ମଣ୍ଡି ସୁବ୍ୟବସ୍ଥିତ କରିବାକୁ ଚାଷୀଙ୍କ ଦାବୀ
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ପ୍ରଥମେ ସ୍ୱଳ୍ପ ବୃଷ୍ଟିପାତ ଆଉ ଏବେ ଅଦିନିଆ ବର୍ଷା ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଭଳି ସ୍ଥିତିରେ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲା ଯାଇଛି । ସଠିକ ଭାବେ ମଣ୍ଡି ବ୍ୟବସ୍ଥା ହେଇପାରୁ ନ ଥିବା ରୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଓ ଯୋଗାଣ ବିଭାଗ, ନିୟନ୍ତ୍ରିତ ବଜାର କମିଟି ମଧ୍ୟରେ ତାଳମେଳ ରହୁନାହିଁ । ଫଳରେ ଚାଷୀଙ୍କ ଧାନ ନଷ୍ଟ ହେବାକୁ ବସିଛି । ମଣ୍ଡି ଗୁଡ଼ିକ ରେ ଭିତ୍ତିଭୂମି ଦୁର୍ବଳ ଥିବାରୁ ଚାଷୀଙ୍କ ଅମଳ ଫସଲ ସୁରକ୍ଷିତ ରହୁନାହିଁ । କେତେବେଳେ କହୁଛନ୍ତି ଭଲ ଧାନ ଆମେ ନେବୁ, ଆଉ କେତେବେଳେ କହୁଛନ୍ତି ଅଖା ଦିଆଯିବ ପୁଣି କହୁଛନ୍ତି ବାହାରୁ କିଣିଆଣ । ଏସବୁ ଭିତରେ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜି ଉକୁମ୍ଵା ପଞ୍ଚାୟତ ର ଚାଷୀମାନେ ତମାମ ସମସ୍ୟା ସମ୍ପର୍କରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ । ଯୋଗାଣ ବିଭାଗ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଚାଷୀମାନେ ଜଣାଇଛନ୍ତି । ତେବେ ଦୁଇଦିନ ମଧ୍ୟରେ ଏହାର ସମାଧାନ ନ କଲେ ରାଜରାସ୍ତାକୁ ଆସି ପ୍ରଶାସନ କୁ ଅଚଳ କରିଦେବୁ ବୋଲି ମଧ୍ୟ ଚାଷୀମାନେ ସୂଚନା ଦେଇଛନ୍ତି ।