ବୁଗୁଡ଼ାରେ ଛୁଟିଛି ମଦର ବନ୍ୟା , ମଦରେ ଉବୁଟୁବୁ ମଦୁଆ , ଅବକାରୀ ସାଜିଛି ନିଦୁଆ
ବୁଗୁଡ଼ା : ତା ୦୮/୦୪/୨୩ : ସଂପ୍ରତି ବୁଗୁଡ଼ା ଅଞ୍ଚଳରେ ମଦର ବନ୍ୟା ଛୁଟିଛି । ଆଉ ସେଥିରେ ଉବୁଟୁବୁ ହେଉଛନ୍ତି ମଦୁଆ । ସହରାଞ୍ଚଳରେ ବିଭିନ୍ନ ଦୋକାନରେ ଖୁଲମଖୁଲା ମଦ ବେପାର ଚାଲୁଥିବା ବେଳେ ଗ୍ରାମାଞ୍ଚଳ ମଧ୍ୟ ଏଥିରୁ ବାଦ ପଡିନି । କେତେକ ଗ୍ରାମରେ ଚୋରା ମଦ କାରବାର ଏବେ କୁଟୀର ଶିଳ୍ପରେ ପରିଣତ ହୋଇଛି । ଏଥି ସହ ବୁଲୁଛି ଭ୍ରାମ୍ୟମାଣ ମଦ ଦୋକାନ । କେଉଁ ଦିନ କେଉଁଠି ପସରା ମେଲୁଛି , ଆଉ ସେଠାରେ ମଦୁଆଙ୍କ ଭିଡ଼ ଜମୁଛି । ନିର୍ଭୟରେ ପସରା ମେଲୁଛନ୍ତି ଚୋରା ମଦ ବେପାରୀ । ସତେ ଯେମିତି ସେମାନଙ୍କ ପୋଲିସ ପ୍ରତି ଭୟ ନାହିଁ କି ଅବକାରୀ କର୍ମଚାରୀଙ୍କୁ ଖାତିର ନାହିଁ । ନିର୍ଭୟରେ ପସରା ମେଲୁଛନ୍ତି ଚୋରା ମଦ ବେପାରୀ । ଏମିତି ବେପାର ଚାଲୁଛି ଗ୍ରାମାଞ୍ଚଳର ବିଭିନ୍ନ ଆମ୍ବ ତୋଟା ଓ କାଜୁ ବଗିଚାରେ । ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଦୁଇ ଚକିଆ ଯାନରେ ବ୍ୟାଗ ଭିତରେ ଶହ ଶହ ଦେଶୀ ମଦ ପୁଡିଆ ଧରି ପହଞ୍ଚି ଯାଉଛନ୍ତି ଚୋରା ମଦ ବେପାରୀ । ଆଉ ଠିକ୍ ସମୟରେ ଉକ୍ତ ସ୍ଥାନକୁ ଗଡୁଛନ୍ତି ମଦୁଆ । ଦୁଇରୁ ତିନି ଦିନ ଗୋଟିଏ ସ୍ଥାନରେ ବେପାର ପରେ ମଦୁଆଙ୍କୁ ପୂର୍ବ ସୂଚନା ଦେଇ ସ୍ଥାନ ବଦଳାଉଛନ୍ତି ବେପାରୀ । ଅଧିକା ଦରରେ ମଦ ପୁଡିଆ ବିକି
ବେପାରୀ ମାଲାମାଲ୍ ହେଉଥିବା ବେଳେ ଗାଁ ଗାଁରେ
ମଦୁଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି | ପୋଲିସ କାଁ ଭାଁ
ଚୋରା ମଦ ବେପାରୀକୁ ଧରୁଥିବା ବେଳେ ଅବକାରୀ
ବିଭାଗ ନିଦ୍ରାରେ ଥିବାପରି ମନେ ହେଉଛି ।
ତେବେ ଚୋରା ମଦ ପିଇ କେତେବେଳେ ଯେ କାହାର
ଜୀବନ ଚାଲିଯିବ ସେନେଇ ଆଶଙ୍କା ଦେଖା ଦେଇଛି ।
ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ
ସାଧାରଣରେ ଦାବି ହେଉଛି ।