May 14, 2026

ଗଜପତି:- ଜୀବା ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ , ସୁରକ୍ଷା , ଯତ୍ନ ଓ ବାଧ୍ୟତା ଶିକ୍ଷା ଅଧିକାର ଅଧିନିୟମ ଉପରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

IMG-20240726-WA0024
Share

 

ଗଜପତି ଜିଲ୍ଲାର ଆକାଂକ୍ଷା ବ୍ଲକ୍ ଭାବେ ପରିଚିତ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ୍ । ଏହି ଆକାଂକ୍ଷା ବ୍ଲକରେ ସାକ୍ଷରତା ହାର କମ୍ ଥିବା ବେଳେ ଏଠାରେ ଅଧାରୁ ପାଠପଢ଼ା ଛାଡୁଥିବା ପିଲା ମଧ୍ୟ ରହିଥିବା ସହ ଏଠାରେ ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନର ଆବଶ୍ୟକତା ରହିଛି ।

ଏସବୁକୁ ଦୃଷ୍ଟିରେ ରଖି ଆଜି ଏହି ଆକାଂକ୍ଷା ବ୍ଲକ୍ ଗୁମ୍ମା ଅନ୍ତର୍ଗତ ଜୀବା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଏବଂ ଗଜପତି ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କିଶୋର ନ୍ୟାୟ , ଶିଶୁ ସୁରକ୍ଷା ଓ ଯତ୍ନ ସମେତ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ମୀନାକ୍ଷୀ ପାଢ଼ୀ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ମୁଖ୍ୟଅତିଥି ଭାବେ ଯୋଗଦେଇ କିଶୋର ନ୍ୟା ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମର ବିଭିନ୍ନ ଦିଗ ଉପରେ କହିଥିଲେ ।

ଅନ୍ୟ ପକ୍ଷରେ ଛୋଟ ଛୋଟ ପିଲାମାନେ ଅପରାଧରେ ସଂଶ୍ଲିଷ୍ଟ ଥିଲେ ସେମାନଙ୍କ ଦଣ୍ଡବିଧାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଯଥା:- ଜୁଭେନାଇଲ ଜଷ୍ଟିସ ବୋର୍ଡ ସହ ସ୍ଵତନ୍ତ୍ର ଶିଶୁ କୋଡର ବ୍ୟବସ୍ଥା ରହିଛି ରହିଛି । ଏଥି ସହ ଭିକ୍ଟିମ କ୍ଷତିପୂରଣ ବ୍ୟବସ୍ଥା , ମାଗଣା ଆଇନ ସହାୟତା ଓ ପାରାଲିଗାଲ ଭଲୁଣ୍ଟିଅର୍ ପ୍ରଭୃତି ଉପରେ କହି ପିଲାମାନେ ଭଲ ପାଠ ପଢି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ଶିଶୁ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଅଧିକାର ଏବଂ ସରକାରୀ ଯୋଜନା ସମ୍ପର୍କରେ କହି ଜିଲ୍ଲାରେ ପ୍ରତି ସମୟରେ ଝିଅ ମାନଙ୍କ ସୁରକ୍ଷା ହେଉଛି ଆମପାଇଁ ଏକ ବଡ଼ ଆହ୍ବାନ । ଅଘଟଣ ସମୟରେ ଝିଅ ମାନେ ନିଜକୁ କିଭଳି ସୁରକ୍ଷିତ ରଖିବେ ଏବଂ କେଉଁ ଉପାୟ ଅବଲମ୍ବନ କରିବେ ସେ ସମ୍ପର୍କରେ କହି ଶିଶୁ ମାନଙ୍କ ଶିକ୍ଷା ଅଧିକାରକୁ କିଭଳି ସମସ୍ତଙ୍କ ଦ୍ଵାରା ସୁନିଶ୍ଚିତ କରିହେବ ସେ ସବୁର ବିଭିନ୍ନ ଦିଗ ଉପରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଥାନାର ପୋଲିସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ବେସରା , ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବରିଷ୍ଠ ସଭ୍ୟା ମମତା ରାଣୀ ଶତପଥୀ ଏବଂ ବରିଷ୍ଟ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ହୋଇ ଶିଶୁ ସୁରକ୍ଷା ଓ ଯତ୍ନ ସମେତ ବାଧ୍ୟତାମୂଳକ ଶିକ୍ଷା ଅଧିକାର ସମ୍ପର୍କରେ କହିଥିଲେ ।

ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ବିମଳ ରାଉଳ , ମଞ୍ଚାସିନ ଅତିଥି ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବିଦ୍ୟାଳୟ ପରିସରରେ ଗଙ୍ଗଶିଉଳି ଚାରା ରୋପଣ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ ର କର୍ମଚାରୀ ଏବଂ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

————————————————