November 25, 2026

ଚିତ୍ରକୋଣ୍ଡା ବ୍ଲକ୍‌ରେ ଜିଲ୍ଲାପାଳଙ୍କ ମାରାଥନ୍ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ: ଉନ୍ନୟନମୂଳକ ପ୍ରକଳ୍ପ ଓ ସରକାରୀ ସେବାକୁ ତ୍ୱରାନ୍ୱିତ କରିବାକୁ କଡ଼ା ନିର୍ଦ୍ଦେଶ..

IMG-20261125-WA0070
Share

**ଚିତ୍ରକୋଣ୍ଡା (ମାଲକାନଗିରି), ୨୫ ନଭେମ୍ବର:*ମାଲକାନଗିରି ଜିଲ୍ଲାର ଉପାନ୍ତ ତଥା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକ୍‌ର ସାମଗ୍ରିକ ବିକାଶକୁ ଗତିଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ଚିତ୍ରକୋଣ୍ଡା ବ୍ଲକ୍ ଗସ୍ତ କରି ବ୍ଲକ୍ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଭିତ୍ତିଭୂମି ନିର୍ମାଣ ଓ ପ୍ରଶାସନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି ।ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ଚିତ୍ରକୋଣ୍ଡା ବ୍ଲକ୍ କାର୍ଯ୍ୟାଳୟଠାରେ ପହଞ୍ଚି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ବ୍ଲକ୍ ଅଞ୍ଚଳରେ ଚାଲିଥିବା ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ବର୍ତ୍ତମାନର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଯେପରି ସ୍ୱଚ୍ଛତା ଓ ସଠିକ୍ ଭାବେ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଦୁର୍ଗମ ଅଞ୍ଚଳର ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ସୁବିଧା ପୂରଣ କରିବା ଏବଂ ସେମାନଙ୍କ ଜୀବିକା ବିକାଶକୁ ପ୍ରାଥମିକତା ଦେଇ ଚିତ୍ରକୋଣ୍ଡା ଅଞ୍ଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । କୌଣସି ପ୍ରକଳ୍ପ କାର୍ଯ୍ୟରେ ଅଯଥା ବିଳମ୍ବ ନକରି ଗୁଣବତ୍ତା ବଜାୟ ରଖିବାକୁ ସେ ତାଗିଦ କରିଥିଲେ । ଜିଲ୍ଲାପାଳ କହିଛନ୍ତି ଯେ ଚିତ୍ରକୋଣ୍ଡା ଅଞ୍ଚଳର ସାମଗ୍ରିକ ବିକାଶ ଆମ ପ୍ରଶାସନର ପ୍ରମୁଖ ଲକ୍ଷ୍ୟ । ପ୍ରତ୍ୟେକ ଉନ୍ନୟନମୂଳକ ପ୍ରକଳ୍ପ ଓ ସରକାରୀ ଯୋଜନାର ଲାଭ ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତୃଣମୂଳ ସ୍ତରର ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ, ତାହା ସୁନିଶ୍ଚିତ କରିବାକୁ ସମସ୍ତ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବ୍ଲକ୍ କାର୍ଯ୍ୟାଳୟର ବୈଠକ ପରେ ଜିଲ୍ଲାପାଳ ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାକାର ପ୍ରଶାସନିକ କାର୍ଯ୍ୟକଳାପ ତଦାରଖ କରିଥିଲେ । ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ସାଧାରଣ ଜନତାଙ୍କୁ କିପରି ତ୍ୱରିତ ଓ ସୁବିଧାରେ ସେବା ମିଳିପାରିବ, ସେ ନେଇ ସେ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ତହସିଲରେ ରାଜସ୍ୱ ସେବା, ଜମିଜମା ସମ୍ବନ୍ଧୀୟ କାର୍ଯ୍ୟ ଏବଂ ରେକର୍ଡ ପରିଚାଳନାକୁ ଅଧିକ ବ୍ୟବସ୍ଥିତ ଓ ଡିଜିଟାଲାଇଜ୍ କରିବା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ । ଏହାପରେ ସେ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଗସ୍ତ କରି ସେଠାକାର କାର୍ଯ୍ୟର ସମୀକ୍ଷା କରିଥିଲେ । ଆଇସିଡିଏସ ମାଧ୍ୟମରେ ଗର୍ଭବତୀ ମହିଳା, ପ୍ରସୂତି ଓ ଶିଶୁମାନଙ୍କ ପୁଷ୍ଟିସାଧନ ତଥା ବିକାଶମୂଳକ ଯୋଜନାଗୁଡ଼ିକର ସଫଳ ରୂପାୟନ ଉପରେ ସେ ଗୁରୁତ୍ୱାରୋପ କରିବା ସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟଧାରାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏହି ଗସ୍ତ ସମୟରେ ଜିଲ୍ଲାପାଳ ଚିତ୍ରକୋଣ୍ଡାଠାରେ ନିର୍ମାଣାଧୀନ ନୂତନ ତହସିଲ କାର୍ଯ୍ୟାଳୟ କୋଠାର ନିର୍ମାଣ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରି ଅଗ୍ରଗତି ଅନୁଧ୍ୟାନ କରିଥିଲେ । ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ କରିବା ସହ ଯଥାଶୀଘ୍ର କୋଠା ନିର୍ମାଣ ଶେଷ କରିବାକୁ ସେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗସ୍ତର ଶେଷ ପର୍ଯ୍ୟାୟରେ ଜିଲ୍ଲାପାଳ ବାଲିମେଳା ଉପ-କୋଷାଗାର ପରିଦର୍ଶନ କରି ସେଠାକାର ଆର୍ଥିକ ପରିଚାଳନା, ରେକର୍ଡପତ୍ର ଓ ଦୈନନ୍ଦିନ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଚିତ୍ରକୋଣ୍ଡା ବିଡିଓ, ତହସିଲଦାର, ସିଡିପିଓ ଏବଂ ଅନ୍ୟାନ୍ୟ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

You may have missed