November 26, 2024

ଉତ୍କଳ ଆଲୁମିନା ତଥା ବାଫିଲିମାଳି ଖଣି ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକମାନଙ୍କୁ କମ୍ପାନୀର ଶୋଷଣ, ସର୍ବନିମ୍ନ ମଜୁରୀ ଲାଗୁ କରିବା ତଥା ଛଟେଇ ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବିରେ ଶ୍ରମିକମାନଙ୍କ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା..

Share

ରାୟଗଡା -(06/09/24) ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁ ଦ୍ୱାରା ଅନୁବନ୍ଧିତ ପ୍ରଗତିଶୀଳ ଶ୍ରମିକ ସଙ୍ଘର ଡାକରାରେ ଉତ୍କଳ ଆଲୁମିନା କମ୍ପାନୀ ଓ ତା’ର ବକ୍ସାଇଟ ଖଣିରେ କାର୍ଯ୍ୟରତ ଶହ ଶହ ଶ୍ରମିକ ନିଜର ଦଶଦଫା ଦାବିକୁ ନେଇ ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ I ଉଲ୍ଲେଖଯୋଗ୍ୟ ଯେ ଉତ୍କଳ ଅଲିମିନା ଦୋରାଗୁଡା ଓ ବାଫିଲିମାଳି ଖଣି ଓ ବିଭିନ୍ନ ସିଏସଆର ପାଣ୍ଠି ବିନିଯୋଗ ପ୍ରକଳ୍ପ ଆଦିରେ ଶତାଧିକ ଶ୍ରମିକ ଦୀର୍ଘଦିନ ହେବ କାର୍ଯ୍ୟ କରୁଥିବା ବେଳେ,ଏହି ଶ୍ରମିକମାନଙ୍କୁ ରାଜ୍ୟ ଓ କେନ୍ଦ୍ରୀୟ ହାରରେ ସର୍ବନିମ୍ନ ମଜୁରୀ ମଧ୍ୟ ପ୍ରଦାନ ନକରିବା, ଦାବୀ ଉଠାଇଲେ ବିନା କାରଣରେ ଛଟେଇ କରିବା, ଆଧାର କାର୍ଡରେ ଭୂଲ ବୟସର ଉଲ୍ଲେଖକୁ ନେଇ ୧୫ ଜଣ ମହିଳା ଶ୍ରମିକଙ୍କୁ ବିଭିନ୍ନ ଠିକା ସଂସ୍ଥା ଦ୍ୱାରା ଛଟେଇ କରାଯାଇଛି I କମ୍ପାନୀ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର 10 ଦଫା ଦାବୀ ଦିଆଯାଇଥିଲେ ମଧ୍ୟ ତାହା ପୂରଣ କରିବା ବଦଳରେ କୌଣସି ଆଲୋଚନା ମଧ୍ୟ କରାଯାଇ ନାହିଁ । ଏହାକୁ ନେଇ ଗତ ଦୁଇମାସ ତଳେ ଖଣି ଅଞ୍ଚଳରେ କାର୍ଯ୍ୟାବନ୍ଦ ଆନ୍ଦୋଳନ ହୋଇଥିବା ବେଳେ କମ୍ପାନୀ ଓ ପ୍ରଶାସନର ମିଳିତ ହସ୍ତକ୍ଷେପରେ ଦାବିପୂରଣ ପାଇଁ ଦୁଇମାସର ମହଲତ ଦିଆଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଠିକା ସଂସ୍ଥା ମାନଙ୍କ ଦ୍ୱାରା ଆକ୍ରୋଶ ମୂଳକ ଭାବେ ଶ୍ରମିକ ସଙ୍ଘର ନେତୃତ୍ୱ ନେଉଥିବା ସାତ ଜଣ ଶ୍ରମିକଙ୍କୁ କାର୍ଯ୍ୟରୁ ବାହାରେ ରଖିଛନ୍ତି I

କମ୍ପାନୀ ଓ ଖଣି ପାଇଁ ଆଞ୍ଚଳର ଲୋକମାନେ ନିଜ ଭିଟାମାଟି ଛାଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ବଦଳରେ କମ୍ପାନୀ ବିଭିନ୍ନ ଠିକା ସଂସ୍ଥା ଜରିଆରେ ଅସ୍ଥାୟୀ ଭାବେ କମ୍ ମଜୁରୀରେ ବର୍ଷ ବର୍ଷ ଧରି ଖଟାଉଛି । ବର୍ଷ ବର୍ଷ ଧରି କାମ କରୁଥିବା ସତ୍ତ୍ୱେ ଶ୍ରମିକମାନଙ୍କ ଦରମା ବଢୁନି କି ଅନେକ ଶ୍ରମିକଙ୍କୁ ସରକାରଙ୍କ ଦ୍ଵାରା ଘୋଷିତ ସର୍ବନିମ୍ନ ମଜୁରୀ ବି ମିଳୁନାହିଁ I ଅନେକ ଶ୍ରମିକ ଇପିଏଫ୍ ଇଏସଆଇ ଓ ଅନ୍ୟାନ୍ୟ ଶ୍ରମ ଅଧିକାରରୁ ବଞ୍ଚିତ ରହିଛନ୍ତି । କମ୍ପାନୀର ସିଏସଆର ପାଣ୍ଠିର ସଠିକ ବିନିଯୋଗ ହେଉ ନଥିବା ବେଳେ, ଖଣି ଓ କମ୍ପାନୀରେ କାମ କରୁଥିବା କିଛି ହାତ ଗଣତି ଶିକ୍ଷିତ ଯୁବକଙ୍କୁ କେବଳ ଠିକା ସଂସ୍ଥା ଅଧୀନରେ ଦୀର୍ଘଦିନ ହେବ ଅସ୍ଥାୟୀ ଭାବେ କାର୍ଯ୍ୟ କରାଇ ଆସୁଛନ୍ତି । ସେମାନଙ୍କୁ ଅଭିଜ୍ଞତା ଓ ଦକ୍ଷତା ଭିତ୍ତିରେ ପଦୋନ୍ନତି ମିଳୁନାହିଁ କିମ୍ଭା କମ୍ପାନୀର କୌଣସି ସୁବିଧା ପାଇପାରୁ ନାଁହାନ୍ତି I ଏପରିକି ଶ୍ରମ ଆଇନ ଅନୁସାରେ କର୍ମଚାରୀମାନଙ୍କୁ ମାସିକ ସବେତୈନିକ ଛୁଟି ଓ ମହିଳା କର୍ମଚାରୀଙ୍କୁ ମାତୃତ୍ୱ କାଳୀନ ଛୁଟି ମଧ୍ୟ ପ୍ରଦାନ କରାଯାଉନାହିଁ I ପୂର୍ବରୁ ଅନେକ ଙ୍କ ନାମ ରେ କମ୍ପାନୀ ତରଫରୁ ମିଥ୍ୟା ମାମଲା ଲଗାଇ କାର୍ଯ୍ୟରୁ ବାହାରେ ରଖିଛନ୍ତି ଯାହା ଅଞ୍ଚଳରେ କମ୍ପାନୀର ମନୋମୁଖୀ କାର୍ଯ୍ୟକୁ ପଦାରେ ପକାଉଛି I ଏହାକୁ ନେଇ ଜିଲ୍ଲା ଶ୍ରମ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ବେଳେ କମ୍ପାନୀ ସପକ୍ଷରେ ବିଭିନ୍ନ ବାହାନା ଦେଖାଇ ମାମଲାକୁ ଗଡ଼ାଇ ଚାଲିଛି I

ଆଜିର ଏହି ଗଣଧାରଣା ପରେ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଦ୍ୱାରା ସଙ୍ଘର ପ୍ରତିନିଧିମାନଙ୍କ ସହ ଆଲୋଚନା ପ୍ରକାରେ ସମସ୍ତ ଦାବୀକୁ ପୂରଣ କରିବାକୁ ପ୍ରତିଶୃତି ଦେଇଛନ୍ତି I ଏଥିସହିତ ଆଲୋଚନା ପାଇଁ କମ୍ପାନୀ ତରଫରୁ କୌଣସି ସହଯୋଗ ମିଳୁନଥିବାରୁ ସଙ୍ଘକୁ ଛଟେଇ ଓ ନିଯୁକ୍ତ କର୍ମଚାରୀମାନଙ୍କର ସବିଶେଷ ତଥ୍ୟ ମାଗିବା ସହିତ ତ୍ୱରିତ ଉପାୟରେ ଏହାକୁ ହସ୍ତକ୍ଷେପ କରି ସମସ୍ତ ଦାବୀକୁ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି କହିଛନ୍ତି I

ଫଳରେ ସଙ୍ଘ ତରଫରୁ ଆସନ୍ତା ସପ୍ତାହ ଭିତରେ ଆଲୋଚନା ମାଧ୍ୟମରେ କିଛି ନିର୍ଯାସ ନ ବାହାରିଲେ ପୁଣି କାର୍ଯ୍ୟାବନ୍ଦ ଆନ୍ଦୋଳନ କରାଯିବ ବୋଲି ସଙ୍ଘର ଉପଦେଷ୍ଟା ତଥା ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ମତ ରଖିଛନ୍ତି I ଆଇଏଫଟିୟୁର ରାଜ୍ୟ ସମ୍ପାଦକ ଅଗେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ କମ୍ପାନୀର କର୍ମଚାରୀ ମାରଣ ନୀତି ଓ ଜିଲ୍ଲା ପ୍ରଶାସନର ଆନ୍ଦୋଳନ ଦମନ ନୀତିକୁ ବିରୋଧ କରିଥିଲେ I ଅନ୍ୟମାନଙ୍କ ସଙ୍ଘର ସଭାପତି ଧନେଶ୍ୱର ନାୟକ,ମଧ୍ୟରେ ସଙ୍ଘର ସମ୍ପାଦକ କାମଦେବ ନାୟକ, ଦିଗାମ୍ବର ବାଘ, ରମେଶ ନାୟକ, ଲକ୍ଷ୍ମଣ ନାୟକ, ବଳରାମ ନାୟକ, ଲିଆବତୀ ନାୟକ, ନବୀନ ବାଗ, କତାମଣି ନାୟକ, ପ୍ରଭୁଦାନ ନାୟକ, ରଙ୍ଗିଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.