ଗୁଣୁପୁର-ଥେରୁଭାଲି ରେଳପଥ ପାଇଁ କେନ୍ଦ୍ର ସରକାର’ଙ୍କ ବୈମାତୃକ ଭାବ…
ଗଜପତି ,ଚଳିତ ମାସର ପ୍ରାରମ୍ଭରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨଼୦୨୪-୨୫ ଅନ୍ତରୀଣ ରେଳ ବଜେଟ ପାର୍ଲାମେଣ୍ଟରେ ଉପସ୍ଥାପନା କରାଯାଇଛି। ଏଥିରେ ଗଜପତି ଓ ରାୟଗଡ଼ା ଜିଲ୍ଲାବାସୀ ଗୁଣୁପୁର-ଥେରୁବାଲି ରେଳପଥ ଦିଗରେ ରେଳ ବଜେଟ କ୍ଷେତ୍ରରେ ଯେଉଁ ବିକାଶର ଆଶା ଦେଖିଥିଲେ ତାହା ଅଞ୍ଚଳବାସୀଙ୍କୁ ସମ୍ପୂର୍ଣ ଭାବେ ନିରାଶ କରିଛି ।
ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ରଖିଥିବା ବିକାଶର ସ୍ବପ୍ନ ତଥା ଦାବୀକୁ ଏଠାରେ କେନ୍ଦ୍ର ସରକାର ତଥା ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଗତ ହୋଇଥିବା ଅନ୍ତରୀଣ ରେଳ ବଜେଟରେ ବୈମାତୃକ ମନୋଭାବ ପୋଷଣ କରାଯାଇ ଗୁଣୁପୁର-ଥେରୁବାଲି ରେଳପଥ ପ୍ରତି ଲଲିପପ୍ ଦେଖାଇ ଦେଇ ସମ୍ପୂର୍ଣ ଭାବେ ଉପେକ୍ଷା କରାଯାଇଛି ।
ଚଳିତ ଅନ୍ତରୀଣ ରେଳ ବଜେଟରେ ଓଡିଶାକୁ ସର୍ବ ମୋଟ ୧୦,୫୩୬ କୋଟି ଟଙ୍କାର ଆର୍ଥିକ ଅଟକଳ କରାଯାଇଛି।
ଯେଉଁ ବଜେଟରେ କି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ୫୦୦ କୋଟି , ତାଳଚେର-ବିମଳାଗଡ ପାଇଁ ୨୩୦ କୋଟି ,ଜୟପୁର-ମାଲକାନଗିରି ପାଇଁ ୧୩୦ କୋଟି ,ଜୟପୁର- ନବରଙ୍ଗପୁର ପାଇଁ ୨୩୫ କୋଟି ଏବଂ ବାଂଶପାଣି-ଯଖପୁରା ପାଇଁ ୧୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ରହିଛି।
ପରିତାପର ବିଷୟ ଯେ , ଜୟପୁର-ନବରଙ୍ଗପୁର ରେଳପଥର ଦୂରତା ଦୀର୍ଘ ୩୮ କି.ମି. ଥିବାବେଳେ ଗୁଣୁପୁର-ଥେରୁଭାଲି ରେଳପଥର ଦୂରତା ଦୀର୍ଘ ୭୦ କି.ମି.ରୁ ଉର୍ଦ୍ଧ୍ବଥିବା ସତ୍ୱେ ଏହି ରେଳପଥ ପାଇଁ ମାତ୍ର ୫୦ କୋଟି ଅନୁମୋଦିତ ହୋଇଛି ।
ଏଥିରୁ ଅନୁମାନ କରାଯାଉଛି ଯେ , ଆମର ଏହି ଦୀର୍ଘ ଦିନର ରେଳପଥ ପ୍ରତି ରହିଥିବା ଦାବୀକୁ ପରୋକ୍ଷରେ ଉପେକ୍ଷା କରାଯାଉଛି। ବରଂ କୋରାପୁଟର ସାଂସଦ ସପ୍ତଗିରି ଉଲାକା ପାର୍ଲାମେଣ୍ଟରେ ବହୁବାର ଏହି ପ୍ରକଳ୍ପ ବିଷୟରେ ଦାବୀ ଉପସ୍ଥାପନ କରିଛନ୍ତି। କିନ୍ତୁ ରେଳ ବିଭାଗ ବୈମାତୃକ ମନୋଭାବ ପୋଷଣ କରିବା ସଦୃଶ ଗୁଣୁପୁର-ଥେରୁବାଲି ରେଳପଥର ଉନ୍ନତି କରଣ ଦିଗରେ କେନ୍ଦ୍ର ସରକାର କୌଣସି ପ୍ରକାରର ଆଗ୍ରହ ପ୍ରକାଶ କରୁନାହାନ୍ତି।
ଯଦି ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମରେ ଏହି ରେଳପଥ ହୋଇ ନ ଥାନ୍ତା ତା ହେଲେ ଆଜି ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ମଧ୍ୟ ଜାତୀୟ ରେଳପଥରେ ପ୍ରତିଫଳିତ ହେବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ପଡିଥାନ୍ତା ।
ତେଣୁ କେନ୍ଦ୍ର ରେଳ ବିଭାଗ ଏହି ଭଳି ବୈମାତୃକ ମନୋଭାବ ପ୍ରତି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ପାରଳାର ବୁଦ୍ଧିଜୀବୀ ଗବେଷକ ତଥା ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶିକ୍ଷାବିତ୍ ଗୌର ଚନ୍ଦ୍ର ପଣ୍ଡା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା , ଆଶାଲତା ପାଣିଗ୍ରାହୀ , କଳାକାର ମୁରଲୀଧର ପରିଚ୍ଛା , ବରିଷ୍ଠ ସାମ୍ବାଦିକ ଭାଗବତ ପାଢୀ ଏବଂ ଅନ୍ୟାନ୍ୟ ବୁଦ୍ଧିଜୀବୀ ଏହି କ୍ଷେତ୍ରରେ ସେମାନଙ୍କ କ୍ଷୋଭ ଜଣାଇଛନ୍ତି।ଅନ୍ତତଃ ପକ୍ଷେ ଅତିରିକ୍ତ ଆର୍ଥିକ ଅଟକଳ ମାଧ୍ୟମରେ ଗୁଣୁପୁର-ଥେରୁବାଲି ରେଳପଥ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ସେମାନେ କେନ୍ଦ୍ର ସରକାର ତଥା ରେଳ ବିଭାଗକୁ ଅନୁରୋଧ ଜଣାଇଛନ୍ତି ।( ଗଣେଶ କୁମାର ରାଜୁ ଙ୍କ ରିପୋର୍ଟ)