ବୁଗୁଡ଼ା ନଗର ମଣ୍ଡଳରେ ଜନ ଆକ୍ରୋଶ ମହିଳା ପଦଯାତ୍ରା

ବୁଗୁଡ଼ା : ତା ୩୦/୦୪/୨୬ : ମହିଳାମାନଙ୍କୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ବୁଗୁଡ଼ା ପକ୍ଷରୁ ମହିଳା ଜନ ଆକ୍ରୋଶ ପଦଯାତ୍ରା ବୁଗୁଡ଼ା ନଗର ସଭାନେତ୍ରୀ ଡି.ରେଶ୍ମା ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ମାସରେ ଆହୁତ ସ୍ବତନ୍ତ୍ର ଅଧିବେଶନ କାଳରେ ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ କଂଗ୍ରେସ ସହ ଡିଏମକେ,ଟିଏମସି, ସମାଜବାଦୀ, ବିଜେଡି ଏବଂ ଇଣ୍ଡି ଗଠବନ୍ଧନର ଦଳମାନେ ମଧ୍ୟ ବିରୋଧ କରିଥିଲେ। ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ମହିଳା ମାନଙ୍କ ପାଇଁ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ଐତିହାସିକ ଅଧିନିୟମ ବିଲ୍କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବା ନେଇ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ବୁଗୁଡ଼ା ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପଦଯାତ୍ରା କରାଯାଇଛି। ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିର ଠାରୁ ଏକ ପଦଯାତ୍ରାରେ ବାହାରି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ ଓ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ଲୋଗାନ ଦେଇ ଏହି ଯାତ୍ରା ମଦନ ମୋହନ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଉଭୟଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ
ମହିଳା ମୋର୍ଚ୍ଚା ନଗର ସଭାନେତ୍ରୀଙ୍କ ସମେତ ନଗର ମଣ୍ଡଳ ଉପସଭାପତି ୟୁ.ଚନ୍ଦନା ପାତ୍ର,ନଗର ମଣ୍ଡଳ ଉପସଭାପତି ପ୍ରମିଳା ପ୍ରଧାନ, ସମ୍ପାଦିକା ସୁନୀତା ଗୌଡ଼, ବିଷ୍ଣୁ ସାହୁ,କୁନୀ ପାତ୍ର, ରଞ୍ଜିତା ପାଢ଼ୀ , ଆଇନଜୀବୀ ହରପ୍ରସାଦ ସାହୁ, ନଗର ସଭାପତି କେଦାରନାଥ ମହାରଣା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କେ.ମାନସ ରଞ୍ଜନ ସୁବୁଦ୍ଧି, ନଗର ମଣ୍ଡଳ ପ୍ରଭାରୀ ହରିକୃଷ୍ଣ ସାହୁ, ଜିଲ୍ଲା ଉପସଭାପତି ସୁନୀଲ ପାଢ଼ୀ,ମଣ୍ଡଳ ସଭାପତି କାର୍ତ୍ତିକ ମଙ୍ଗଳ ସମେତ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚାର ବହୁ ସଂଖ୍ୟକ ସଦସ୍ୟ ଏହି ଆକ୍ରୋଶ ପଦଯାତ୍ରାରେ ସାମିଲ ହୋଇଥିଲେ।
