ତିର୍ତ୍ତୋଲ ରେ ଆଭାସୀ ମିଟିଂ ଜରିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ତିର୍ତ୍ତୋଲ
ଗରିବ, ଦିନ ଦରିଦ୍ର, ଏଚ. ଆଇ. ଭି. ସଂକ୍ରମିତ ଓ ଭିନ୍ନକ୍ଷମ ଅସହାୟ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂତନ ଗୃହ ଯୋଜନା ଅନ୍ତ୍ୟୋଦୟ ଗୃହ ନାମରେ ମିଳିବାକୁ ଯାଉଥିବା ବେଳେ ଆଜିର ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଛନ୍ତି l ଏଥିପାଇଁ କଳାହାଣ୍ଡିରୁ ସିଧା ପ୍ରସାରଣ କରାଯାଇ ଥିବାର ଦେଖିବାକୁ ମିଳିଥିଲା l ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ପରିସରରେ ଏକ ଉଦ୍ଘାଟନୀ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ତିର୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ସଭାପତିତ୍ୱ କରିଥିବାବେଳେ, ମଞ୍ଚ ପରିଚାଳନା କରିଥିଲେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା l ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟକ ଶ୍ରୀଯୁକ୍ତ ରମାକାନ୍ତ ଭୋଇ, ସମ୍ମାନିତ ଅତିଥିଭାବେ ଡି.ଆର.ଡ଼ି.ଏ. ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲା ପରିଷଦ ରଞ୍ଜିତା ସିଂହ ଏବଂ ଏ.ବି.ଡି.ଓ. ସତ୍ୟଜିତ ସ୍ୱାଇଁ ଯୋଗ ଦେଇ ନିଜନିଜ ହୃଦୟରୁ ଆବାସ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ l କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଆବାସ ଗୃହରୁ ବଞ୍ଚିତ ନହେବେ ସେଥିପାଇଁ ଦଳଗତ ନିର୍ବିଶେଷରେ ସରପଞ୍ଚ ମାନେ ନିଜ ନିଜର ପଞ୍ଚାୟତ ରୁ ଯୋଗ୍ୟ ହିତାଧିକାରୀ ଙ୍କୁ ଚୟନ କରିବେ l କେତେ ଲୋକଙ୍କର କଟି ଯାଇଛି ବୋଲି ଅଭିଯୋଗ ଆସିଥିବାରୁ ବିଧାୟକ ତାହାର ଉତ୍ତରରେ କହିଥିଲେ ଯେ ତାହା ପୁନର୍ବାର ଯାଞ୍ଚ କରାଯିବ ଏବଂ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯାଇ ଅନ୍ତ୍ୟୋଦୟ ଆବାସ ଗୃହ ଯୋଗେଇ ଦିଆଯିବ, ଏହା ନିଧାର୍ଯ୍ୟ ହେବ ବୋଲି ପ୍ରତିଶୃତି ଦେଇଥିବାର ଶୁଣିବାକୁ ମିଳିଥିଲା l ଉକ୍ତ ସଭାରେ ସହସ୍ରାଧିକ ବ୍ୟକ୍ତି,୨୯ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିବା ବେଳେ ଭିନ୍ନକ୍ଷମ ଓ ପ୍ରାୟ ୧୩୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଆଦେଶପତ୍ର ବଣ୍ଟନ କରାଯାଇଥିଲା ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ,