ନିଜ ସରକାର ର ଅପାରଗତା କୁ ନିଜେ ବଖାଣିଲେ ରୋହିତ ସାମ୍ବାଦିକ ସମ୍ବିଳନୀ ରେ ତିନି ବିଜେଡି ନେତା ଙ୍କୁ ଘେରିଲେ ପ୍ରମୋଦ
ସମ୍ବଲପୁର ତା.୩୦/୪ – ଗତ ଦୁଇ ଦିନ ଧରି ରାଜ୍ୟର ଶାସକ ଦଳ ବିଜେଡିର ନେତାମାନେ ଯେଉଁ ଭୁଲ ତଥ୍ୟ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଙ୍କୁ ଟାର୍ଗେଟ କରିବାକୁ ଅପଚେଷ୍ଟା କରିଥିଲେ ତାଙ୍କୁ ଜବାବ ଦେଇଛି ବିଜେପି । ଆଜି ଏକ ସାମ୍ବାଦିକ ସମ୍ବିଳନୀ ରେ ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ବିଜେଡି ର ତିନି ନେତା ଇଂ.ରୋହିତ ପୂଜାରୀ, ସଞ୍ଜିତ ମହାନ୍ତି ଓ ସଞ୍ଜୟ ବାବୁ ଙ୍କୁ ଘେରିଛନ୍ତି ।
ଗତ ଦୁଇ ଦିନ ତଳେ ବିଜେପି ମହାନଦୀ ସମସ୍ୟା ନେଇ ମହାନଦୀ କୂଳରୁ ଗ୍ରାଉଣ୍ଡ ଜିରୋ ସାମ୍ବାଦିକ ସମ୍ବିଳନୀ କରି ରାଜ୍ୟସରକାର ଙ୍କୁ ଟାର୍ଗେଟ କରିଥିଲା । ତାର ପ୍ରତିକ୍ରିୟାରେ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଥିଲେ ଯେ “ଛତିଶଗଡ଼ ରୁ ରାଜ୍ୟସଭା ଯିବା ପାଇଁ କେନ୍ଦ୍ରମନ୍ତ୍ରୀ ଛତିଶଗଡ଼ ବିଜେପି ସରକାର ସହିତ ସାଲିସ କରି ମହାନଦୀ ପାଣି କୁ ବନ୍ଦ କରିଦେଇଥିଲେ ।” ସଞ୍ଜୟ ବାବୁ ଙ୍କୁ ଡ଼.ରଥ କହିଛନ୍ତି ଯେ “ଯଦି ସଠିକ ତଥ୍ୟ ନାହିଁ ତାହେଲେ ଚୁପ ରହିବା ଶିଖନ୍ତୁ । ମିଥ୍ୟା ତଥ୍ୟ ଦେଇ ଭିତ୍ତିହୀନ ଦୋଷ ଦେଇ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ । କେନ୍ଦ୍ରମନ୍ତ୍ରୀ ବିହାର ଓ ମଧ୍ୟପ୍ରଦେଶ ରୁ ରାଜ୍ୟସଭା ଯାଇଛନ୍ତି । ସେ କେବେ ବି ଛତିଶଗଡ଼ ରୁ ରାଜ୍ୟସଭା କୁ ଯାଇ ନାହାଁନ୍ତି ଓ ସେ ସବୁବେଳେ ସାଲିସ ବିହୀନ ରାଜନୀତି ହିଁ କରନ୍ତି । ଆଉ ଓଡିଶା ର ସ୍ୱାର୍ଥ ରକ୍ଷା ଓ ବିକାଶ ପାଇଁ ସେ ସଦା ସର୍ବଦା ତତ୍ପର ରହିଥାନ୍ତି ।”
ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ଚିରାଚରିତ ଢଙ୍ଗ ରେ ଏଭଳି ଦୁଇଟି ବକ୍ତବ୍ୟ ଦେଇଛନ୍ତି ଯାହା ତାଙ୍କ ପାଇଁ ସବୁବେଳେ ବୁମେରାଙ୍ଗ ସାବ୍ୟସ୍ତ ହୋଇଥାଏ । ଇଂ.ପୂଜାରୀ ଜୟନାରାୟଣ ମିଶ୍ର ଙ୍କ ବିରୁଦ୍ଧରେ ରହିଥିବା ବିଭିନ୍ନ ଅପରାଧିକ ମାମଲା ସମ୍ପର୍କରେ କହିଥିଲେ । ତାଙ୍କ ଟିପ୍ପଣୀ ର ଉତ୍ତରେ ଡ଼.ରଥ କହିଛନ୍ତି ଯେ “ବିଜେଡି ଦଳ ଖୋଦ ବିଭିନ୍ନ ଅପରାଧିକ ମାମଲା ରେ ସମ୍ପୃକ୍ତି ଥିବା ୪୬ ଜଣ ଅଭିଯୁକ୍ତ ଙ୍କୁ ଟିକେଟ ଦେଇଛି । ରହିଲା କଥା ଜୟ ନାରାୟଣ ମିଶ୍ର ଙ୍କର ତାଙ୍କ ବିରୁଦ୍ଧରେ ରେ କଣ ମମିତା ମେହେର, ପରି, ବବିନା, ମାଧବୀଲତା ଙ୍କ ଭଳି ଘଟଣା ର ଅଭିଯୋଗ ଅଛି କି ନା ଡବଲ ମର୍ଡର କି ବ୍ଲାକ ରୋଜ ଭଳି ଘଟଣା ର ଅଭିଯୋଗ ଅଛି । ଶ୍ରୀ ମିଶ୍ର ଙ୍କ ବିରୁଦ୍ଧରେ ରେ ଯାହା ବି ମାମଲା ଅଛି ତାର ମୂଳ କାରଣ ହେଉଛି ସନାତନ ଧର୍ମ ର ସଂସ୍କୃତି ପରମ୍ପରା କୁ ରକ୍ଷା କରିବାକୁ ଯାଇଥିବା ବେଳେ କିମ୍ବା ଶାସନ ପ୍ରଶାସନ ର ଦୁର୍ନୀତି, ଭ୍ରଷ୍ଟାଚାର, ଅପାରଗତା କୁ ବିରୋଧ କରିବାକୁ ସ୍ୱର ଉତ୍ତୋଳନ କରୁଥୁବା ବେଳେ କିମ୍ବା ଲୋକଙ୍କର ନ୍ୟାର୍ଯ୍ୟ ଅଧିକାର ଓ ଦାବୀ ପାଇଁ ଆନ୍ଦୋଳନ କରୁଥୁବା ବେଳେ କରାଯାଇଥିବା ଆକ୍ରୋଶମୂଳଜ କାର୍ଯ୍ୟାନୁଷ୍ଠାନ ମାନେ କେବଳ ।”
ଆଉ ଗତ କଲି ଶ୍ରୀ ମିଶ୍ର ଙ୍କୁ ଟାର୍ଗେଟ କରି ଇଂ. ପୂଜାରୀ ଯେଉଁ କଥା କହିଛନ୍ତି ଯେ ସମ୍ବଲପୁର ରେ ରାସ୍ତା ଘାଟ ଠିକ ନାହିଁ, ପାନୀୟ ଜଳ ର ଅସୁବିଧା ରହିଛି, ନାଳ ନର୍ଦମା ସଫେଇ ନାହଁ ସେଇଟା ରୋହିତ ବାବୁ ନିଜେ ନିଜ ସରକାର ର ଅପାରଗତା ର ମୁଖା ଖୋଲି ଦେଇଛନ୍ତି । କାରଣ, ଦୀର୍ଘ ୧୧ ବର୍ଷ ହେଲା ସମ୍ବଲପୁର ମହାନଗର ନିଗମ ପ୍ରଶାସନିକ ବ୍ୟବସ୍ଥା ଜରିଆରେ ରାଜ୍ୟ ସରକାର ଙ୍କ ନିୟନ୍ତ୍ରଣ ରେ ଅଛି। ଯଦି ସମ୍ବଲପୁରବାସୀ ସର୍ବନିମ୍ନ ମୌଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି ତ, ସେଥିପାଇଁ ଜୟନାରାୟଣ ମିଶ୍ର ଦାୟୀ ନା ଖୋଦ ତାଙ୍କ ସରକାର ଦାୟୀ ବୋଲି ଡ଼. ରଥ ପ୍ରଶ୍ନ କରିଛନ୍ତି ।
