ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନିଷ୍କ୍ରମଣ ଉତ୍ସବ…

ବୁଗୁଡ଼ା : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିରଞ୍ଚିପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ହୋତା , ସମ୍ମାନିତ ଅତିଥି ଭାବେ ସନ୍ତୋଷିନୀ ପାତ୍ର ଓ ଅଶୋକ ନନ୍ଦ ଯୋଗଦାନ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏଥି ସହ ବିଦାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଧ୍ଯୟନ କାଳର ସ୍ମୃତି ଓ ଅନୁଭୂତି ଅବିସ୍ମରଣୀୟ ହୋଇ ରହିବ ବୋଲି ସ୍ବ ସ୍ବ ବକ୍ତବ୍ୟ କାଳରେ ପ୍ରକାଶ କରିଥିବା ବେଳେ ଗୁରୁଜୀ ଓ ଗୁରୁମାବୃନ୍ଦ ସେମାନଙ୍କୁ ଶୁଭାଶିଷ ପ୍ରଦାନ ପୂର୍ବକ ପରୀକ୍ଷା ପାଇଁ ଚାପଗ୍ରସ୍ତ ନ ହୋଇ ସୁସ୍ଥ ମନରେ ଅଧ୍ଯୟନ ସାଙ୍ଗକୁ ଯୋଜନାବଦ୍ଧ ପ୍ରସ୍ତୁତି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠା ଗୁରୁମା ସୁମତି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ଯ ଉତ୍ତମ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।