November 15, 2024

ନିଷିଦ୍ଧ ସତ୍ତ୍ବେ ବାହାରୁ ଆମଦାନୀ ହେଉଛି ପଲିଥିନ, ଚଢଉ ନାମକୁ ମାତ୍ର..

Share

 

 

କଟକ : ରାଜ୍ୟରେ ପ୍ଲାଷ୍ଟିକ ବା ପଲିଥିନ ନିଷିଦ୍ଧ କରାଯାଇଛି । ହେଲେ ପଲିଥିନ ନିଷିଦ୍ଧ ହେବାର କିଛି ଦିନ ଯାଏ ଯଦିଓ ପଲିଥିନ କାରବାର ସାମାନ୍ୟ ହ୍ରାସ ପାଇଥିଲା ଏବେ କିନ୍ତୁ ୫୦ ମାଇକ୍ରନରୁ ଅଧିକ ମୋଟେଇ ବିଶିଷ୍ଟ ପଲିଥିନ କ୍ୟାରିବ୍ୟାଗର ବହୁଳ ବ୍ୟବହାର ସହରରେ ହେଉଥିବାର ପରିଲକ୍ଷିତ ହୋଇଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ନିଷିଦ୍ଧ ନେଇ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ଥିବା ସତ୍ବେ ଚତୁରତାର ସହିତ ଉପରୋକ୍ତ ପଲିଥିନ ବ୍ୟବହାର କରାଯାଉଛି । ଫଳରେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଭଳି ପ୍ରତୀୟମାନ ହୋଇଛି । ପଲିଥିନ ଉତ୍ପାଦନ କରୁଥିବା ୟୁନିଟ ଗୁଡିକ କ୍ୟାରିବ୍ୟାଗ ଆକୃତିରେ କୌଣସି ଉତ୍ପାଦ ବଜାରକୁ ଛାଡିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିଲେ ବି ଏହାକୁ ଉଲ୍ଲଘଂନ କରାଯାଉଛି ।

 

ସୂଚନାନୁସାରେ କଟକ ଜଗତପୁର ଓ ଖପୁରିଆ ଠାରେ କେତେକ ପଲିଥିନ ପ୍ରସ୍ତୁତ କାରଖାନାରୁ ବେଧଡକ ଉତ୍ପାଦନ ହେଉଛି । କ୍ୟାରିବ୍ୟାଗ ପାଇଁ ବ୍ୟବହାର ହେଉଥିବା ପଲିଥିନ ବାହାର ରାଜ୍ୟରୁ ଆମଦାନୀ କରାଯାଉଛି । ଏହା ଉପରେ କିନ୍ତୁ କୌଣସି ରୋକ ଲଗାଯାଇପାରିନାହିଁ । ଗୁରୁତ୍ବପୂର୍ଣ୍ଣ ଏହିକି ଯେ ବିଶେଷକରି ମାଟିରେ ସହଜରେ ମିଶିପାରୁଥିବା ପଲିଥିନ ନାଁରେ ଅନ୍ୟ ପଲିଥିନ କ୍ୟାରି ବ୍ୟାଗର କାରବାର ବେଧଡକ ଚାଲିଛି । ଯେଉଁ ସବୁ ପଲିଥିନ ବା ପ୍ଲାଷ୍ଟିକ ମାଟିରେ ସତ୍ତା ହରାଉଥିବ ବା ସଂପୂର୍ଣ୍ଣ ରୂପେ ମିଶିଯାଉଥିବ ତାହା ବି ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମାନ୍ୟତାପ୍ରାପ୍ତ ହୋଇଥିବା ଦରକାର । ସେହିପରି ପଲିଥିନ ପ୍ରସ୍ତୁତ କର୍ତ୍ତା ସଂସ୍ଥା ଗୁଡିକ ସହ ବିକ୍ରେତା ମାନେ ବି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ପ୍ରମାଣପତ୍ର ପାଇଥିବା ଆବଶ୍ୟକ । ହେଲେ ଏହାକୁ କଟକରେ ଆଦୌ ପାଳନ କରାଯାଉନାହିଁ ।

 

 

କଟକ ମହାନଗର ନିଗମର ସୂଚନାନୁସାରେ ସହରରୁ ଦୈନନ୍ଦିନ ୩୫୦ ମେଟ୍ରିକ ଟନ ଆବର୍ଜନା ବା ବର୍ଜ୍ୟ ବସ୍ତୁ ନିର୍ଗତ ହେଉଛି । ଖୋଦ ମହାନଗର ନିଗମ ମଧ୍ୟ ଏହି ଆବର୍ଜନା ମଧ୍ୟରେ ୪୦ପ୍ରତିଶତ ପଲିଥିନ ରହିଥିବା ନେଇ ସ୍ବୀକାର କରିଛି । ପଲିଥିନ ଆବର୍ଜନା ହିଁ କଟକ ସହର ଅନେକ ସମୟରେ ଜଳବନ୍ଦୀ ହେବାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । କେତେକ ପଲିଥିନ ଉତ୍ପାଦ ବିକ୍ରି କରୁଥିବା ଡିଷ୍ଟ୍ରିବୁଟର କାର୍ୟ୍ୟାନୁଷ୍ଠାନ ଭୟରେ ଏନେଇ ମୁହଁ ଖୋଲିନଥିଲେ ବି ବହୁ ପଲିଥିନ ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶରୁ ବି ଆସୁଥିବା କଥା ସ୍ବୀକାର କରୁଛନ୍ତି । ମହାନଗର ନିଗମ କର୍ତ୍ତୁପକ୍ଷ ଅଭିଯୋଗ ପାଇଲେ ଚଢଉ କରୁଥିବା କହୁଛନ୍ତି । ଯଦି ବିନା ଅନୁମତିରେ ଏହାର ବେଆଇନ ପ୍ରସ୍ତୁତ ହେଉଥାଏ ତାହେଲେ ସଂସ୍ଥା ଗୁଡିକ ଯାଞ୍ଚ କରାଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ କହିଛନ୍ତି ।