୃଷ୍ଟି କରୁଛି । ଦଣ୍ଡୁଆଙ୍କ ଧୂଳି ଦଣ୍ଡ , ଜଳ ଦଣ୍ଡ , ଅଗ୍ନି ଦଣ୍ଡ ଓ ପରଭା ନୃତ୍ୟ ଶ୍ରଦ୍ଧାଳୁଙ୍କୁ ଏକ ଭାବବିହ୍ବଳ ବାତାବରଣ ମଧ୍ୟକୁ ଟାଣି ନେଉଛି । ଏଥି ସହ ରାତ୍ରିକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି । ଅନ୍ଯପକ୍ଷରେ ଦଣ୍ଡଯାତ୍ରା କାଳରେ ବାନା , ବାଡି , ବେତ , ପିଞ୍ଛ ମୁଠା , ଫୁଲ ମାଳ , ନବାତ ଓ ଫଳ ଆଦି ପୂଜା ସାମଗ୍ରୀ କ୍ରୟ ସକାଶେ ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ବିଭିନ୍ନ ଦୋକାନରେ ଦେଖିବାକୁ ମିଳୁଛି । ତେବେ ଏହି ପାରମ୍ପରିକ ଦଣ୍ଡଯାତ୍ରା ଅବସରରେ ଅଞ୍ଚଳର ବିଭିନ୍ନ ଲୋକକଳାର ଛବି ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳୁଛି ।