ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ବୁଗୁଡା ବ୍ଲକ : ତା ୨୫//୦୮/୨୪ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଶ୍ରୀକର ଭଞ୍ଜ କ୍ରୀଡା ଓ ସାଂସ୍କୃତିକ ପରିଷଦ ପକ୍ଷରୁ ତୃତୀୟ ଥର ପାଇଁ ଆୟୋଜିତ ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା କବାଡି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ପରିଷଦର ସଭାପତି ଡଃ. ସୁବାସ ଚନ୍ଦ୍ର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲା ବେଳେ ଏଥିରେ ମୁଖ୍ୟ ବକ୍ତା ଭାବେ କେ.ପ୍ରିୟଦର୍ଶିନୀ ଆଚାରୀ , ସମ୍ମାନିତ ଅତିଥି ଭାବେ ବୁଗୁଡା ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ବ୍ଲକ୍ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଯୁବ ସାମାଜିକ କର୍ମୀ ଜଗନ୍ନାଥ ବଢେଇ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ନିୟମାନୁସାରେ ଶାନ୍ତି ଶୃଙ୍ଖଳାର ସହ ଉତ୍ତମ କ୍ରୀଡା ପ୍ରଦର୍ଶନର ଆଶାବ୍ଯକ୍ତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ୧୬ଟି ଦଳ ଓ ମହିଳା ବର୍ଗରେ ୭ଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଦଘାଟନୀ ମ୍ୟାଚଟି ପୁରୁଷ ବର୍ଗର ହିଞ୍ଜିଳିକାଟୁ ଓ ବାଲିପଦର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରେଫେରି ଏମ୍. ଶ୍ରୀନିବାସ ଦୋରା , ଅଂଶୁମାନ ବିଷୋୟୀ, ଭଞ୍ଜ କିଶୋର ଗୌଡ ଓ ହରିହର ବିଶ୍ବାଳ ମ୍ଯାଚଗୁଡିକୁ ପରିଚାଳନା କରିଥିବା ବେଳେ ରାମେଶ୍ଵର କହଁର ଓ ଲିପୁନା ପ୍ରଧାନ ସ୍କୋରର ଭାବେ ଏବଂ ତନିଷ୍କା ମନସ୍ବିନୀ ସାହୁ ଓ ଉର୍ମିଳା ସାହୁ ଲାଇନ୍ସ ମ୍ଯାନ୍ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ପରିଷଦ ସମ୍ପାଦକ ଅନିଲ କୁମାର ପଟ୍ଟନାୟକ ପରିଚାଳନା କରୁଥିବା ବେଳେ ଏଥିରେ ସହସମ୍ପାଦକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକଙ୍କ ସମେତ ପ୍ରକାଶ ମହାରଥା , ଜଗନ୍ନାଥ ମହାନ୍ତି , ଅଲେଖ ସେଠୀ ଓ ଦିପକ ସାହୁ ପ୍ରମୁଖ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା । ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡିକୁ ବହୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।