March 10, 2026

ଟାଟା କମ୍ପାନୀକୁ ପାଣି ଯୋଗାଇବାକୁ ଋଷିକୂଲ୍ୟାରେ ଡ଼େମ୍ ନିର୍ମାଣ ବନ୍ଦ କର !

tata
Share

ଟାଟା କମ୍ପାନୀକୁ ପାଣି ଯୋଗାଇବାକୁ ଋଷିକୂଲ୍ୟାରେ ଡ଼େମ୍ ନିର୍ମାଣ ବନ୍ଦ କର !
ଉପରମୁଣ୍ଡରେ ଡ଼େମ୍ ହେଲେ ଋଷିକୂଲ୍ୟା ନଦୀ ଶୁଖିଯିବ !
ନଦୀର ଉଭୟ ପାଶ୍ୱର୍ରେ ହଜାର ହଜାର ଲୋକଙ୍କ ଜୀବନ ଜୀବିକା ଧ୍ୱଂସ ହେବ !
ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ଇତି ମଧ୍ୟରେ ଏକ ହଜାର କୋଟି ଟଙ୍କା ବ୍ୟୟରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କା ଠାରେ ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳରେ ରାଜ୍ୟ ସରକାର ଏକ ବୃହତ୍ ଡେମ୍ ନିର୍ମାଣ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଋଷିକୂଲ୍ୟା ନଦୀର ଉପର ମୁଣ୍ଡରୁ ୬୦ ନିୟୁତ ଗ୍ୟାଲନ ଜଳ ଦୀର୍ଘ ୧୦୦ କିମି ଲମ୍ବା ପାଇପଲାଇନ୍ ଯୋଗେ ଛତ୍ରପୁର ନିକଟରେ ଅବସ୍ଥିତ ଟାଟା ଓ ଅନ୍ୟାନ୍ୟ ଘରୋଇ କମ୍ପାନୀଙ୍କୁ ପ୍ରଦାନ କରାଯିବ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟରେ ଏକ ବୈଠକର ଆୟୋଜନ କରି ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି । ଏହି ନଦୀବନ୍ଧ ନିର୍ମାଣର ଉଦ୍ଦେଶ୍ୟ ନେଇ ଏଯାଏଁ ଗୋପନୀୟତା ଦେଖାଇ ଆସିଥିବା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅସଲ ଉଦ୍ଦେଶ୍ୟଟି ବିଳମ୍ବରେ ହେଲେ ବି ସାମନାକୁ ଆସିଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ତିନି ଦଶକ ତଳେ ତତ୍କାଳିନ ସରକାର ଟାଟାର ପ୍ରସ୍ତାବିତ ଥିବା ଗୋପାଳପୁର ଇସ୍ପାତ ପ୍ରକଳ୍ପକୁ ପାଣି ଯୋଗାଇବା ପାଇଁ ଋଷିକୂଲ୍ୟାର ଉପରମୁଣ୍ଡରେ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ । ସେତେବେଳେ ଗଞ୍ଜାମର ଚାଷୀ ସଂଗଠନମାନେ ତଥା ବୁଦ୍ଧିଜୀବି ଏହାର ଦୃଢ଼ ବିରୋଧ କରିଥିଲେ । ଯାରି ଫଳସ୍ୱରୂପ ସେତେବେଳେ ସରକାର ଏହି ପ୍ରକଳ୍ପକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ନିର୍ବାଚନର ଠିକ୍ ପୂର୍ବରୁ ସରକାର ଘରୋଇ କମ୍ପାନୀମାନଙ୍କ ଅନୁକମ୍ପା ପାଇବା ପାଇଁ ଜନଗଣଙ୍କ ଟିକସ ଅର୍ଥରେ ବା ସରକାରୀ ଖର୍ଚ୍ଚରେ ଋଷିକୂଲ୍ୟା ନଦୀରେ ନଦୀବନ୍ଧ କରି ତା’ର ପାଣିକୁ ଛାଷୀଙ୍କ ଠାରୁ ଛଡ଼େଇ ଘରୋଇ କମ୍ପାନୀମାନଙ୍କୁ ଦେବାକୁ ଯାଉଛନ୍ତି । ଟାଟା ପରି ଘରୋଇ କମ୍ପାନୀର ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଏହି ଜନବିରୋଧି, ଚାଷୀ ବିରୋଧି ଏବଂ ପରିବେଶ ବିରୋଧି ପଦକ୍ଷେପକୁ ଋଷିକୂଲ୍ୟା ନଦୀ ଓ ଭିଟାମାଟି ସୁରକ୍ଷା ମଂଚ ପକ୍ଷରୁ ନିନ୍ଦା କରିବା ସହ ତାକୁ ତୁରନ୍ତ ବନ୍ଦ କରିବାକୁ ଦାବୀ କରୁଛୁ ।
ପିପଳପଙ୍କା ଠାରେ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ବଡ଼ ନଦୀବନ୍ଧ ନିର୍ମାଣ ହେଲେ ଗଞ୍ଜାମ ଜିଲ୍ଲାର କୃଷି, କୃଷକ, ଗୃହପାଳିତ ପଶୁ ଏବଂ ସର୍ବୋପରି ଗଞ୍ଜାମ – କନ୍ଧମାଳ ସୀମାରେ ଥିବା ଗାଜଲବାଡ଼ିର ମୂଲ୍ୟବାନ ଘଂଚ ଜଙ୍ଗଲ କ୍ଷତିଗ୍ରସ୍ତ ହେବ । ସେ ଅଞ୍ଚଳର ୨୩ଟି ଗାଁ ସମେତ ହଜାର ହଜାର ଏକରର ଚାଷଜମି ଓ ମୂଲ୍ୟବାନ ଜଙ୍ଗଲ ପାଣିରେ ବୁଡି ନଷ୍ଟ ହୋଇଯିବ । ଚାଷଜମି ଓ ଜଙ୍ଗଲ ଉପରେ ନିର୍ଭରଶୀଳ ସେଠାକାର ବାସିନ୍ଦା ବିଶେଷ କରି ହଜାର ହଜାର ଆଦିବାସୀ ଓ ଦଳିତ ଲୋକେ ନିଜର ଜୀବିକା ହରାଇବେ । ସରକାର ନଦୀବନ୍ଧ ଫଳରେ ସିଧାସଳଖ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ହେବାକୁ ଥିବା ସେ ଅଂଚଳର ଲୋକଙ୍କ ମତମତ ନନେଇ ଏକଚାଟିଆ ଭାବେ ପ୍ରକଳ୍ପ ନିର୍ମାଣ ପାଇଁ ଆଗେଇବାକୁ ଉଦ୍ୟମ କରିବା ଅଗଣତାନ୍ତ୍ରିକ ଓ ଜନବିରୋଧି ମାନସିକତାର ପରିଚୟ ଦେଉଛି ।
ଋଷିକୂଲ୍ୟା ନଦୀ ଗଞ୍ଜାମ ଜିଲ୍ଲାର ଜୀବନରେଖା ବୋଲି କୁହାଯାଏ । ଧରାକୋଟ ବ୍ଳକ୍‌ର ଜାନିବିଲି ଠାରେ ଋଷିକୂଲ୍ୟା ନଦୀ ଉପରେ ଥିବା ବ୍ୟାରେଜ୍‌ରୁ କେନାଲ ଯୋଗେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଜଳସେଚନ ପାଇଁ ପାଣିର