ଦୋଳ ପୂର୍ଣ୍ଣିମାରେ ଗୋପାଳ ମାନଙ୍କ ପାଇକ ଆଖଡ଼ା ପ୍ରଦର୍ଶନ। 

Share

 

 

ବୋଲଗଡ,୧୬/୦୩(ଉପାନ୍ତ ଖବର): ଦୋଳ ପୂର୍ଣ୍ଣିମା ପର୍ବକୁ ଗୋପାଳ ମାନେ ପୁରୁଷ ନୁକ୍ରମେ ସ୍ବତନ୍ତ୍ର ଭାବେ ପାଳନ କରିଆସୁଛନ୍ତି।ଦୋଳ ପୂର୍ଣ୍ଣିମା ଦିବସରେ ଗୋପାଳ ମାନେ ନିର୍ଜଳା ଉପବାସ ରହି, ନୂତନ ବସ୍ତ୍ର ପରିଧାନ କରି ପ୍ରାତଃ ସମୟରେ ନିତି ବିଧି ଅନୁସାରେ ଭଗବାନ୍ ଶ୍ରୀ କୃଷ୍ଣଙ୍କୁ ପୂଜା ପାଠ କରିଥିବା ବେଳେ ଗୋ ମାତାଙ୍କୁ ୩୩କୋଟି ରୂପରେ ସୁମରଣ କରି ସ୍ନାନ , ନୂତନ ବସ୍ତ୍ର ପରିଧାନ, ପୁଷ୍ପ ମାଳା ପ୍ରଦାନ, ଧୂପଦୀପ ଦେଇ ବନ୍ଦାପନା କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପରମ୍ପରା ଅନୁସାରେ ଗ୍ରାମର ଗୋପାଳ ମାନେ ମିଳିତ ଭାବେ ଏକତ୍ରିତ ହୋଇ କୁନି କୁନି ପିଲା ମାନଙ୍କୁ ଭଗବାନଙ୍କ ରୂପରେ ଶ୍ରୀ କୃଷ୍ଣ,ରାଧା ଓ ସଖୀ ବେଶରେ ସୁସଜ୍ଜିତ କରି ଗ୍ରାମ ପରିକ୍ରମା କରାଯାଇ ପାଇକ ଆଖଡ଼ା ପରିବେଷଣ କରିଥିଲେ। ଏହି ପାଇକ ଆଖଡ଼ା ଖେଳରେ ଗୋପାଳ ମାନେ ସ୍ବତନ୍ତ୍ର ବେଶରେ ଓ ଢୋଲ ବାଜାଇ ତାଳେ ତାଳେ ବାଡି ଖେଳ ,ହତା ବାଡି ଖେଳ,ଖଣ୍ଡା ଖେଳ, ଯୋଡା ବାଡି ଖେଳ ,ଛୁରୀ ଖେଳ ,ଲଉଡି ଖେଳ, ନିଆଁ ହୁଳା ଖେଳ ଓ ଗୋଟା ବାଡି ଖେଳକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରିବେଷଣ କରିଥିଲେ । ପରିଶେଷରେ ଗୋପାଳ ମାନେ ଘରକୁ ଫେରିବା ସମୟରେ ପରସ୍ପର ମଧ୍ୟରେ ଆନନ୍ଦ ଉଲ୍ଲାସର ସହିତ ପାଣି ଖେଳ ଖେଳିଥିଲେ।ମିଳିତ ଭାବେ ଗ୍ରାମବାସୀ ମାନେ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପାଇକ ଆଖଡ଼ା ଗୁରୁ ଭୋବନି ବେହେରା , ବଳରାମ ବେହେରା ,ଗୋବିନ୍ଦ ବେହେରା, ବେହେରା କାଳିଆ ବେହେରା, ସୂର୍ଯ୍ୟ କାନ୍ତ ବେହେରା, ସୌରୀ ବେହେରା, ନାରାୟଣ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ସେହିଭଳି ଭାବେ ବୋଲଗଡ ବ୍ଲକ ଅଞ୍ଚଳରେ ଦୋଳ ପର୍ବକୁ ଗୋପାଳ ମାନେ ସ୍ବତନ୍ତ୍ର ଭାବେ ପାଳନ କରିଅଛନ୍ତି।।ଦୋଳ ପୂର୍ଣ୍ଣିମା ପର୍ବରେ ଗ୍ରାମ ଇଷ୍ଟ ଦେବତା ମାନେ ସ୍ବତନ୍ତ୍ର ଦୋଳ ବିମାନରେ ବିରାଜମାନ କରି ଗ୍ରାମ ପରିକ୍ରମା କରିଥିଲେ। ଇଷ୍ଟ ଦେବତାଙ୍କୁ ଗ୍ରାମବାସୀ ମାନେ ଫଗୁ ପ୍ରଦାନ , ନୂତନ ଆମ୍ବ ଓ ନୂତନ ଚଣା ଭୋଗ କରିବା ସହିତ ବର୍ଷକରେ ଥରେ ଅପୂର୍ବ ଦର୍ଶନ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।