ଗତକଲି ସଞ୍ଜିତ ମହାନ୍ତି କେନ୍ଦୁପତ୍ର ସମ୍ପର୍କିତ ଦେଇଥିବା ତଥ୍ୟ ର ଉତ୍ତର ରେ ଡ଼. ରଥ କହିଛନ୍ତି ଯେ ବିଜେଡିର ବିଭ୍ରାନ୍ତିକର ମନ୍ତବ୍ୟ ଲୋକଙ୍କୁ ବୋକା ବନାଇ ପାରିବ ନାହିଁ । ଓଡ଼ିଶାର ଅର୍ଥ ମନ୍ତ୍ରୀ ଓ ସଚିବ ଗରିବ କେନ୍ଦୁ ପତ୍ର ତୋଳାଳୀଙ୍କ ସ୍ୱାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ ଆଜି କେନ୍ଦୁ ପତ୍ର ତୋଳାଳୀ ମାନଙ୍କୁ ଟିକସ ଦେବାକୁ ପଡ଼ୁଛି । କେନ୍ଦୁପତ୍ର ତୋଳାଳୀଙ୍କ ପେଟକୁ ଲାତ ମାରି ସମାଜିକ ସୁବିଧାକୁ ସଙ୍କୁଚିତ କରି ବିଜେଡି ନେତା ବାହାସ୍ପୋଟ ମାରୁଛନ୍ତି । କେନ୍ଦୁପତ୍ର ତୋଳାଳୀଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ଯାହା ସବୁ ସୁବିଧା ସୁଯୋଗ ଘୋଷଣା କରିଥିଲେ ତାକୁ ବିଜେଡି ସରକାର ସଙ୍କୁଚିତ କରି ଚାଲିଛନ୍ତି । ମହାମାରୀ କରନା ସମୟରେ ତୋଳାଳି,ବନ୍ଧାଳି ଓ ସିଜିନାଲ ଷ୍ଟାଫଙ୍କୁ ଦିଆଯାଉଥିବା ବୋନସ ଓ ପ୍ରୋତ୍ସାହନ ରାଶିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଥିଲେ। ତୋଳାଳୀ ପୁଅ ଝିଅଙ୍କୁ ଶିକ୍ଷା ସହାୟତା, ଝିଅ ବାହାଘର ସହାୟତା ଓ ଚିକିତ୍ସା ସହାୟତାକୁ ବନ୍ଦ କରିଦେଇଛନ୍ତି। ନିଜ ଦୋଷ ଦୁର୍ବଳତା ଓ ଅପାରଗତା କୁ ଲୁଚେଇବା ପାଇଁ କେନ୍ଦ୍ର ସରକାର ଉପରେ ଦୋଷ ଲଦି ପଳାୟନପନ୍ଥୀ ସାଜିଛନ୍ତି। ବିଜେଡ଼ି ସରକାର କେନ୍ଦପତ୍ର ତୋଳାଳୀଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରି ୧୮% ଜିଏସଟି ରୁ ରାଜ୍ୟର ଭାଗ ୯% ଅର୍ଥ ପ୍ରଥମେ କେନ୍ଦୁପତ୍ର ତୋଳାଳୀ ସାମାଜିକ କଲ୍ୟାଣ ପାଣ୍ଠିରେ ପ୍ରଦାନ କରି ତାଙ୍କ ଆନ୍ତରିକତା ପ୍ରଦର୍ଶନ କରନ୍ତୁ । ଦୋଷ ଦିଆ ଖେଳ ବନ୍ଦ କରି କେନ୍ଦୁପତ୍ର ତୋଳାଳୀଙ୍କ ଶୋଷଣ ବନ୍ଦ କରନ୍ତୁ ।
