ଗଜପତି:- ଜିଲ୍ଲା ଆଇନ-ସେବା ପ୍ରାଧିକରଣ ପକ୍ଷରୁ “ସୁରକ୍ଷିତ ବାଲ୍ୟକାଳ ଅଭିଯାନ” ସମ୍ପର୍କିତ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
– ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (ଓସଲସା), କଟକ’ଙ୍କ ନିର୍ଦ୍ଦେଶକ୍ରମେ ତଥା ଗଜପତି ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଲସା)ର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅପରାହ୍ନ ସମୟରେ ପାରଳାଖେମୁଣ୍ଡି ସ୍ଥିତ ଆରସେଟି ସମ୍ମିଳନୀ କକ୍ଷଠାରେ “ସୁରକ୍ଷିତ ବାଲ୍ୟକାଳ ଅଭିଯାନ” ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟତଃ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ପ୍ରଦାନ କରିବା ଏବଂ ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ, ୨୦୧୨ (ପୋକସୋ ଆଇନ) ସମ୍ପର୍କରେ ବିଦ୍ୟାଳୟ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ସର୍ବଭାରତୀୟ ଅଭିଯାନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ।
ଏହି ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଚିହ୍ନଟ ହୋଇଥିବା ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଲସା)ର ସଚିବ ଶ୍ରୀ ବିମଳ ରାଉଳ, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ପ୍ରିନ୍ସିପାଲ୍ ମାଜିଷ୍ଟ୍ରେଟ୍ ଶ୍ରୀ ସତ୍ୟବ୍ରତ ରଣା, ପାରଳାଖେମୁଣ୍ଡି ବାର୍ ଆସୋସିଏସନର ଆଇନଜୀବୀ ଶ୍ରୀ ପ୍ରମୋଦ ରାଉଳ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାୟାଧର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ, ସ୍ୱତନ୍ତ୍ର କିଶୋର ପୋଲିସ୍ ୟୁନିଟ୍, ପାରଳାଖେମୁଣ୍ଡିର ଡିଏସ୍ପି ଶ୍ରୀ ନିରଞ୍ଜନ ବେହେରା ଏବଂ ଶିଶୁ ମଙ୍ଗଳ କମିଟି (ସି:ଡବ୍ଲ୍ୟୁ:ସି)ର ଅଧ୍ୟକ୍ଷ ଶ୍ରୀ ଅମୀୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।
ଏହି ଅବସରରେ ଉପସ୍ଥିତ ବିଶେଷଜ୍ଞ ମାନେ ପୋକସୋ ଆଇନର ବିଭିନ୍ନ ଦିଗ, ଶିଶୁ ଯୌନ ନିର୍ଯାତନାର ଚିହ୍ନଟ, ଏଭଳି ଘଟଣାର ଆଇନଗତ ରିପୋର୍ଟିଂ, ଶିଶୁମାନଙ୍କ ସୁରକ୍ଷା ଓ ଅଧିକାର, ଏବଂ ବିଦ୍ୟାଳୟ ସ୍ତରରେ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଉପରେ ଆଲୋକପାତ କରିଥିଲେ।
ଶିଶୁମାନଙ୍କ ପାଇଁ ଏକ ନିରାପଦ, ସୁରକ୍ଷିତ ଓ ଭୟମୁକ୍ତ ପରିବେଶ ଗଠନ କରିବା ସହିତ ସେମାନଙ୍କ ଅଧିକାରର ସୁରକ୍ଷା ଦିଗରେ ଶିକ୍ଷକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ତାଲିମଦାତା ମାନେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକରେ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତାକୁ ଆହୁରି ବ୍ୟାପକ କରିବା ଏବଂ ଶିଶୁ ମାନଙ୍କ ପାଇଁ ସୁରକ୍ଷିତ ବାଲ୍ୟକାଳ ସୁନିଶ୍ଚିତ କରିବା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଥିଲା।
—————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————
