May 14, 2026

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପିପଳପଙ୍କା ପ୍ରକଳ୍ପ ପ୍ରତ୍ୟାହାର ହେଉ ମୁଖ୍ୟମନ୍ତ୍ରୀଙ୍କୁ ଋଷିକୂଲ୍ୟା ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି

IMG-20240701-WA0013
Share

ବ୍ରହ୍ମପୁର— ଗଞ୍ଜାମ ଜୀବନଧାରା ଭାବେ ବିବେଚିତ ହେଉଥିବା ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ପିପଳପଙ୍କା ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଋଷିକୂଲ୍ୟା ନଦୀର ଅସ୍ତିତ୍ଵ ବିପଦରେ ପଡ଼ିବ। ଏହା ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଜନ ସାଧାରଣ ଏହା ଦ୍ବାରା ପ୍ରଭାବିତ ହେବେ । ତେଣୁ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରନ୍ତୁ ବୋଲି ଋଷିକୂଲ୍ୟା ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଏକ ଲିଖିତ ନିବେଦନ କରିଛି । ଏହି ପରିପ୍ରେକ୍ଷୀରେ ଏକ ସମାବେଶ ଆୟୋଜନ କରି କମିଟି ଏହି ନିଷ୍ପତ୍ତି ନେଇଛି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ନିବେଦନରେ କମିଟି ଉଲ୍ଲେଖ କରିଛି ଯେ ଗତ 1996 ମସିହାରେ ରାଜ୍ୟରେ କଂଗ୍ରେସ ଶାସନ କାଳରେ ଏହି ପ୍ରକଳ୍ପ ଙ୍କ୍ତିର୍ମାଣ ପ୍ରସ୍ତାବକୁ ବିଭିନ୍ନ ଗଣ ସଂଗଠନ ଏବଂ ଅଞ୍ଚଳ ବାସିନ୍ଦା ବିରୋଧ କରିଥିଲେ । କାରଣ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ସମ୍ପ୍ରତି ଋଷିକୂଲ୍ୟା ନଦୀରେ ଜଳସ୍ରୋତ କମିବା ସହ ଏହାର ସମସ୍ତ ଶାଖା ନଦୀମାନଙ୍କରେ ଉପର ମୁଣ୍ଡ ତଥା ଉତ୍ପତ୍ତି ସ୍ଥଳରେ ଛୋଟ, ବଡ଼ ଡ୍ୟାମ ନିର୍ମାଣ ହୋଇସାରିଛି । ଫଳରେ ବର୍ଷା ଦିନ ଛଡ଼ା ଅନ୍ୟ ଦିନରେ ସେହି ଶାଖା ନଦୀ ଗୁଡ଼ିକରେ ମୂଳ ଉତ୍ସରୁ ଋଷିକୂଲ୍ୟାକୁ ଜଳ ଆସୁନାହିଁ । ନଦୀର ଦୁଇଟି ମୂଳସ୍ରୋତ ଅଡ଼ଙ୍ଗୀ ନାଳ ଓ ଋଷିକୂଲ୍ୟା ମିଶିଛନ୍ତି ପିପଳପଙ୍କା ଜଙ୍ଗଲରେ । ଏହା ଋଷିକୂଲ୍ୟା
ନଦୀର ମୂଳ ଜଳାଧାର ରୂପେ ସୋରଡ଼ାରୁ ଛତ୍ରପୁର, ଗଞ୍ଜାମ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ବହୁଛି। ଏହି ମୂଳ ଜଳଧାର ଗତ ୪୦ ବର୍ଷ ଭିତରେ କ୍ରମଶଃ କମିକମି ଯାଉଛି। କିନ୍ତୁ ନଭେମ୍ବର ମାସରୁ ଜୁନ ପର୍ଯ୍ୟନ୍ତ କେବଳ ଜଳଧାର ଏହି ମୂଳସ୍ରୋତରୁ ଆସୁଛି, ଯାହାକି ଋଷିକୂଲ୍ୟା ନଦୀକୁ ବଂଚାଇ ରଖୁଛି । ଏହା ଦ୍ଵାରା