ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ
ପାରଳାଖେମୁଣ୍ଡି,ତା.୦୧.୦୪.୨୦୨୩
ଗଜପତି ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ସମାରୋହରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି | ସକାଳରେ ସୁଶ୍ରୀ କଲ୍ୟାଣୀ ଗଜପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତ୍ରିପତି ରାଓ , ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାରୀୟମ୍ ରଇତ, ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଓ ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ସମେତ ସହରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ,ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ସହର ମଧ୍ୟରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସହରରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସମୟରେ ବିରବାଦ୍ୟ ଓ ପାଇକ ଆଖଡ଼ା କଳା ପ୍ରଦର୍ଶନ ଦେଖାଇ ସହର ପରିକ୍ରମା କରଯାଇଥିଲା।
ପରେ ପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ସାଧାରଣ ସଭା ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା | ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ ଯୋଗଦେଇ ୧୯୩୬ ମସିହା ଅପ୍ରେଲ ୧ ତାରିଖ ଆଜିର ଦିନରେ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଏବଂ ମହାରାଜ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଓଡ଼ିଶା ପ୍ରଦେଶ ଗଠନ କରିବା ମୁଖ୍ୟ ଭୂମିକା ବୋଲି କହିଥିଲେ।
ମୁଖ୍ୟବକ୍ତା ଭାବରେ ଯୋଗଦେଇ ଡକ୍ଟର ମନ୍ମଥ ପାଢ଼ୀ,ପୂର୍ବତନ କୁଳପତି, ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ବ୍ରହ୍ମପୁର ଯୋଗ ଦେଇ ଭାଷା ଭିତ୍ତିରେ ଓଡିଶା ସମଗ୍ର ଦେଶର ପ୍ରଥମ ରାଜ୍ୟ | ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡିକର ଏକତ୍ରୀକରଣକୁ ନେଇ ଚାଲିଥିଲା ପ୍ରଚେଷ୍ଟା | ଶେଷରେ ସଫଳ ହୋଇଥିଲା ୧୯୩୬ ମସିହା ଅପ୍ରେଲ ୧ ତାରିଖ ଆଜିର ଦିନରେ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ମୁଖ୍ୟ ବକ୍ତା ଡକ୍ଟର ପାଢ଼ୀ ବକ୍ତବ୍ୟ ରଖିଥିଲେ | ଓଡ଼ିଶା ପ୍ରଦେଶ ଗଠନ କରିବା ରେ ଗଜପତି ଜିଲ୍ଲା ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି | ସ୍ୱତନ୍ତ୍ର ପ୍ରଦେଶ ଗଠନ ସହ ଓଡ଼ିଆଙ୍କ ସ୍ୱାଭିମାନକୁ ବଜାୟ ରଖିବା ଏହି ଆନ୍ଦୋଳନର ମୂଳ ଲକ୍ଷ ଥିଲା | ଓଡ଼ିଆ ଜାତିକୁ ସର୍ବାଗ୍ରେ ପହଞ୍ଚାଇବା ସହ ଲୋକଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି କରିବାରେ ଏହି ପାରଳାଖେମୁଣ୍ଡି ସହର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ | ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାରୀୟମ ରଇତ, ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଯୋଗଦେଇ ଓଡିଶା ଗଠନରେ ପାରଳାଖେମୁଣ୍ଡିର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ |
ପବିତ୍ର ଓଡିଶା ଦିବସ ଅବସରରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ ଶିକ୍ଷକ ପୁରସ୍କାର ୨୦୧୭ପାଇଁ ଶ୍ରୀ ସୁବାଷ ଚନ୍ଦ୍ର ସାହୁ ହିନ୍ଦୀ, ଶିକ୍ଷକ, କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ମହେନ୍ଦ୍ରଗଡ଼ଙ୍କୁ ୨୫ ହଜାର ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଛି। ସେହିପରି ଗତ ଗଜପତି ଉତ୍ସବରେ ସୁନ୍ଦର ଉଦ୍ଘୋଷଣା କରି ଥିବାରୁ ଶ୍ରୀ ଅମୂଲ୍ୟ କୁମାର ପାଣୀଗ୍ରହି ଓ ଡାକ୍ତର ଲୀମା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।
ଓଡିଶା ଦିବସ ଅବସରରେ ପାରଳାଖେମୁଣ୍ଡି ସହରର ଉଚ୍ଚ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା |
ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମଇଙ୍କ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ବରିଷ୍ଟ ନାଗରିକ, ବୁଦ୍ଧିଜୀବି ,ସମସ୍ତ ସାମ୍ବାଦିକ ବନ୍ଧୁଗଣ ଓ ଜନସାଧରଣ ଉପସ୍ଥିତ ଥିଲେ।