November 15, 2024

ବର୍ଷାରେ ବେହାଲ ଗୁଣୁପୁର ସହର  ଅଘୋଷିତ ବିଜୁଳି କାଟ ବୋଝ ଉପରେ ନଳିତା ବିଡା 

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଆଜି ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଫଳରେ ସହରରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗଳି ରେ ଡ୍ରେନେଜ ବ୍ୟବସ୍ଥା ନ ଥିବା, ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା, ରାସ୍ତା ନିର୍ମାଣ ଚାଲୁ ରହିଥିବା କାରଣରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମି ରହିଥିଲା । ଫଳରେ ପ୍ରାୟ ସମୟ ଧରି ଲୋକେ ଜଳବନ୍ଦୀ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ସ୍କୁଲ, କଲେଜ ଓ ଟିଉସନ ଯାଉଥିବା ଛାତ୍ରଛାତ୍ରୀ ମାନେ ଏଥିଯୋଗୁଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନୀଳାଦ୍ରି ବିହାର, ବଳରାମ ନଗର ଅଞ୍ଚଳ ର ବିଭିନ୍ନ ଗଳି,ବାଇପାସ ଛକ ପ୍ରଭୃତି ସ୍ଥାନରେ ପାଣି ଜମି ରହିଥିଲା । ମୁଖ୍ୟ ରାସ୍ତା ଉପରେ ପାଣି ଜମି ରହିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଆଉ କେତେକ ସ୍ଥାନରେ ନର୍ଦ୍ଧମା ଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଗାଁ ଗହଳିରେ ମଧ୍ୟ ପକ୍କା ରାସ୍ତା ନ ଥିବାରୁ ମାଟି ଧୋଇ ହୋଇ ବିରାଟ ବିରାଟ ଖାଲ ଖମା ସୃଷ୍ଟି ହୋଇଛି । ଗ୍ରାମାଞ୍ଚଳରେ ସ୍ଥିତି ଆହୁରି ବିପଦ ଜନକ ପରିସ୍ଥିତି । ତେବେ ଲଘୁଚାପ ପ୍ରଭାବରେ ଆଗକୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ତେଣୁ ଏଥିପ୍ରତି ସଜାଗ ହେବାକୁ ଦାବୀ ହେଉଛି । ଗ୍ରାମାଞ୍ଚଳରେ ପଞ୍ଚାୟତ କିମ୍ବା ବ୍ଲକ୍ ସ୍ତରରେ ପ୍ରତ୍ୟେକ ସାହି କୁ ପକ୍କା ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଅନ୍ୟ ପକ୍ଷରେ ସମ୍ପ୍ରତି ପରିସ୍ଥିତି ରେ ବିଜୁଳି ବିଭାଗ ଦାଉ ସାଧୁଛି । ଗ୍ରାମାଞ୍ଚଳରେ ମନ ଇଚ୍ଛା ଦିନରାତି ଅଘୋଷିତ ବିଜୁଳି କାଟ କରାଯାଉଛି । ବର୍ଷା ଯୋଗୁଁ ମଶା, ମାଛି, ସରୀସୃପ ବୃଦ୍ଧି ପାଇଥିବା ବେଳେ ଗୁଣୁପୁର ଟାଟା ପାୱାର ର ଦାୟିତ୍ବହୀନତା ବୋଝ ଉପରେ ନଳିତା ବିଡା ସଦୃଶ ହେଇଛି । ଏଥିପାଇଁ ଜନ ଅସନ୍ତୋଷ ଦେଖାଦେଇଛି ।