ବ୍ୟବସ୍ଥା ରହିଛି । ବର୍ତ୍ତମାନ ସରକାର ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲ୍ଲାର କିଛି ଗାଁକୁ ପିଇବା ପାଣି ଏବଂ ଜଳସେଚନ ପାଇଁ ଏହି ବ୍ୟାରେଜ୍‌ରୁ ପାଇପ୍ ଲାଇନ୍ ଜରିଆରେ ଅତିରିକ୍ତ ପାଣି ନେବା ଫଳରେ ଋଷିକୂଲ୍ୟାର ନଦୀର ତଳ ମୁଣ୍ଡରେ ପାଣି କମିଯାଉଛି । ଯାରିଫଳରେ ବର୍ତ୍ତମାନ ଋଷିକୂଲ୍ୟା ନଦୀରେ ବର୍ଷର ଅଧିକାଂଶ ସମୟ ଏକରକମ ଶୁଖିଲା ରହୁଛି । ଏହାଛଡ଼ା ଋଷିକୂଲ୍ୟାରେ ପଡ଼ିଥିବା ବଡ଼ନଦୀ, ଡ଼ହ, ଘୋଡ଼ାହାଡ଼ ଆଦି ସବୁ ଉପନଦୀରେ ପୂର୍ବରୁ ଜଳଭଣ୍ଡାର ହେବା ଫଳରେ ସେସବୁରେ ଆସୁଥିବା ସବୁ ପାଣି ଋଷିକୂଲ୍ୟାକୁ ଆସୁନାହିଁ । ଅତଏବ ଏଭଳି ପରିସ୍ଥିତିରେ ବର୍ତ୍ତମାନ ଋଷିକୂଲ୍ୟାର ଉପର ମୁଣ୍ଡରେ ଆଉ ଏକ ବଡ଼ ଡ୍ୟାମ୍ କରି ତା’ର ପାଣିକୁ ଯଦି ପାଇପ୍‌ଲାଇନ୍ ଯୋଗେ କମ୍ପାନୀ ପାଇଁ ନିଆଯାଏ, ତାହେଲେ ଜାନିବିଲି ବ୍ୟାରେଜ୍ ସହ ସମଗ୍ର ଋଷିକୂଲ୍ୟା ନଦୀକୁ ପ୍ରଭାବିତ ଓ କ୍ଷତିଗ୍ରସ୍ତ କରିବ । ନଦୀର ତଳମୁଣ୍ଡକୁ ପାଣି ନଆସି ତାକୁ ସମ୍ପୂର୍ଣ୍ଣ ଭାବେ ଶୁଖାଇଦେବ । ଏହାଦ୍ୱାରା ନଦୀର ତଳମୁଣ୍ଡର ଉଭୟ ପାର୍ଶ୍ୱରେ ଅବସ୍ଥିତ ଶତାଧିକ ଗାଁର ଲୋକଙ୍କୁ ନିଜର ପିଇବା ପାଣି, ଚାଷବାସ ଓ ଗୃହପାଳିତ ପଶୁମାନଙ୍କ ବ୍ୟବହାର ପାଇଁ ଏବେ ଯାହା ବି ପାଣି ମିଳୁଛି, ସେଥିରୁ ସେମାନେ ସମ୍ପୂର୍ଣ୍ଣ ରୂପେ ବଂଚିତ ହେବେ । ନଦୀଶଯ୍ୟା ଶୁଷ୍କ ହୋଇଗଲେ ନଦୀ ଦୁଇ ପାଶ୍ୱର୍ରେ ଥିବା ଗାଁ ମାନଙ୍କରେ ଥିବା କୂଅ, ବୋରୱେଲ ତଥା ଉଠା ଜଳସେଚନ ଯୋଜନାଗୁଡ଼ିକ କ୍ଷତିଗ୍ରସ୍ତ ହେବ । ମୁହାଣ ଦେଇ ସମୂଦ୍ରର ଲୁଣିପାଣି ନଦୀ ଭିତରକୁ ଆସିବ ।
ସରକାର ପୂର୍ବରୁ ଛତ୍ରପୁର ନିକଟରେ ରହିଥିବା ଶିଳ୍ପ କରିଡ଼ରର ବିଭିନ୍ନ କଳକାରଖାନାର ଜଳ ଆବଶ୍ୟକତା ପୂରଣ ପାଇଁ ସମୂଦ୍ର ଜଳକୁ ମଧୂର ଜଳରେ ପରିବର୍ତ୍ତନ କରି ବ୍ୟବହାର କରିବାକୁ କମ୍ପାନୀମାନଙ୍କୁ ସର୍ତ୍ତ ରଖିଥିଲେ । ଏବେ ସେହି ସର୍ତ୍ତକୁ ବଦଳାଇ ସରକାରୀ ଖର୍ଚ୍ଚରେ ନଦୀବନ୍ଧ ନିର୍ମାଣ କରି ସେମାନଙ୍କୁ ଜିଲ୍ଲାର ପିଇବା