October 5, 2024

ନବରଙ୍ଗପୁର ଜିଲ୍ଲା ରେ “ନାରୀଶକ୍ତି” ର ଗ୍ରାମ୍ୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ..

Share

ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲାର ମହିଳା ସଂଗଠନ ନାରୀଶକ୍ତି ଆନୁକୁଲ୍ୟରେ ଓ “ସଖୀ” ରାଜ୍ୟ ସହାୟିକା କେନ୍ଦ୍ର ଓ ପରିବର୍ତ୍ତନ ଫାଉଣ୍ଡେସନ ର ମିଳିତ ସହଯୋଗରେ ନବରଙ୍ଗପୁରର ୧୫ ନମ୍ବର ୱାର୍ଡ ଟାଆକାରିଆଗୁଡା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନାରୀଶକ୍ତି ର ବରିଷ୍ଠ ସଦସ୍ୟା ,ତଥା ଉପଦେଷ୍ଟା ମନୋରମା ମାଝୀ ଯୋଗଦେଇ ଶିଶୁ ମାନଙ୍କ ଶିକ୍ଷା ଅଧିକାର ଆଇନ, ଅଧାରୁ ପାଠ ଛାଡ଼ିବା, ପୁଅ ଓ ଝିଅ ମାନଂକ ଉଚିତ ବିବାହ ବୟସ, ବାଲ୍ୟ ବିବାହ ର ସମସ୍ୟା ଓ ଉଚ୍ଛେଦ, ଲିଙ୍ଗଗତ ବୈଷମ୍ୟ, ଯୌତୁକ ନିର୍ଯ୍ୟାତନା, ଘରୋଇ ହିଂସା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ। ସଂଗଠନର ସମ୍ପାଦିକା ଆଇନଜୀବୀ କିଶୋରୀ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାର ସଦରମହକୁମା ଡାକ୍ତରଖାନା ପରିସରରେ ଥିବା “ସଖି” ରାଜ୍ୟ ସହାୟିକା କେନ୍ଦ୍ରର ଭୁମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି କେନ୍ଦ୍ର ଜରିଆରେ ଗୋଟିଏ ଛାତ ତଳେ ସମସ୍ତଙ୍କୁ ଆଇନ ସେବା ଓ ପରାମର୍ଶ, ପୋଲିସ ସହାୟତା, ଡାକ୍ତରଖାନାର ସ୍ୱାସ୍ଥ୍ୟ ସେବା ଇତ୍ୟାଦି ମିଳୁଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ପରିବର୍ତ୍ତନ ଫାଉଣ୍ଡେସନ ର ଅଧ୍ୟକ୍ଷ ନିନି ବାବୁ ତ୍ରିପାଠୀ ଯୋଗଦେଇ ଶିକ୍ଷା ହିଁ ପ୍ରଗତି ର ମୂଳ ଉତ୍ସ ବୋଲି କହିବା ସହ ଯେତେବେଳେ ମଧ୍ୟ ଯେକୌଣସି ରୋଗୀ ଙ୍କୁ ରକ୍ତର ଆବଶ୍ୟକ ହୁଏ ପରିବର୍ତ୍ତନ ଫାଉଣ୍ଡେସନ କୁ ଯୋଗାଯୋଗ କରନ୍ତୁ ବୋଲି କହିଥିଲେ। ନାରୀଶକ୍ତି ର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପଟ୍ଟନାୟକ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଆଲୋଚନା କରିବା ସ଼ହ ସ୍ୱଚ୍ଛତା ହିଁ ଜୀବନ ର ପ୍ରାଣକେନ୍ଦ୍ର ବୋଲି କହିଥିଲେ। ଉପାଧ୍ୟକ୍ଷା ଶର୍ମିଷ୍ଠା ଦେଓ ଦାମ୍ପତ୍ୟ ଜୀବନ ସୁଖମୟ ହେଲେ ପରିବାରର ଶିଶୁ ନିଜର ସମସ୍ତ ନ୍ୟାର୍ଯ୍ୟ ଅଧିକାର ପାଇବ ବୋଲି କହିବା ସହ ସମସ୍ତଙ୍କୁ ନିଶା ଓ ପଶାରୁ ମୁକ୍ତ ରହିବାକୁ ପରାମର୍ଶ ଦେଇଥିଲେ। କାଉନସିଲର ସୋମେଶ ଖରା ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ଓ ଏଭଳି କାର୍ଯ୍ୟକ୍ରମ ପ୍ରତି ମାସରେ ଆୟୋଜନ କରିବା ପାଇଁ ମତ ରଖିଥିଲେ। କାର୍ଯ୍ୟକାରିଣୀ ସଦସ୍ୟା ସୋମା ଅହମ୍ମଦ କିଶୋରୀ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ। କୋଷାଧ୍ୟକ୍ଷା ସୋଫିଆ ବେଗମ ଧନ୍ୟବାଦ ଅର୍ପଣ କରିଥିଲେ।