ଦୟନୀୟ ଅବସ୍ଥାରେ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ, କ୍ରୀଡା ପ୍ରତିଯୋଗିତା ପାଇଁ ଅନୁପଯୋଗୀ, ପ୍ରତିକାର ଦାବି
ବୁଗୁଡ଼ା : ତା ୨୫/୧୧/୨୬ : ତୃଣମୂଳସ୍ତରରୁ କ୍ରୀଡା ଓ କ୍ରୀଡାର ଭିତ୍ତିଭୂମି ସଜାଡିବାକୁ ସରକାର ଗୁରୁତ୍ବ ପ୍ରଦାନ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମଟି ଶୋଚନୀୟ ଅବସ୍ଥାରେ ରହିଛି। ଷ୍ଟାଡିୟମଟି ଭଙ୍ଗା ପ୍ରାଚୀର ସାଙ୍ଗକୁ ଲାଜକୁଳିଲଟାରେ ପରିପୂର୍ଣ୍ଣ ହୋଇରହିଛି। ଖାଲଖମାଭରା ପଡିଆଟିର ଠାଏଁ ଠାଏଁ ମାଟିପଥର ଗଦାମାନ ଜମା ହୋଇଛି। ଷ୍ଟାଡିୟମଟି କ୍ରୀଡା ଅନୁପଯୋଗୀ ଅବସ୍ଥାରେ ରହିଥିବାରୁ ସେଠାରେ କୌଣସି କ୍ରୀଡା ପ୍ରତିଯୋଗିତା ସଠିକ୍ ଭାବେ ହୋଇପାରୁନି। ଅନ୍ୟପକ୍ଷରେ ଦୌଡ ପ୍ରତିଯୋଗିତା ଆୟୋଜନ ପାଇଁ ବୁଗୁଡ଼ା ସହରରେ ପଡିଆଟିଏ ନାହିଁ। ଫଳରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ କ୍ରୀଡା ପ୍ରତିଯୋଗିତାମାନ ଆୟୋଜନ ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବାଧ୍ୟବାଧକତାରେ ବ୍ଲକ ସ୍ତରୀୟ କାମଚଳା କ୍ରୀଡା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଆସୁଅଛି। ଏହି ମିନି ଷ୍ଟାଡିୟମଟିର ଦୂରବସ୍ଥା ପ୍ରତି ସ୍ଥାନୀୟ ପ୍ରଶାସନର ନିଘା ନଥିବାରୁ କ୍ରୀଡା ପ୍ରତିଯୋଗିତା ଆୟୋଜକ ସଂସ୍ଥାଗୁଡ଼ିକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ମିନି ଷ୍ଟାଡିୟମଟି ନିର୍ମାଣ ପରଠୁ ହିଁ ତାହାର ପଡିଆଟି ଖାଲଢିପରେ ପରିପୂର୍ଣ୍ଣ ହୋଇରହିଛି। ଷ୍ଟାଡିୟମଟି ନିର୍ମାଣକରି ଠିକାଦାର ଏବଂ ପ୍ରଚ୍ଛଦପଟରେ ଥିବା ରାଜନେତା ଲାଭବାନ ହୋଇଥିବା ବେଳେ କ୍ରୀଡାବିତ୍ କୌଣସି ସୁଫଳ ପାଇପାରୁନାହାନ୍ତି। ଷ୍ଟାଡିୟମଟିକୁ କ୍ରୀଡା ଉପଯୋଗୀ କରିବା ପାଇଁ ବାରମ୍ବାର ନିବେଦନ ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ଅଣଦେଖା କରିଆସୁଛି। ଆଗାମୀ ଦିନରେ ବୁଗୁଡ଼ା ସହରାଞ୍ଚଳର ବିଭିନ୍ନ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅବସରରେ ଦୌଡ ପ୍ରତିଯୋଗିତା ପାଇଁ ଏହି ଷ୍ଟାଡିୟମଟି ବ୍ଯତୀତ ଅନ୍ୟ କୌଣସି ସ୍ଥାନ ନଥିବା ବେଳେ ଷ୍ଟାଡିୟମଟିର ଦୂରବସ୍ଥା ଚିନ୍ତାର କାରଣ ପାଲଟିଛି। ଏଣୁ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
