November 23, 2024

ତାଳସାକରରେ ମା ବ୍ରହ୍ମଣୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା , ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ…

Share

ବୁଗୁଡ଼ା : ତା ୨୮/୦୩/୨୪ : ବୁଗୁଡ଼ା ବ୍ଲକର ତାଳସାକର ଗ୍ରାମରେ ମା ବ୍ରହ୍ମଣୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆୟୋଜିତ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ରବିବାର ଦିନ ଦୀକ୍ଷା ଗ୍ରହଣ , ଜଳଯାତ୍ରା , ଅଙ୍କୁରାରୋପଣ ଓ ନାମଯଜ୍ଞର ଅଧିବାସ , ସୋମବାର ଦିନ କର୍ମାରମ୍ଭ , ସୂର୍ଯ୍ୟପୂଜା , ଶାଲାପୂଜା , ଅଗ୍ନି ସ୍ଥାପନ, ବନଯାଗ ଓ ଅନ୍ନଯଜ୍ଞ ଆଦି କାର୍ଯ୍ୟକ୍ରମ ସହ ନାମଯଜ୍ଞ ଆରମ୍ଭ ହୋଇଥିଲା । ଏଥିରେ କତକଲା , ଗରେଈଝୁଳି , ମାଳତିବାଡି , ଗୁଡିପଲ୍ଲୀ , ମୋଟାବାଡ଼ି , ବେଠିଆବୋରଦା ଓ ତାଳସାକର ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଥିଲେ । ମଙ୍ଗଳବାର ଦିନ ସୂର୍ଯ୍ୟପୂଜା , ଦେବୀଙ୍କ ସ୍ନାନ , ଜୀବନ୍ୟାସ ଏବଂ ବୁଧବାର ଦିନ ଦେବୀଙ୍କ ସିଂହାସନ ଆରୋହଣ , ଧ୍ବଜା ଭ୍ରମଣ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଗୁରୁବାର ଦିନ ନାମଯଜ୍ଞ ଉଦଯାପନ ସହ ଦଧିଭାଣ୍ଡ ଭଞ୍ଜନ , ନଗର ଭ୍ରମଣ , ଯମୁନା ସ୍ନାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ପ୍ରମୋଦ ଚନ୍ଦ୍ର ହୋତା ସଦାଶିବ ଷଡଙ୍ଗି ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଇଶ୍ବର ସ୍ବାଇଁ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ । ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ନାମଯଜ୍ଞ ଓ ଅନ୍ନଯଜ୍ଞରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା ଏବଂ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା ।