September 29, 2024

ବେଦାନ୍ତ ମୁଖ୍ୟ ଫାଟକରେ ଧାରଣା ଦେଲେ ଦୁଇ ଗ୍ରାମବାସୀ 

Share

      ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଆଜି ସକାଳ ଭୋର ପାଞ୍ଚଟାରୁ ବେଦାନ୍ତ କମ୍ପାନୀର ମୁଖ୍ୟ ଫାଟକରେ ବିଭିନ୍ନ ଦାବୀ ନେଇ ଵୁଣ୍ଡେଲ ଏବଂ ଛତ୍ରପୁର ଗ୍ରାମର ଲୋକେ ଧାରଣାରେ ବସିଥିଲେ l ଗତ ଚଉଦ ତାରିଖରେ ବେଦାନ୍ତ କମ୍ପାନୀର ରେଡ଼ମଡ଼ ପଣ୍ଡର ବନ୍ଧ ଭାଙ୍ଗି ସେଥିରେ ଥିବା କଷ୍ଟିକ ଏସିଡ଼ ଯୁକ୍ତ ବିଷାକ୍ତ ଜଳ ପ୍ରବଳ ବେଗରେ ବିଭିନ୍ନ ଗ୍ରାମ ଏବଂ ଚାଷ ଜମିରେ ମାଡ଼ି ଯାଇ ପ୍ରଭୂତ କ୍ଷତି କରିଥିଲା l ନିକଟରେ ଥିବା ବଂଶଧାରା ନଦୀରେ ମଧ୍ୟ ସେହି ବିଷାକ୍ତ ଜଳ ପ୍ରବାହିତ ହୋଇଥିଲା l ଗ୍ରାମ ମଧ୍ୟରେ ସେହି ଲାଲ ଜଳ ଯାଇ ଘର ଭିତରେ ପଶିବା ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଵୁଣ୍ଡେଲ, ବାତେଲିମା, ଛତ୍ରପୁର, ନିଆଳି, ଡଙ୍ଗିଝୋଲା ପ୍ରଭୃତି ଗ୍ରାମ ସହିତ ବଂଶଧାରା ଅବବାହିକାରେ ଥିବା ଗୁଡାରୀ,ଗୁଣୁପୁର ଏବଂ କାଶୀନଗର ଅଞ୍ଚଳର ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ l ଏହି ଲାଲ ବିଷାକ୍ତ ଜଳ ନଦୀରେ ମିଶିବା ଯୋଗୁଁ ମାଛ ପ୍ରଭୃତି ଲକ୍ଷ ଲକ୍ଷ ଜଳଜୀବ ମୃତ୍ୟୁ ମୁଖରେ ପଡିଲେ l ନଦୀରେ ଗାଧୋଇବା ଲୋକଙ୍କର ଶରୀର କୁଣ୍ଡାଇ ହୋଇ ଫୋଟକା ସବୁ ହୋଇଗଲା l ଏ ପର୍ଯ୍ୟନ୍ତ ସେହି ଲାଲ ପଙ୍କର ବନ୍ଧର ମରାମତି ହୋଇନାହିଁ l

ଆଜିର ଧାରଣା ରେ ବସିଥିବା ଲୋକଙ୍କ ଦାବି ହେଲା – ଘର ଭିତରେ ପାଣି ପଶି ଘରେ ଥିବା ଖାଦ୍ୟ ଶସ୍ୟ ସହିତ ଅନେକ ଆସବାବପତ୍ର ନଷ୍ଟ ହୋଇଛି ଏବଂ କେତେକ ଘର ଭାଙ୍ଗି ଯାଇଛି, ତାର କ୍ଷତିପୂରଣ ଦିଆଯାଉ l ଲାଲପାଣି ମାଡିଯାଇ ଜମିରେ ଥିବା ଫସଲ ସବୁ ନଷ୍ଟ ହୋଇଛି, ତାର ଉପଯୁକ୍ତ ମୂଲ୍ୟ ଦିଆଯାଉ l ବେଦାନ୍ତ କମ୍ପାନୀ ଫସଲ କ୍ଷତିର ଯେଉଁ ମୂଲ୍ୟ ଦେବାକୁ ଚାହୁଁଛି, ସେଥିରେ କ୍ଷତିଗ୍ରସ୍ତ ଲୋକେ ରାଜି ନୁହନ୍ତି l ତାଛଡ଼ା ନଦୀର ବିଷାକ୍ତ ଜଳ ବ୍ୟବହାର କରି ଅନେକ ଲୋକ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କର ଚିକିତ୍ସାର ସୁବନ୍ଦୋବସ୍ତ କରାଯାଉ l ଯଦି କମ୍ପାନୀ ଶୀଘ୍ର ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନ ନିଏ, ତାହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ l

ଧାରଣାରେ ବସିବାର ଦୀର୍ଘ ଛ’ ଘଣ୍ଟା ପରେ ବେଦାନ୍ତ କମ୍ପାନୀର ଏଚ ଆର ବିଭାଗର ବିଭୁ ପଣ୍ଡା ଆସି ଲୋକଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସମସ୍ୟାର ଶୀଘ୍ର ସମାଧାନର ପ୍ରତିଶୃତି ଦେବା ପରେ ଲୋଜେ ଧାରଣାରୁ ଓହରି ଥିଲେ l ପ୍ରକାଶ ଥାଉକି, ଖୁବ ଶୀଘ୍ର ଆଉ ଏକ ଆନ୍ଦୋଳନ ହେବାକୁ ଯାଉଛି l ବଂଶଧାରା ତଟବର୍ତ୍ତୀ ଲୋକେ ଯେଉଁମାନେ ଏଇ ବିଷାକ୍ତ ନଦୀ ଜଳ ଦ୍ୱାରା ପ୍ରଭାବିତ ଏବଂ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନେ ବେଦାନ୍ତ ନିକଟରେ ଧାରଣା ଦେବେ l ଯେ ପର୍ଯ୍ୟନ୍ତ ବେଦାନ୍ତ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଗେଇ ନ ଆସିଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର

You may have missed