ନଦୀର ଦୁଇ କୂଳର ଗ୍ରାମବାସୀ ମାନେ ପିଇବା ପାଣି, ଗୃହପାଳିତ ପଶୁଙ୍କ ପାଇଁ ବ୍ୟବହାର କରିପାରୁଛନ୍ତି। ଏହା ବ୍ୟତୀତ ଶହ ଶହ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ହୋଇ ଜଳଯୋଗାଣ ହୋଇପାରୁଛି। ଯଦି ମୂଳସ୍ରୋତକୁ ଅଟକାଇ ଡ୍ୟାମ ନିର୍ମାଣ ହେବ ତାହା ହେଲେ ଏହାର ଏକ ମାତ୍ର ମୂଳଧାର ବନ୍ଦ ହୋଇଯିବ। ଏହାର କୁପରିଣାମ ଯୋଗୁଁ ନଦୀର ଜୈବ ବିବିଧତା ନଷ୍ଟ ହେବା ସହ ଋଷିକୂଲ୍ୟା ନଦୀ ମୃତ
ନଦୀରେ ପରିଣତ ହୋଇଯିବ। ଜାନିବିଲି ଠାରୁ ବ୍ରହ୍ମପୁର ସହରକୁ ଜଳଯୋଗାଣ ବାଧାପ୍ରାପ୍ତ ହେବା ସହ ନଦୀର ଦୁଇ ପାର୍ଶ୍ଵରେ ଥିବା ଅଞ୍ଚଳରେ ସମସ୍ତ କୁଅ,ପୋଖରୀ ଶୁଖୀଯିବ ବୋଲି ଆଶଙ୍କା ପ୍ରକାଶ କରିଛି ଋଷିକୂଲ୍ୟା ବଞ୍ଚାଅ
କ୍ରିୟାନୁଷ୍ଠାନ କମିଟି । ଏହି ପ୍ରକଳ୍ପ ନିର୍ମାଣ ହେଲେ ଜଳସେଚନ କରାଯିବ ବୋଲି କୁହାଯାଇଥିଲେ ବି ଏହାର ପାଣି ଲୁହାପାଇପ ଯୋଗେ ଛତ୍ରପୁର ସ୍ଥିତ ଟାଟାର ଆର୍ଥିକ କ୍ଷେତ୍ରରେ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଜଳ ଯୋଗାଣ ହେବ ବୋଲି ପ୍ରଶାସନିକ ସ୍ତରରେ ଙ୍କ୍ତିଷ୍ପତ୍ତି ହୋଇଛି।ଏହି ଡ୍ୟାମ ନିର୍ମାଣ ଦ୍ଵାରା ୨୩ ଟି ଗ୍ରାମର ଶହ ଶହ ଲୋକ ବିସ୍ଥାପିତ ହେବେ। ତେଣୁ ଏହି ପ୍ରକଳ୍ପ ନିର୍ମାଣ ପୁର୍ବରୁ ପ୍ରକଳ୍ପର ଲାଭ, କ୍ଷତି ବୈଷୟିକ ଓ ପରିବେଶ ବୈଜ୍ଞାନିକ ମାନଙ୍କ ଦ୍ଵାରା କରାଯାଉ। ଏହି ପ୍ରକଳ୍ପ ସଂକ୍ରାନ୍ତରେ ଜଳସେଚନ ବିଭାଗର ସର୍ବୋଚ୍ଚ ଇଞ୍ଜିନିୟର ମାନେ ସର୍ବସାଧାରଣଙ୍କ ଉପସ୍ଥିତିରେ ଜଳଭଣ୍ଡାର ଦ୍ଵାରା ହେବାକୁ ଥିବା କ୍ଷୟକ୍ଷତି ଓ ଲାଭଜନିତ ତଥ୍ୟ
ପ୍ରଦାନ କରି ଆଲୋଚନା କରନ୍ତୁ ବୋଲି କମିଟିର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପରିବେଶବିତ୍‌‍ ପ୍ରଫୁଲ୍ଲ ସାମନ୍ତରା, ଆର୍ଯ୍ୟଭଟ୍ଟ ପାଉଣ୍ଡେସନର ପ୍ରତିଷ୍ଠାତା ସୁଧର ରାଉତ, ଶିକ୍ଷାବିତ୍‌‍ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବରିଷ୍ଠ ସାମ୍ୱାଦିକ ରବି ରଥ, ରାଜେନ୍ଦ୍ର କୁମାର ପଣ୍ଡା, ବିଘ୍ନେଶ୍ଵର ସାହୁ, ସୀମାଞ୍ଚଳ ନହାକ, ଅଶୋକ କୁମାର ଦଳେଇ, ସୁବାସ ଚନ୍ଦ୍ର ମିଶ୍ର, ଆଦିତ୍ୟ ନରାୟଣ ରଥ, ସୁବାସ ଚନ୍ଦ୍ର ରାଉତ, ଗଗନ ଚନ୍ଦ୍ର ମଲ୍ଲିକ, ଏ. ସଞ୍ଜିବ ରେଡ଼ିଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।

ପ୍ରଫୁଲ୍ଲ ସାମନ୍ତରା
ପରିବେଶବିତ୍‌‍

You may have missed