November 19, 2024

ଗଜପତି:- ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁଷ୍ଟ ରୋଗ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ..

Share

 

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ କୁଷ୍ଟ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ “କୁଷ୍ଟ ରୋଗ ଚିହ୍ନଟ ଅଭିଯାନ” କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମ ରାଜ୍ୟ ଏଲସିଡ଼ିସି: ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି ।

୧୮ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୩ ଦିନ ଧରି ଏହି ରୋଗ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମ ଚାଲୁରହିବ ।

ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୁଷ୍ଟ ରୋଗ ନିରାକରଣ ଅଧିକାରୀ ଡ଼ାଃ ଇନ୍ଦିରା ମହାପାତ୍ର ଏବଂ ବିଭାଗୀୟ ଏଲସିଡ଼ିସି: ର ରାଜ୍ୟ ପରାମର୍ଶଦାତା ଶ୍ରୀ କେ: ଈଶ୍ୱର ରାଓ ଅତିଥି ଭାବେ ଯୋଗ ଦେଇ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର , ସ୍ୱାସ୍ଥ୍ୟ ଅଧିକାରୀ , ପିଏଚଇଓ: ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ସମେତ ଆଶାକର୍ମୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ କୁଷ୍ଟ ରୋଗ ନିରାକରଣ ସମ୍ପର୍କିତ ସଚେତନତା ପୋଷ୍ଟର ଧରି ଗୁରାଣ୍ଡି ସହର ପରିକ୍ରମା କରି ଜନସଚେତନ କରାଇଥିଲେ ।

ଏ ସମ୍ପର୍କରେ ଜିଲ୍ଲା କୁଷ୍ଟ ରୋଗ ରୋଗ ନିରାକରଣ ଅଧିକାରୀ ଡ଼ାଃ ଇନ୍ଦିରା ମହାପାତ୍ର , ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ାଃ ଅନଙ୍ଗ ସୁଦନ ଭୂୟାଁ ଏବଂ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ , ଏହି ଯେଉଁ କୁଷ୍ଟ ରୋଗ ଚିହ୍ନଟ ଅଭିଯାନ ଓ ଚିକିତ୍ସା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି , ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ ମାନେ ପ୍ରତ୍ୟେକ ଘରକୁ ଘର ଯାଇ ରୋଗ ଚିହ୍ନଟ ପାଇଁ ପରିବାର ସଦସ୍ୟ ମାନଙ୍କୁ ରୋଗର ଲକ୍ଷଣ ସମ୍ପର୍କରେ ପଚାରି ବୁଝିବା ସହ ଲକ୍ଷଣ ଦେଖା ଦେଲେ ସେମାନଙ୍କୁ ଚିକିତ୍ସା ଦ୍ବାରା ଆରୋଗ୍ୟ କରାହେବ । ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ମେଡିକାଲ ଅଫିସର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ତଦାରଖ ପାଇଁ ସଂପୃକ୍ତ ଅଞ୍ଚଳକୁ ଗ୍ରସ୍ତ କରିବେ ।

ମୁଖ୍ୟତଃ ତୃଣମୂଳ ସ୍ତରରେ ଯଥା:- ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତ ସ୍ତରରେ ଏହି ରୋଗ ନିରାକରଣର ସଚେତନତା ବାର୍ତ୍ତା ଯେଉଁ ଭଳି ପହଞ୍ଚି ପାରିବ , ସେହି ପ୍ରକାରେ ଏହି କାର୍ଯ୍ୟକ୍ରମ ଚାଲିବ । ରୋଗର ଲକ୍ଷଣ ଓ ଚିକିତ୍ସା ପଦ୍ଧତି ଉପରେ କହି ଏମ ଡି ଟି: ଔଷଧ ସେବନ ଦ୍ଵାରା ଆକ୍ରାନ୍ତ ରୋଗୀ ଉପଶମ ଲାଭ କରିଥାଏ । ପୂର୍ବ ଅଭିଯାନ କ୍ରମେ ବର୍ତ୍ତମାନ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତରେ ୧୧ ଜଣ ରୋଗୀ ଘିବା ବେଳେ ସେମାନେ ଚିକିତ୍ସାଧୀନ ଅଛନ୍ତି । ତେବେ , ଏବେ ମଧ୍ୟ ସେହିଭଳି ରୋଗୀ ଯଦି କେହି ଥାଆନ୍ତି ହେଲେ ସେମାନେ ଏହି ଅଭିଯାନ ମାଧ୍ୟମରେ ସେମାନଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯିବ । ତେଣୁ ଗ୍ରାମବାସୀ ଏବଂ ପରିବାର ସଦସ୍ୟ ମାନେ ରୋଗ ଚିହ୍ନଟ ପାଇଁ ଘରକୁ ଯାଉଥିବା ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ କୌଣସି କଥା ନ ଲୁଚାଇ ସତ କହି ସମ୍ପୂର୍ଣ ସହଯୋଗ କଲେ ଅଭିଯାନ କାର୍ଯ୍ୟକ୍ରମ ସଫଳତା ହେବା ସହ କୁଷ୍ଟ ରୋଗ-ମୁକ୍ତ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତରଗଣ ଯଥା:- ଡ଼ାଃ ସୁମନ କୁମାର ସେଠୀ , ଡ଼ାଃ ଦୀପକ କୁମାର ପ୍ରଧାନ , ଡ଼ାଃ ଲତିକା ବେହେରା , ବିଭାଗୀୟ ଜିଲ୍ଲା ସୁପରଭାଇଜର ଶ୍ରୀ ଆର କେ: ନାଇଡୁ ,ଏବଂ ଶ୍ରୀଧର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିଭଳି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ: ଶ୍ରୀ ଏମ: ଖଗେଶ୍ୱର , ବିଭାଗୀୟ ବ୍ଲକ୍ ସୁପରଭାଇଜର ଶ୍ରୀ ରାବଣା ମୂର୍ତ୍ତି , ବ୍ଲକ ଏକାଉଣ୍ଟ୍ ମ୍ୟାନେଜର ଶ୍ରୀ ଏନ: ଶ୍ରିନିଭାସୁଲୁ ଏବଂ ଏଲ ଟି: ଶ୍ରୀ ଗୋପେଶ୍ୱର ପାଣିଗ୍ରାହୀଙ୍କ ସମେତ ଆଶାକର୍ମୀ ମାନେ ଯୋଗ ଦେଇ ସହଯୋଗ କରିଥିଲେ ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————