ଓଡ଼ିଶାର ଅର୍ଥ ମନ୍ତ୍ରୀ ଓ ସଚିବ ଗରିବ କେନ୍ଦୁ ପତ୍ର ତୋଳାଳୀଙ୍କ ସ୍ୱାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ ଆଜି କେନ୍ଦୁ ପତ୍ର ତୋଳାଳୀ ମାନଙ୍କୁ ଟିକସ ଦେବାକୁ ପଡ଼ୁଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ ଭିତରେ ବାଂଟି ଦେଉଥିବାବେଳେ ଓଡିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି । ଏହା ଦ୍ୱାରା କେନ୍ଦୁପତ୍ର ତୋଳାଳି ଅନେକ କ୍ଷତି ସହୁଛି । କେନ୍ଦୁପତ୍ର ଉପରେ ଲାଗୁ GST ୧୮% କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର କେବଳ ଚିଠି ଲେଖିଦେଇ କାମ ତମାମ କରିଦେଲେ ଚଳିବ ନାହିଁ, ବିଧିବଦ୍ଧ ଭାବରେ GST କାଉନ୍ସିଲ ରେପ୍ରସ୍ତାଵ ଆଣିଲେ କେନ୍ଦ୍ର ସରକାର ନିଶ୍ଚେ ବିଚାର କରିବେ । ଦୁଃଖ ଓ ଦୁର୍ଭାଗ୍ୟର କଥା ରାଜ୍ୟ ବିଜେଡି ସରକାର କେନ୍ଦୁପତ୍ର ଉପରେ ଜିଏସଟି କୁ ନେଇ ଅଯଥା ରାଜନୀତି କରୁଛନ୍ତି।
୨୦୧୪ ପୂର୍ବରୁ ଲଘୁ ବନଜାତ ଦ୍ରବ୍ୟ ମହୁଲ, କେନ୍ଦୁପତ୍ର, ଝୁଣା, ହରିଡ଼ା, ବାହାଡ଼ା ଆଦିର ଉଚିତ ମୂଲ୍ୟ ନ ପାଇ ଶୋଷଣର ଶିକାର ହେଉଥିଲେ। ବାକି ବନଜାତ ଉତ୍ପାଦକୁ ଶାଗ ମାଛ ଦରରେ କିଛି ଲୋକ କିଣୁଥିଲେ ଆଉ ଆଦିବାସୀମାନଙ୍କୁ କିଛି ମିଳୁ ନ ଥିଲା । ନରେନ୍ଦ୍ର ମୋଦୀ ଏହାକୁ ବଦଳାଇଲେ ଏବଂ ଆଜି ପ୍ରାୟ ୯୦ ବନଜାତ ଉତ୍ପାଦକୁ ଏମଏସପି ପରିସରକୁ ଅଣା ଯାଇ ସାରିଛି । ଆଦିବାସୀ ମାନଙ୍କୁ ବିଭିନ୍ନ ଲଘୁ ବନ ଉତ୍ପାଦର ସର୍ବନିମ୍ନ ମୂଲ୍ୟ ସହାୟତା ପାଇଁ ପ୍ରାୟ ୫୦ କୋଟି ଟଙ୍କା ସହାୟତା ଦିଆ ଯାଇଛି। ଏହା ଛଡ଼ା ଏହି ଦ୍ରବ୍ୟ ଗୁଡ଼ିକର ବଜାର ସୃଷ୍ଟି ପାଇଁ ୮.୨୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ।
ଆଜିର ସାମ୍ବାଦିକ ସମ୍ବିଳନୀ ରେ ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ, ମଣ୍ଡଳ ସଭାପତି ଶମ୍ଭୁ ବରେଲିଆ ଉପସ୍ଥିତ ଥିବା ବେଳେ ସକ୍ରିୟ ସଦସ୍ୟ ମୁକେଶ ଜରିୱାଲ ସହଯୋଗ କରିଥିଲେ ।