September 21, 2024

ଜିଆରଏସ ଙ୍କୁ ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ, ବହିଷ୍କାର କଲେ କେନ୍ଦୁଝର ଜିଲ୍ଲାପାଳ

Share

ଜିଆରଏସ ଙ୍କୁ ମହଙ୍ଗା ପଡ଼ିଲା ଦ୍ୱିତୀୟ ବିବାହ, ବହିଷ୍କାର କଲେ କେନ୍ଦୁଝର ଜିଲ୍ଲାପାଳ

ହାଟଡ଼ିହି,
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅନ୍ତର୍ଗତ ବାଲିବରେଇ ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ (ଜିଆରଏସ) ପୂର୍ଣ୍ଣେନ୍ଦୁ କୁମାର ଥାଟୋଇଙ୍କୁ ଜିଲ୍ଲାପାଳ ଆଶିଷ୍ ଠାକରେ ଚିଠି ନଂ ୮୯୫୫, ତା:୨୮.୧୧.୨୦୨୩ ଜରିଆରେ ଚାକିରି ରୁ ବହିଷ୍କାର କରିଥିବା ଜଣାପଡ଼ିଛି ।ସୂଚନା ଅନୁଯାଇ ଉକ୍ତ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା ହାଟଡ଼ିହି ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ ଗତ ବର୍ଷ ଅଗଷ୍ଟ ମାସ ୨୨ ତାରିଖ ରେ ପୂର୍ଣ୍ଣନ୍ଦୁଙ୍କ ବିରୁଦ୍ଧରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ସହ ସରକାରୀ ପଦ ଓ କ୍ଷମତାର ଅପବ୍ୟବହାର କରି ବେଆଇନ ଅର୍ଥ ଉପାର୍ଜନ କରିବା ଏବଂ ଦ୍ୱିତୀୟ ବିବାହ କରିବା ଭଳି ଘଟଣା ଲୋକାୟୁକ୍ତ ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ମାନ୍ୟବର ଲୋକାୟୁକ୍ତ ଚଳିତ ବର୍ଷ ମାର୍ଚ୍ଚ ମାସ ୨୦ ତାରିଖ ରେ ନିଜସ୍ୱ ତଦନ୍ତକାରୀ ସଂସ୍ଥା କୁ ପ୍ରାଥମିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଉପ ଆରଷୀ ଅଧିକ୍ଷକ ସୁଶାନ୍ତ କୁମାର ପାଣିଗ୍ରାହୀ ଲୋକାୟୁକ୍ତ ଆଇନ-୨୦୧୪ ର ଧାରା ୨୦(୨) ଅନୁଯାଇ ତଦନ୍ତ କରି ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିଥିଲା । ଏହାପରେ ୨୭.୧୦.୨୦୨୩ ରିଖ ରେ ମାନ୍ୟବର ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ତପୀଠ ତଦନ୍ତ ରିପୋର୍ଟ ଆଧାରରେ ମତ ରଖିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲାପାଳ ଚଳିତ ମାସ ୪ ତାରିଖ ଦିନ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୂର୍ଣ୍ଣେନ୍ଦୁଙ୍କ ପକ୍ଷ ଶୁଣିଥିଲେ । ଜିଲ୍ଲାପାଳଙ୍କ ଚିଠି ଅନୁଯାଇ ଜିଆରଏସ ପୂର୍ଣ୍ଣେନ୍ଦୁ କୁମାର ଥାଟୋଇ ପ୍ରଥମେ ଦିପ୍ତିମୟୀ ମହାନ୍ତି ଓ ପରେ ଇତିଶ୍ରୀ ଖଟୁଆ ଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏସମ୍ପର୍କରେ ଜିଆରଏସ୍ ଙ୍କ ପ୍ରଥମ ପତ୍ନୀ ଦିପ୍ତିମୟୀ ସୋସୋ ଥାନାରେ ଆଇପିସି ର ଧାରା ୪୯୮-କ, ୪୯୪, ୩୦୭, ୫୦୫, ୩୪ ଏବଂ ଯୌତୁକ ନିରୋଧ ଆଇନ ର ଧାରା ୪ ଅନୁଯାଇ ଏକ ମାମଲା (କେସ୍ ନଂ- ୬୯/୨୦୧୭) ରୁଜ୍କୁ କରିଥିଲେ । ଦିପ୍ତିମୟୀଙ୍କ ଅଭିଯୋଗ ଆଧାରରେ ଶ୍ରୀ ଥାଟୋଇ ଜେଲ୍ ଯିବା ସହ ପରେ ଜାମିନ୍ ରେ ଆସିଥିଲେ । ବାଲିବରେଇ ଗ୍ରାମ ପଞ୍ଚାୟତରେ ଜିଆରଏସ୍ ଭାବେ ଚାକିରି କରିବା ସମୟରେ ମନରେଗା ଗାଇଢଲାଇନ କୁ ବେଖାତିର କରି ନିଜ ଦ୍ୱିତୀୟ ପତ୍ନୀଙ୍କ ନାମରେ ଏକ ଭେଣ୍ତର ଲାଇସେନ୍ସ (ରାମ ଟ୍ରେଡ଼ର୍ସ) ଖୋଲି ସାମଗ୍ରୀ ଯୋଗାଇଥିଲେ । ଏଠାରେ ପ୍ରକାଶ ଥାଉକି ବାଲିବରେଇ ଗ୍ରାମ ପଞ୍ଚାୟତରେ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ୬୩ ଜଣ ହିତାଧିକାରୀଙ୍କ ର ୧ ଲକ୍ଷ ୨୬ ହଜାର ଟଙ୍କା ଆତ୍ମସାତ୍ ଘଟଣାରେ ମଧ୍ୟ ପୂର୍ଣ୍ଣେନ୍ଦୁ ଥାଟୋଇଙ୍କ ସମ୍ପୃକ୍ତି ରହିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହାଟଡ଼ିହି ବି.ଡ଼ି.ଓ. ୩୧.୧୦.୨୦୨୨ ରେ ସୋସୋ ଥାନାରେ ଏକ ଏତଲା ଦାୟର କରିଥିଲେ । ପରବର୍ତ୍ତୀ ସମୟରେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଆଦେଶ ନଂ ୭୬୯୩ ତା: ୨୯/୦୪/୨୦୨୧ ବଳରେ ଜିଲ୍ଲାପାଳ ଚିଠି ନଂ ୭୯୬ ତା: ୦୮/୦୨/୨୦୨୩ ରେ ଶ୍ରୀ ଥାଟୋଇଙ୍କୁ ହାଟଡ଼ିହି ବ୍ଲକ୍ ବାଲିବରେଇ ଗ୍ରାମ ପଞ୍ଚାୟତରୁ ତେଲକୋଇ ବ୍ଲକ୍ ର ବଳଭଦ୍ରପୁର ପଞ୍ଚାୟତକୁ ବଦଳି କରିଥିଲେ । ବଦଳିପରେ ଶ୍ରୀ ଥାଟୋଇ ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗଦେବା ପରିବର୍ତ୍ତେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଛୁଟିରେ ରହୁଥିଲେ । ଏବାବଦରେ ବାରମ୍ବାର ତାଗିଦ୍ ପରେ ତେଲକୋଇ ବିଡ଼ିଓ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ସମସ୍ତ ଅଭିଯୋଗ ଶୁଣିବା ପରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ର ଆଦେଶ ନଂ ୭୬୯୩, ତା:୨୯.୦୪.୨୦୨୧ ଆଧାରରେ ପୂର୍ଣ୍ଣେନ୍ଦୁଙ୍କୁ ଜିଲ୍ଲାପାଳ ବହିଷ୍କାର କରିଥିବା ଜଣାପଡ଼ିଛି । ଲୋକାୟୁକ୍ତରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡ଼ିସେମ୍ବର ୮ ତାରିଖ ରେ ଥିବା ଜଣାପଡ଼ିଛି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)