ମହତ୍ୱକାଂକ୍ଷୀ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦେଖି ଖୁସି ବ୍ୟକ୍ତ କରୁଛନ୍ତି
ମହତ୍ୱକାଂକ୍ଷୀ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦେଖି ଖୁସି ବ୍ୟକ୍ତ କରୁଛନ୍ତି। ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଶ୍ରୀଜଗନ୍ନାଥ ଚେତନା ଓ ଭାବଧାରା ଆଧାରରେ ସମଗ୍ର ରାଜ୍ୟରେ ପରିଭ୍ରମଣ କରିଥିଲା ଅର୍ପଣ ରଥ।ପ୍ରତ୍ୟେକ ବ୍ୟକ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଅକ୍ଷତ,ଗୁଆ। ସେତେବେଳେ ସରକାର ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ଏହି ପ୍ରକଳ୍ପ ପରିକ୍ରମଣ କରାଯିବ ବୋଲି ସୂଚନା ଦେଇଥିଲେ। ସେହି ଆଧାରରେ ଆଜିଠାରୁ ପର୍ଯ୍ୟାୟ କ୍ରମେ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ପ୍ରଥମ ଦିନରେ ଗଞ୍ଜାମ,ବାଲେଶ୍ଵର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡା ଜିଲ୍ଲାର କିଛି ଅଞ୍ଚଳର ଜନସାଧାରଣ ଶ୍ରୀକ୍ଷେତ୍ରରେ ପହଂଚି ଛନ୍ତି । ସମସ୍ତ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସ ଗୁଡିକ ବୀରହରେକୃଷ୍ଣପୁର ଡାହାଣ ପାର୍ଶ୍ଵରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିଛି | ସେଠାରୁ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଗନ୍ତୁକ ଭକ୍ତଙ୍କୁ ଫିଡ଼ର ବସ ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର କୁ ନିଆଯାଇଛି ।ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯାଇଛି । ଏହି କାର୍ଯ୍ୟରେ ବିଭିନ୍ନ ଅଧିକାରୀ, କର୍ମଚାରୀ,ସୁରକ୍ଷା କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ପ୍ରଥମ ଦିନର କାର୍ଯ୍ୟସୂଚୀ ଅନୁସାରେ ସକାଳ ୯ ଘଟିକାରେ କଟକ ମହାନଗର ନିଗମ ଓ ୧୦ ଘଟିକାରେ କଟକ ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳର ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ସେହିପରି ମୟୂରଭଞ୍ଜ, ବାଲେଶ୍ଵର ସକାଳ ୧୦ ଘଟିକା, ଗଞାମ ଓ କେନ୍ଦ୍ରାପଡା ଜିଲ୍ଲାର କିଛି ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଦିବା ୧୨ ଘଟିକାରେ ପହଞ୍ଚିଛନ୍ତି । ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ପଞ୍ଚାୟତରାଜ ବିଭାଗ ଓ ଜିଲ୍ଲା ପ୍ରଶାସନ କ୍ୟାଲେଣ୍ଡର ସହ ନୋଡ଼ାଲ ଅଫିସର ମାନଙ୍କୁ ନିୟୋଜିତ କରାଯାଇଛି ବୋଲି ସୂଚନା ମିଳିଛି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)