ତିନି ଅସହାୟ ଶିଶୁ ଉଦ୍ଧାର ଓ ପ୍ରଶାସନ ଦ୍ୱାରା ଥଇଥାନ
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ଠାରୁ ତିରିଶ କି.ମି ଦୂରରେ ଅବସ୍ଥିତ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ଅଧିନସ୍ଥ ସିକେରକୁପା ଗ୍ରାମରୁ ତିନି ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଥଇଥାନ କରାଯାଇଛି। ସୂଚନା ଅନୁଯାୟୀ,ସିକେରକୁପା ଗ୍ରାମର ଜ୍ୟୋତି ମୋଗଲେ ତାଙ୍କ ସ୍ୱାମୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ତିନି ସନ୍ତାନଙ୍କ ପ୍ରତିପୋଷଣ କରି ନପାରି ସେମାନଙ୍କୁ ଗ୍ରାମରେ ଛାଡି ଜୀବିକା ଅନ୍ୱେଷଣରେ ଜିଲ୍ଲା ବାହାରକୁ ଚାଲିଯାଇ ଆଜି ପର୍ଯ୍ୟନ୍ତ ଫେରି ନାହାନ୍ତି। ସେଥିଯୋଗୁଁ ତାଙ୍କ ତିନି ଜଣ ସନ୍ତାନ ଦୁର୍ଗା ମୋଗଲେ, ଦେବ ମୋଗଲେ ଓ ସୋନୁ ମୋଗଲେ ସମ୍ପୂର୍ଣ ଅସହାୟ ହୋଇପଡିବା ସହ ପରିତ୍ୟକ୍ତ ଅବସ୍ଥାରେ ଥିବା ମାଟି ଘରେ ବଡ କଷ୍ଟରେ ରହିଆସୁଥିଲେ। ଏନେଇ କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ କିଛି ସମାଜ ସେବି ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଜିଲ୍ଲାର ଜଣେ ବିଶିଷ୍ଠ ସମାଜସେବୀ ଶ୍ରୀ ସତ୍ୟନାରାୟଣ ବିଶି ଏହି ତିନି ଜଣ ଅସହାୟ ଶିଶୁଙ୍କୁ ସୁରକ୍ଷା ଦେବାସହ ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ଅଣ୍ଟା ଭିଡ଼ିଥିଲେ ଏବଂ ଏଥିରେ ସିକେରକୁପା ଫାଣ୍ଡି ଅଧିକାରୀ ମୁରଲୀମୋହନ ପୀଡ଼ିକା ମଧ୍ୟ ସହଯୋଗ କରିଥିଲେ ଏବଂ ତିନି ଜଣ ଶିଶୁଙ୍କୁ ସେଠାରୁ ଉଦ୍ଧାର କରି ଭବାନୀପାଟଣା ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ହାଜର କରିଥିଲେ। ଏହାପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ କେସିଙ୍ଗା ସ୍ଥିତ ଏକ ଆଶ୍ରମରେ ଏହି ତିନି ଶିଶୁଙ୍କୁ ଥଇଥାନ କରାଯାଇଛି।
