June 21, 2026

ଜଣେ ଶିକ୍ଷୟିତ୍ରୀରେ ଚାଲିଛି ସରକାରୀ ବିଦ୍ୟାଳୟ , ପିଲାଙ୍କ ପାଠପଢା ବ୍ଯାହତ, ପ୍ରତିକାର ଦାବି 

IMG-20241107-WA0050
Share

      ବୁଗୁଡ଼ା : ତା ୦୭/୧୧/୨୪ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବି.ବ୍ରହ୍ମପୁର ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସମ୍ପ୍ରତି ପୁରାପୁରି ଭୁଷୁଡି ପଡିଥିବାର ଦେଖିବାକୁ ମିଳିଛି । ଏହି ବିଦ୍ଯାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୨ଟି ପିଲା ଜଣେ ଶିକ୍ଷୟିତ୍ରୀଙ୍କ ଦାୟିତ୍ବରେ ରହିଛନ୍ତି । ଶିକ୍ଷକ ଅଭାବରୁ ବିଦ୍ଯାଳୟର ଗୋଟିଏ କକ୍ଷରେ ପାଞ୍ଚଟି ଶ୍ରେଣୀର ପିଲାଙ୍କୁ ନେଇ ଜଣେ ଶିକ୍ଷୟିତ୍ରୀଙ୍କ ଦ୍ବାରା କଷ୍ଟେମଷ୍ଟେ କାମଚଳା ପାଠପଢା ଚାଲୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିବା ଜଣାଯାଇଛି। ପ୍ରକାଶ ଯେ, ପୂର୍ବରୁ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ପଣ୍ଡା ଓ ଜଣେ ସହକାରୀ ଶିକ୍ଷକ ଭରତ ଧାରୁଆ ପିଲାଙ୍କ ଅଧ୍ଯାପନା ଦାୟିତ୍ବରେ ରହିଥିଲେ। ତେବେ ଗତ ଜୁନ୍ ୧୮ ତାରିଖରେ ସହକାରୀ ଶିକ୍ଷକ ଜଣକ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ। ତାହା ପରଠାରୁ ସେହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ହିଁ ଅଧ୍ଯାପନା କାର୍ଯ୍ୟ କରିଆସୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ କୌଣସି କାରଣରୁ ଗତ ୪ ତାରିଖରୁ ଛୁଟିରେ ଯାଇଥିବା ବେଳେ ପଙ୍କଳସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ନିକୁଞ୍ଜ ମୋହନ ବେହେରା ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ଡେପୁଟେସନରେ ଆସି ଏବେ ସେଠାରେ ପିଲାଙ୍କୁ ପାଠ ପଢାଉଛନ୍ତି । ଶିକ୍ଷକଙ୍କ ଡେପୁଟେସନ ସମାପ୍ତ ପରେ ପୁଣି ସେହି ଜଣେ ଶିକ୍ଷୟିତ୍ରୀଙ୍କ ଦ୍ବାରା ବିଦ୍ଯାଳୟ ଚାଲିବାକୁ ଥିବାବେଳେ ଅଭିଭାବକଙ୍କୁ ପିଲାଙ୍କ ପାଠପଢା ଚିନ୍ତା ଘାରିଛି। ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ବିଦ୍ୟାଳୟର ଶିକ୍ଷକ ଅଭାବ ଜନିତ ଦୂରାବସ୍ଥା ଦୂରୀକରଣ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ନେଇ ଅଭିଭାବକ ମହଲରୁ ଦୃଢ ଦାବି ହେଉଛି।