ଅକ୍ଷୟ ତୃତୀୟା ଓଡ଼ିଆଙ୍କ ଜୀବନ ଜୀବିକା ପରମ୍ପରାର ଉତ୍ସ।

ବୋଲଗଡ଼,୩୦/୦୪(ସୁଶାନ୍ତ କୁମାର ପ୍ରଧାନ): ଅକ୍ଷୟ ତୃତୀୟା ଚାଷର ଆରମ୍ଭ ଏବଂ ବୈଶାଖ ମାସର ମୁଖ୍ୟ ତିଥି ଓ ପବିତ୍ର ଦିନ ଅଟେ, ଯେଉଁଠି ଖରିଫ ଚାଷ ପାଇଁ ଚାଷୀ ମୁଠି ଅନୁକୂଳ କରିଥାଏ।ଆମ ଓଡ଼ିଆ ପରମ୍ପରା ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟା ଚଷା ପୁଅଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅକ୍ଷୟ ତୃତୀୟା ଆମସମାଜ ର ଜୀବନ ଶୈଳୀର ଅଂଶ ବିଶେଷ ଅଟେ। ଚାଷୀଭାଇମାନେ ଏହାକୁ ବଡ଼ ପବିତ୍ର ଦିବସ ରୂପେ ପାଳନ କରିଥାନ୍ତି । ଏହି ଦିନରେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ବିଶ୍ୱାସ ରହିଛି ଏହି ପବିତ୍ର ଦିନରେ ବିହନ ବୁଣା ହେଲେ ଖଳାକୁ ଭଲ ଫସଲ ଆସିଥାଏ। ଏହି ଅକ୍ଷୟ ତୃତୀୟା ଦିବସରେ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ରଥଯାତ୍ରା ପାଇଁ ରଥ ନିର୍ମାଣ ହୋଇଥାଏ। ଏଥି ସହିତ ଏହି ଦିନରେ ବିବାହ ଏବଂ ନୂଆ ଘର ପ୍ରତିଷ୍ଠା ଅନେକ ଲୋକ କରିଥାନ୍ତି।
ଅକ୍ଷୟ ତୃତୀୟା ଦିନ ଚଷାପୁଅ ସକାଳୁ ସକାଳୁ ଉଠି ଚାଷ ଜମିରେ ପହଞ୍ଚି ଅକ୍ଷିମୁଠି ଅନୁକୁଳ କରେ । ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ଚାଷୀ ଘରେ କୃଷି ସରଞ୍ଜାମ ସାଜସଜା କରିବା ପରମ୍ପରା ବହୁ ପୁରୁଣା । ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ ଚଷାପୁଅ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ହଳ ବୁଲାଇ ବିହନ ବୁଣିଥାଏ ଚାଷୀ। ସେହିଭଳି ଏହି ଦିନ ବଳଦକୁ ଗାଧୋଇ, ତା ମୁଣ୍ଡରେ ସିନ୍ଦୁର ହଳଦୀ ଲଗାଇ ପୂଜାର୍ଚ୍ଚନା କରାଯାଏ । ଆଉ ଅକ୍ଷୟ ତୃତୀୟା ତିଥିରେ ହଳ ଲଙ୍ଗଳ ଧରି କ୍ଷେତକୁ ବାହାରି ଯାଇଥାନ୍ତି ଚାଷୀ। କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ମହତ୍ତ୍ୱ ଓଡ଼ିଆ ପରମ୍ପରାରେ ଆଜି ବି ଉଜ୍ଜିବୀତ ରହିଛି । ଅକ୍ଷୟ ତୃତୀୟା ଆମ ଦେଶରେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଇଥାଏ।
ସମ୍ବାଦଦାତା-ସୁଶାନ୍ତ କୁମାର ପ୍ରଧାନ।