November 15, 2024

ଅବ୍ୟବସ୍ଥା ଘେରରେ ଲବା ପ୍ରାଥମିକ ସେବାଶ୍ରମ ଆସୁନାହାନ୍ତି ପ୍ରଧାନ ଶିକ୍ଷୟିତ୍ରୀ, ପିଲାଙ୍କୁ ମିଳୁନି ଆନୁଷଙ୍ଗିକ ସୁବିଧା

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଅନୁସୂଚିତ ଜାତି ଓ ଜନଜାତି ର ଛାତ୍ରଛାତ୍ରୀ ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ର ବିକାଶ ପାଇଁ ସରକାରଙ୍କ ବହୁ ସାରା ଯୋଜନା ରହିଛି । ଏଥିପାଇଁ ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ରହିଛି । ବିଭାଗ ର ଅପାରଗତା ଯୋଗୁଁ ଏହିସବୁ ଯୋଜନା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରେ ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ବିଶେଷ କରି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ସେବାଶ୍ରମ ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । କେଉଁଠି ଛାତ୍ରଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ଠିକ ସେ ମିଳୁନାହିଁ ତ ଆଉ କେଉଁଠି ଶିକ୍ଷାଦାନ, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି । ଯାହାର କୁପରିନାମ ଭୋଗୁଛନ୍ତି ଆଦିବାସୀ ଛାତ୍ରଛାତ୍ରୀ ।

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଲବା ଗ୍ରାମରେ ଥିବା ପ୍ରାଥମିକ ସେବାଶ୍ରମ ରେ ଏବେ ଦେଖାଯାଇଛି ବ୍ୟାପକ ଅବ୍ୟବସ୍ଥା । ଏଠାରେ ନିୟୋଜିତ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସପ୍ତାହରେ ଥରେ ବିଦ୍ୟାଳୟ କୁ ଆସନ୍ତି ଓ ପିଲାଙ୍କୁ କୌଣସି ଶିକ୍ଷାଦାନ କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିଭଳି ମଧ୍ୟାହ୍ନ ଭୋଜନ, ପୋଷାକ ପତ୍ର ଏସବୁ ମଧ୍ୟ ସଠିକ ଭାବରେ ପିଲାଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲିବା ନିୟମ ରହିଥିବା ବେଳେ ଅପରାହ୍ନ ୩ ଟା କିମ୍ବା ସାଢ଼େ ୩ ଟା ରେ ବିଦ୍ୟାଳୟ ଛୁଟି କରି ଦିଆଯାଉଛି । ପିଲାଙ୍କ ଦେଖାଶୁଣା କରିବାକୁ କୌଣସି କର୍ମଚାରୀ ନ ରହିବା ଫଳରେ ପିଲାମାନେ ଇତସ୍ତତଃ ବୁଲୁଥିବା, ଖେଳୁଥିବା ଦେଖିବାକୁ ମିଳିଛି ।

ତମାମ ସମସ୍ୟା ସମ୍ପର୍କରେ ଆମ ପ୍ରତିନିଧି ସୁରେନ୍ଦ୍ର ମହାନ୍ତି ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ନ ଥିବାରୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତେବେ ସେ ଛୁଟି ରେ ଅଛନ୍ତି ଏସବୁ ଜାଣି ନ ଥିବା ଓ ଅନ୍ୟ କର୍ମଚାରୀ ଙ୍କ ସହ ଆଲୋଚନା କରିବି ବୋଲି କହିଥିଲେ । ସେହିଭଳି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କୁ ଅବଗତ କରାଇବାରୁ ପ୍ରଧାନ ଶିକ୍ଷୟିତ୍ରୀ ଛୁଟି ରେ ଅଛନ୍ତି କି ନାହିଁ ସେ ଜାଣି ନ ଥିବା କହିଥିଲେ । ଏଥିରୁ ସ୍ପଷ୍ଟ ହୋଇଛି କି ଭଗବାନ ଙ୍କ ଭରସାରେ କଲ୍ୟାଣ ବିଭାଗ ପରିଚାଳିତ ହେଉଛି । ଆଦିବାସୀ ଙ୍କ ବିକାଶ ଓ ଉନ୍ନତି କେବଳ ଯୋଜନା ରେ ସୀମିତ ରହିଯାଇଛି ।