June 28, 2026

ସ୍ବଚ୍ଛ ଭାରତ ଯୋଜନାକୁ ଧକ୍କା , ଅବ୍ୟବସ୍ଥାରେ ରହିଛି କରସିଙ୍ଗି ଛକର ପରିସ୍ରାଗାର, ପ୍ରତିକାର ଦାବି 

IMG-20230327-WA0056
Share

 

ବୁଗୁଡ଼ା : ତା ୨୭/୦୩/୨୩: ବାହ୍ୟ ମଳତ୍ୟାଗକୁ ରୋକିବା ସହ ସହର ଠାରୁ ଗାଁ ପର୍ଯ୍ୟନ୍ତ ପରିବେଶକୁ ସ୍ବଚ୍ଛ ରଖୁବା ପାଇଁ ଆରମ୍ଭ ହୋଇଛି ସ୍ବଚ୍ଛ ଭାରତ ଯୋଜନା । ଏହି ଯୋଜନାରେ ବାହାରେ ପରିସ୍ରା ଓ ମଳ ତ୍ୟାଗ ନକରିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସ୍ଥାନରେ ଶୌଚାଳୟ ପ୍ରତିଷ୍ଠା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ହେଲେ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ ଏବେ ଆବର୍ଜନାର ଗନ୍ତାଘର ପାଲଟିଛି । ଏହାର ଜ୍ୱଳନ୍ତ ଉଦାହରଣ ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଛକରେ ଦେଖିବାକୁ ମିଳିଛି । ଗଞ୍ଜାମ ନୟାଗଡ ସୀମାରେ ଥିବା କରସିଙ୍ଗି ଗାଁ ଛକରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପ୍ରାୟ ସାଢେ ତିନି ବର୍ଷ ତଳେ ଏକ ପରିସ୍ରାଗାର ନିର୍ମାଣ ହୋଇଥିଲା । ତେବେ ପାଣି ବ୍ୟବସ୍ଥା ନଥିବାରୁ ସେଠାରେ ପରିସ୍ରା କରିବାକୁ ଲୋକେ ପଛ ଘୁଞ୍ଚା ଦେଲେ ଏବଂ ଆସ୍ତେ ଆସ୍ତେ ଏହା ଅବ୍ୟବହୃତ ହୋଇ ରହିବା ଫଳରେ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସେହି ପରିସ୍ରାଗାର ଆଉ ସଠିକ୍ କାମରେ ଲାଗିବା ଭଳି ଅବସ୍ଥାରେ ନଥିବାରୁ ଲୋକେ ପୁଣି ପୂର୍ବ ଭଳି ଛକର ଏଣେ ତେଣେ ପରିସ୍ରା କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି । ବିଶେଷ କରି ମହିଳା ଯାତ୍ରୀମାନେ ପରିସ୍ରା କରିବାକୁ ହେଲେ ଅସ୍ବଭାବିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ରାଜନୈତିକ ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ଯଥାଶୀଘ୍ର ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।