May 11, 2026

ଉନ୍ନୀତ ଉଚ୍ଚ ବିଦ୍ୟାଳୟମୁକୁନ୍ଦପୁର ଠାରେ ଏସଏମସି ବୈଠକ ଅନୁଷ୍ଠିତ

IMG-20250105-WA0023
Share

 

 

କୋଲନରା:(ସଞ୍ଜୀବ କଣ୍ଡାଗରୀ ):ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମୂଲ୍ୟ ମାଳିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେନ୍ଦ୍ର ନିଶାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ବୈଠକରେ ବିଦ୍ୟାଳୟର ଉନ୍ନତି ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରି କିପରି ବିଦ୍ୟାଳୟର ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା | ମୁଖ୍ୟତଃ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନକୁ ଗୁରୁତ୍ୱ ଦେବା, ସ୍କୁଲ ସମୟରେ କୌଣସି ପିଲାଙ୍କୁ ବାହାରକୁ ନ ଛାଡିବା, ପିଲାଙ୍କ ପାଠ ପଢା ସହିତ ପ୍ରଶ୍ନ ଉତ୍ତରର ଆଲୋଚନା କରିବା, ଖେଳ ପିରିୟଡ ସମୟରେ ପିଲାଙ୍କୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ବିଷୟରେ ଶିକ୍ଷା ଦେବା ଏବଂ ପିଲାଙ୍କୁ ଉନ୍ନତ ମାନର ଖାଦ୍ୟ ପ୍ରଦାନ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା | ଖାସ୍ କରି ଗତ ବୈଠକରେ ସମସ୍ତଙ୍କ ସହମତି କ୍ରମେ ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମକୁ ନଜରରେ ରଖି ଏକ ସ୍ଥାୟୀ ମଣ୍ଡପ ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଥିଲା ଏବଂ ମଣ୍ଡପର ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ରହିଥିବା ଦେଖି ସମସ୍ତେ ଖୁସିବ୍ୟକ୍ତ କରିଥିଲେ | ତେବେ ବିଦ୍ୟାଳୟର ରୋଷେଇ କରୁଥିବା ସ୍ଥାନରେ ଦୁଇଟି ଟିଣ ବଢେଇବା ଏବଂ ତାହାର ଚାରି ପଟେ ୩ ଫୁଟ୍ ସିମେଣ୍ଟ ପାଚେରୀ ନିର୍ମାଣ ନେଇ ପ୍ରସ୍ତାବ ଦିଆଯାଇଥିଲା | ଉକ୍ତ ବିଦ୍ୟାଳୟରେ ଗୋଟେ ପରେ ଗୋଟେ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି ଏବଂ ପିଲାଙ୍କ ଖୁସି ଅନୁଯାୟୀ ଆହୁରି କଣ କଲେ ପିଲା ମାନେ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ ହେବେ ତାହା ସମସ୍ତଙ୍କ ସହଯୋଗରେ ହିଁ ହୋଇପାରିବ ବୋଲି ବିଦ୍ୟାଳୟ ସଭାପତି ଶ୍ରୀ ନିଶାଲ କହିଥିଲେ | ବୈଠକରେ ସହକାରୀ ଶିକ୍ଷକ ସୋମନାଥ ଦାସ ପରିଚାଳନା କରିଥିବା ବେଳେ ସୁମନ୍ତ କୁମାର ନାୟକ ସହଯୋଗ କରିଥିଲେ | ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଦମୟନ୍ତୀ ଦଳେଇ, ସଭ୍ୟ ପ୍ରଫୁଲ ବିଡିକା, ସରୋଜ ବିଡିକା, ଟୁଟୁ ସାହୁ ଓ ସୋନାଲି କୌଶଲ୍ୟା ଉପସ୍ଥିତ ରହି ନିଜ ନିଜର ମତାମତ ଦେଇଥିଲେ |