ପାଣି ଓ ଜଳସେଚନ ପାଇଁ ଉଦ୍ଦିଷ୍ଟ ପାଣିକୁ ମଧ୍ୟ ଦେବାକୁ ଉଦ୍ୟମ କରିବା ଲଜ୍ଜାଜନକ । କାରଣ ସମୂଦ୍ର ପାଣିକୁ ଆଣି ତାକୁ ମଧୂର ପାଣିରେ ପରିବର୍ତ୍ତିତ କଲେ ତାହା ବ୍ୟୟସାପେକ୍ଷ ହୋଇଥିବାରୁ କମ୍ପାନୀମାନେ ସେହି ପ୍ରକ୍ରୀୟାରେ ନିଜର ଜଳସଂଗ୍ରହ କରିବାକୁ ଆଗ୍ରହୀ ନୁହଁନ୍ତିି । ପରନ୍ତୁ ସରକାର ଘରୋଇ କମ୍ପାନୀମାନଙ୍କ ବ୍ୟୟଭାରକୁ କମାଇବା ପାଇଁ ସରକାରୀ ଅର୍ଥରେ ସେମାନଙ୍କୁ ପାଣି ଯୋଗାଇବାକୁ ଯେଉଁ ଉଦ୍ୟମ କରିବାକୁ ଯାଉଛନ୍ତି ଆମେ ତା’ର ଦୃଢ଼ ବିରୋଧ କରୁଛୁ । ନଦୀବନ୍ଧ ଫଳରେ ସିଧାସଳଖ ଭାବେ ବିସ୍ଥାପିତ ଓ ପ୍ରଭାବିତ ହେବାକୁ ଯାଉଥିବା ସୋରଡ଼ା ବ୍ଳକ୍‌ର ଚାଷୀ ଓ ଗ୍ରାମବାସୀମାନେ “ଋଷିକୂଲ୍ୟା ନଦୀ ଓ ଭିଟାମାଟି ସୁରକ୍ଷା ମଂଚ’ ନିର୍ମାଣ କରି ଅତିତରେ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ସ୍ମାରକପତ୍ର ଦେଇ ତାକୁ ବନ୍ଦ କରିବାକୁ ଦାବି କରିଛନ୍ତି । କିନ୍ତୁ ସରକାର ସେମାନଙ୍କ ପ୍ରତିବାଦ ଓ ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ, ଆଦିବାସୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଭୃକ୍ଷେପ ନକରି ଯେଉଁଭଳି ଭାବେ ସେମାନଙ୍କ ପିଇବା ପାଣି ଓ ଜଳସେଚନ ପାଇଁ ଉଦ୍ଦିଷ୍ଟ ଜଳକୁ ଛଡ଼େଇ ନେବାକୁ ତଥା ଋଷିକୂଲ୍ୟା ନଦୀକୁ ଶୁଖାଇବାକୁ ଯେଉଁ ନଦୀବନ୍ଧ ନିର୍ମାଣର ଦୁଃସାହସ କରିଛନ୍ତି ଆମେ ତା’ର ଦୃଢ଼ ବିରୋଧ କରିବା ସହ ଆଗାମୀ ଦିନରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏନେଇ ଜନମତ ସୃଷ୍ଟି କରିବାକୁ ଚେତାବନୀ ଦେଉଛୁ ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଭିଟାମାଟି ସୁରକ୍ଷା ମଂଚ ପକ୍ଷରୁ ଖଦାଳ ମଳିକ, ମହୁରା ମଳିକ ଓ ରଞ୍ଜନ ମଳିକ ସମ୍ବୋଧନ କରିଥିବା ବେଳେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, କୃଷକ ନେତା କାଳୁଚରଣ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଧନ୍ୟବାଦ ସହ