ଶିଶୁ ସାହିତ୍ୟିକା ଲୋପା ସାମଲଙ୍କ ଜଗନ୍ନାଥ ଜଣାଣ ପୁସ୍ତକ ‘ଚକା ଚକା ଆଖି ଦୁଇ’ ଶ୍ରୀଜିଉଙ୍କୁ ଶ୍ରଦ୍ଧାର୍ପିତ
ବ୍ରହ୍ମପୁର, ୩୦/୭ : ବ୍ରହ୍ମପୁର ମହାନଗରର ବିଶିଷ୍ଟ ଲେଖିକା ତଥା ଶିଶୁ ସାହିତ୍ୟିକା ଲୋପା ସାମଲଙ୍କ ଦ୍ୱାରା ରଚିତ ଜଗନ୍ନାଥ ଜଣାଣ ପୁସ୍ତକ ‘ଚକା ଚକା ଆଖି ଦୁଇ’ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସ୍ଥାନୀୟ କୋର୍ଟପେଟା ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କୁ ଶ୍ରଦ୍ଧାର୍ପଣ କରାଯାଇଛି। ପ୍ରଥମେ ମନ୍ଦିର ପୂଜକଙ୍କ ଦ୍ୱାରା ପୁସ୍ତକର ଏକ ପ୍ରତିଲିପି ଶ୍ରୀଜିଉଙ୍କ ନିକଟରେ ଅର୍ପଣ ପୂର୍ବକ ପୂଜାପାଠ କରାଯାଇଥିଲା। ଏହାପରେ ଲେଖିକା ଲୋପା ସାମଲଙ୍କ ଆବାହକତ୍ୱରେ ପୁସ୍ତକ ଉନ୍ମୋଚନ ଓ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିତ୍ରଶିଳ୍ପୀ ରବୀନ୍ଦ୍ର କୁମାର ମାଝୀ, ସାହିତ୍ୟିକ ସୁଶାନ୍ତ କୁମାର କର, କବି ଚନ୍ଦ୍ରଶେଖର ମହାପାତ୍ର, ବିଷ୍ଣୁପ୍ରିୟା ସାମଲ, ତରଣିସେନ ଜେନା, ମଦନମୋହନ ଜେନା, କାହ୍ନୁଚରଣ ନାୟକ, ଇଂ. ସ୍ୱାଗତିକା ରାଉତ, ଆଦିତ୍ୟ ଜେନା, ଜଲି ସାମଲ, ଅଂଶିକା ନାୟକଙ୍କ ସମେତ ବହୁ ଶୁଭେଚ୍ଛୁ, ଭକ୍ତ ଉପସ୍ଥିତ ଥିଲେ। ଏହି ଅବସରରେ ଚନ୍ଦ୍ରଶେଖର ମହାପାତ୍ର ଉକ୍ତ ପୁସ୍ତକର ଏକ ଜଣାଣ ଗାନକରି ଉପସ୍ଥିତ ଭକ୍ତମଣ୍ଡଳୀକୁ ସହ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶେଷରେ ସାହିତ୍ୟିକା ଲୋପା ସାମଲଙ୍କ ତରଫରୁ ସମସ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।
