November 25, 2024

ମନ୍ଦିରରେ ପାଳି କରିବାକୁ ନେଇ ଗଣ୍ଡଗୋଳ,ରକ୍ତ ରଞ୍ଜିତ ହେଲା ଶୈବପୀଠ

Share

ବୁଗୁଡ଼ା :  ମନ୍ଦିରରେ ପାଳି କରିବାକୁ ନେଇ ଦୁଇ ପୂଜକ ପରିବାର ମଧ୍ୟରେ ହେଲା ଗଣ୍ଡଗୋଳ,ବୁଲିଲା ଠେଙ୍ଗା ଆଉ ପବିତ୍ର ସଂକ୍ରାନ୍ତି ଭଳି ଦିନରେ ରକ୍ତ ରଞ୍ଜିତ ହେଲା ଶୈବପୀଠ l ଗୋଟିଏ ପୂଜକ ପରିବାରର ଆକ୍ରମଣରେ ଗୁରୁତର ଆହତ ହେଲେ ଅନ୍ୟ ଏକ ପୂଜକ ପରିବାରର ତିନି ଜଣ l ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡ଼ି ଗ୍ରାମର ସ୍ଵପ୍ନେଶ୍ଵର ମନ୍ଦିର ପରିସରରେ l ଗୁରୁତର ଆହତମାନେ ହେଲେ ପାଙ୍ଗିଡ଼ି ସ୍ଵପ୍ନେଶ୍ଵର ମନ୍ଦିର ପୂଜକ ରଙ୍କ ନିଧି ପାଣି, ସ୍ତ୍ରୀ ବାସନ୍ତୀ ଦେବୀ ପାଣି ଓ ପୁଅ ବାଲ୍ମୀକି ପାଣି l ସୂଚନା ଅନୁସାରେ ପାଙ୍ଗିଡ଼ି-ବେଲପୁର ରାସ୍ତାରେ ଥିବା ସ୍ଵପ୍ନେଶ୍ଵର ଶିବ ମନ୍ଦିରରେ ପାଙ୍ଗିଡ଼ି ଗ୍ରାମର ୪ ଟି ପୂଜକ ପରିବାର ପ୍ରତ୍ୟେକ ସଂକ୍ରାନ୍ତିରୁ ମାସନ୍ତ ପର୍ଯ୍ୟନ୍ତ ପାଳି ଅନୁସାରେ ପୂଜା କରି ଆସୁଛନ୍ତି l ତେବେ ଏହି ପାଳିକୁ ନେଇ ପୂଜକ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା l ଗତମାସରେ ମୁରଲୀଙ୍କ ପାଳି ଥିଲା ଏବଂ ଗତକାଲି ମାସନ୍ତରେ ତାଙ୍କ ପାଳି ସରିଥିବାରୁ ଆଜି ଠାରୁ ପୂଜା କାର୍ଯ୍ୟ କରିବା ପାଇଁ ମନ୍ଦିରରେ ରଙ୍କନିଧି ଓ ପୁଅ ପ୍ରକାଶ ପହଞ୍ଚିଥିଲେ l ତେବେ ପୂଜକ ମୁରଲୀ ଓ ପୁଅ ପ୍ରକାଶ ଆଜି ସକାଳ ପ୍ରାୟ ୬ଟାରେ ମନ୍ଦିରରେ ପହଞ୍ଚି ତୁମମାନଙ୍କୁ କିଏ କହିଲା ତମ କକାଙ୍କ ପାଳି କରିବାକୁ କହି ପ୍ରଥମେ ହନୁମାନ ମନ୍ଦିରରେ ଥିବା ଭିନ୍ନକ୍ଷମ ପୂଜକ ବାଲ୍ମୀକିକୁ ଠେଙ୍ଗା ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ ଏବଂ ପାଟିତୁଣ୍ଡ ଶୁଣି ବାଲ୍ମୀକିଙ୍କ ମାଆ ବାସନ୍ତୀ ଆସି ଅଟକାଇବାକୁ ଚେଷ୍ଟା କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ଏହା ପରେ ଶିବ ମନ୍ଦିରରେ ପଶି ରଙ୍କନିଧିଙ୍କୁ ଆକ୍ରମଣ କରିଥିଲେ l ଆକ୍ରମଣରେ ସମସ୍ତଙ୍କ ମୁଣ୍ଡରୁ ଧାର ଧାର ରକ୍ତ ବୋହି ମନ୍ଦିର ପରିସରରେ ରକ୍ତର ଛିଟା ପଡିଥିଲା l ଆହତମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ l ଏ ଘଟଣା ପରେ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିବାବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କ ଠାରୁ ପ୍ରକାଶ ପାଇଛି