କାଙ୍ଗଶିରି ଗ୍ରାମବାସୀ ପ୍ରଶାସନକୁ ଲିଖିତ ଅଭିଯୋଗ,ସ୍ଥାୟୀ ପୋଲ ନାହିଁତ ଭୋଟ୍ ନାହିଁ
କଲ୍ୟାଣସିଂହପୁର,୧୮/୪(ନିପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଦୁର୍ଗମ କାଙ୍ଗଶିରି ଗ୍ରାମର ଲୋକମାନେ ଆଜି ବ୍ଲକକୁ ଆସି ନାଗାବଳୀ ନଦୀର ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ବିଡ଼ିଓ ମନୀଷା ଦାସଙ୍କ ଜରିଆରେ ଜିଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । କାଙ୍ଗାସିରି ଗ୍ରାମ ସ୍ଥାୟୀ ପୋଲ ନାହିଁତ ଭୋଟ୍ ନାହିଁ ବୋଲି ସମାଜ କାଗଜରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତତ୍ପରତା ହୋଇ ଜିଲାପାଳଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ମନୀଷା ଦାସ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ବ୍ଲକ ସମ୍ପ୍ରସାରଣ ଅଧିକାରୀ ଚନ୍ଦନଦାସ ବାଙ୍ଗାରି ପ୍ରମୁଖ କାଙ୍ଗଶିରି ଗାଁରେ ପହଞ୍ଚି ସମସ୍ୟା ଅନୁଧ୍ୟାନ କରିଥିଲେ । ଗ୍ରାମର ସମସ୍ୟା ନେଇ ଏକ ଲିଖିତ ଦେବା ପାଇଁ ବିଡ଼ିଓ କହିବା ପରେ ଆଜି ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା,ଭୀମସେନ ବାଗ ସମେତ ଗ୍ରାମର ମାନୁ ଶିକକା, ଦୀପକ ହୁଈକା ପ୍ରମୁଖ ଉପସ୍ଥିତ ରହି ଲିଖିତ ଦେଇଥିଲେ ।
ସୂଚନାଯୋଗ୍ୟ କାଙ୍ଗଶିରି ଗାଁ ନିକଟରେ ଥିବା ନାଗାବଳୀ ନଦୀରେ ପୋଲ ନିର୍ମାଣ ହୋଇ ନଥିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ଚାନ୍ଦା ଆଦାୟ କରି କାଠପୋଲ ନିର୍ମାଣ କରି ଗ୍ରାମବାସୀ ଯାତାୟାତ କରୁଛନ୍ତି। ପୋଲ ନଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଯିବା ପାଇଁ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଦେଇ ପ୍ରାୟ ୫ କିମି ରାସ୍ତା ଅତିକ୍ରମ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢ଼ା, ସ୍ବାସ୍ଥ୍ୟ ସେବା, ପିଡିଏସ ସାମଗ୍ରୀ ,ଅଙ୍ଗନବାଡି କେନ୍ଦ୍ରକୁ ଶିଶୁ ଙ୍କୁ ନେବା ଆଣିବା ,ଭଶିଶୁ ଓଜନ ,ଛତୁଆ ଅଣ୍ଡା ଆଣିବା ଅନ୍ୟ କିଛି ଗୁରୁତ୍ବୁପୂର୍ଣ୍ଣ କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କ ଏହି ନଦୀ ବାଧକ ସାଜିଛି। ଆରଡି ବିଭାଗର ସର୍ଭେ ପରେ ମଧ୍ୟ ପୋଲ ନିର୍ମାଣ କାମ ଆଗେଇ ପାରୁନ ଥିବାରୁ ଗ୍ରାମବାସୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ଗାଁରେ ଥିବା ୩ଟି ନଳକୂପ ଅଚଳ ଥିବାରୁ ନାଗାବଳୀ ନଦୀର ପାଣି ପିଉଥିଲେ। ଏପରିକି ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଛି। ସମସ୍ତ ସମସ୍ୟାର ସମାଧାନ ନ ହେଲେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଥିଲେ । ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ କାଙ୍ଗାସିରି ଗ୍ରାମରେ ପହଞ୍ଚି ସମସ୍ୟା ଦେଖିବା ପରେ ଗ୍ରାମବାସୀଙ୍କୁ ଲିଖିତ ଦେବାପାଇଁ କହିଥିଲେ ।ତାହା ଆଜି ଗ୍ରାମବାସୀ ବିଡ଼ିଓ ଙ୍କ ଜରିଆରେ ଜିଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ପୋଲ ନିର୍ମାଣ ହେଲେ କାଙ୍ଗାସିରି ବ୍ୟତୀତ ଅନ୍ୟ୫ଖଣ୍ଡ ଗ୍ରାମର ଲୋକମାନେ ଉପକୃତ ହୋଇପାରିବେ ।ସରକାରଙ୍କ ପକ୍ଷରୁ ଲକ୍ଷ୍ମୀ ବସ ଯୋଜନାରେ ବସ ପାର୍ଷାଲି ଠାରୁ ଧାମୁଣିପଙ୍ଗା ଓ ସିଙ୍ଗାରି ଯିବା ପାଇଁ ରହିଛି ।କିନ୍ତୁ ରାସ୍ତା ନଥିବା ଯୋଗୁଁ ଲକ୍ଷ୍ମୀ ବସ ଯାଉନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଏବିଷୟରେ ବିଡ଼ିଓ ମନୀଷା ଦାସ କହିଛନ୍ତି ଉକ୍ତ ଅଭିଯୋଗ ପତ୍ର ଜିଲାପାଳଙ୍କୁ ପ୍ରେରଣ କରିବି ବୋଲି କହିଛନ୍ତି।