April 2, 2025

ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା ପରିବର୍ତ୍ତେ ୩୦ ହଜାର ଟଙ୍କା ପ୍ରଦାନ କରନ୍ତୁ – ବସ୍ତା ବିଧାୟିକା ସୁବାସିନୀ ଜେନା

Share

 

 

ବାଲେଶ୍ୱର: ସୁଭଦ୍ରା ଯୋଜନାରେ ସରକାର ପ୍ରତି ମହିଳାଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ପ୍ରଦାନ କରିବାକୁ ବସ୍ତା ବିଧାୟିକା ସୁବାସିନୀ ଜେନା ଶୁକ୍ରବାର ଦିନ ବିଧାନସଭାର ଚଳିତ ବଜେଟର ମହିଳା ଓ ଶିଶୁ ବିକାଶ ବିଭାଗର ଖର୍ଚ୍ଚ ଦାବି ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କ ନିକଟରେ ଦାବି କରିଛନ୍ତି I ବିଧାୟିକା ଜେନା କହିଥିଲେ ସୁଭଦ୍ରା ଯୋଜନା ଏ ସରକାରଙ୍କର ଗୋଟିଏ ଫ୍ଲାଗସିପ ପ୍ରୋଗ୍ରାମ, ଯେଉଁଥିରେ ଯୋଗ୍ୟ ମହିଳା ମାନଙ୍କୁ ମାସକୁ ୮୩୩ ଟଙ୍କା ବା ବର୍ଷକୁ ୧୦ ହଜାର ଟଙ୍କା ଦିଆଯାଉଛି। କିନ୍ତୁ ଅନ୍ୟ ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ରରେ ପ୍ରତି ମହିଳାଙ୍କୁ ମାସକୁ ୧୫ ଶହ ବା ବର୍ଷକୁ ୧୮ ହଜାର ଟଙ୍କା ଦେଉଥିବା ବେଳେ, ଗତ ମଙ୍ଗଳବାର ଦିନ ଦିଲ୍ଲୀ ବିଜେପି ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟରେ ପ୍ରତି ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ବା ବର୍ଷକୁ ୩୦,୦୦୦ ଟଙ୍କା ପ୍ରଦାନ କରାଯିବାର ନିଷ୍ପତ୍ତି ହୋଇଛି I ଆମ ରାଜ୍ୟର ମହିଳା ମାନଙ୍କ ପ୍ରତି ବିଜେପି ସରକାରଙ୍କର ଏହିଭଳି ବୈମାତୃକ ମନୋଭାବ କାହିଁକି ? ତେଣୁ ମୁଁ ସରକାରଙ୍କ ନିକଟରେ ଦାବୀ କରୁଛି ଆମ ରାଜ୍ୟର ଯୋଗ୍ୟ ପ୍ରତି ମହିଳାଙ୍କୁ ବର୍ଷକୁ ୧୦ ହଜାର ପରିବର୍ତ୍ତେ ୩୦,୦୦୦ ଟଙ୍କା ପ୍ରଦାନ ପାଇଁ ବଜେଟରେ ଘୋଷଣା କରନ୍ତୁ। ବିଧାୟିକା ଜେନା କହିଥିଲେ ମହିଳା ଓ ଶିଶୁ ବିକାଶ ବିଭାଗ ଆମ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଆଜି ଆମେ ଯାହା ଏହି ପବିତ୍ର ଗୃହରେ ଆଲୋଚନା କରିବା ସେଥିରେ ଓଡିଶାର ପାଖାପାଖି ୨ କୋଟି ମହିଳା ଓ ଦେଢକୋଟି ଶିଶୁ ପ୍ରଭାବିତ ହେବେ । ୨୦୨୫-୨୬ ଆର୍ଥିକ ବର୍ଷରେ ୨ ଲକ୍ଷ ୯୦ ହଜାର କୋଟିର ବଜେଟରୁ ଏହି ବିଭାଗ ପାଇଁ ସରକାର ୧୫ ହଜାର ୨ ଶହ ୨୨ କୋଟି ଟଙ୍କା ଖର୍ଚ୍ଚର ପ୍ରସ୍ତାବ ଦେଇଛନ୍ତି। ୧୫ ହଜାର ୨ ଶହ ୨୨ କୋଟିରୁ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି। ମହାରାଷ୍ଟ୍ରରେ ବିଜେପି ସରକାର ର ବଜେଟ ଆକାର ୬ ଲକ୍ଷ କୋଟି, ମହିଳା ଓ ଶିଶୁ ବିକାଶ ବିଭାଗ ବଜେଟ ଦିଆଯାଇଛି ୪୬ ହଜାର କୋଟି । ସେହି ଅନୁପାତରେ ଓଡିଶାର ବିଜେପି ସରକାର ୨ଲକ୍ଷ ୯୦ ହଜାର କୋଟି ବଜେଟରେ ମହିଳା ଓ ଶିଶୁ ବିକାଶ ବିଭାଗକୁ ୧୫ ହଜାର ୨ ଶହ ୨୨ କୋଟିରୁ ବଢାଇ ଅତିକମରେ ୨୨ ହଜାର କୋଟି କରିବାକୁ ସେ ଦାବି କରିଥିଲେ I ସେହିପରି ଓଡିଶାରେ ୧ ହଜାର ଶିଶୁ ଜନ୍ମହେଲେ ସେମଧ୍ୟରୁ ୩୬ ଜଣଙ୍କର ମୃତ୍ୟୁ ଘଟୁଛି, ଅଥଚ କେରଳରେ ୬ ଓ ଦିଲ୍ଲୀରେ ୧୭ ରହିଛି। ଓଡିଶାରେ ମାତୃ ମୃତ୍ୟୁ ହାର ଦେଶର ବହୁ ରାଜ୍ୟ ତୁଳନାରେ ବେଶ ଅଧିକ। ଆମ ରାଜ୍ୟରେ ଏକ ଲକ୍ଷ ମାଆ ଶିଶୁକୁ ଜନ୍ମ ଦେଲା ବେଳେ ସେ ମଧ୍ୟରୁ ମୃତ୍ୟୁର ୧୬୮ ଜଣ ଶିକାର ହେଉଛନ୍ତି। କେରଳରେ ଏ ସଂଖ୍ୟା ୧୯ ଥିବା ବେଳେ ତାମିଲନାଡୁରେ ୨୪। ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଅଙ୍ଗନୱାଡି ଦ୍ୱାରା ୩୭ ଲକ୍ଷ ଶିଶୁଙ୍କୁ ସେବା ଯୋଗାଇ ଦିଆଯାଉଛି। ତାପରେ ମଧ୍ୟ ରାଜ୍ୟରେ ୫ ବର୍ଷରୁ କମ୍ ୩୦ ପ୍ରତିଶତ ଛୋଟ ପିଲା କୁପୋଷଣର ଶିକାର ହେଉଛନ୍ତି। ତାମିଲନାଡୁ, କେରଳ ଇତ୍ୟାଦି ରାଜ୍ୟରେ ଏହା ୨୦ ପ୍ରତିଶତରୁ କମ୍ । ଅନ୍ୟ ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ୯୨ ପ୍ରତିଶତ ପିଲାକୁ ସେବା ଯୋଗାଇ ଦେଉଥିବା ବେଳେ ଆମ ରାଜ୍ୟ ମାତ୍ର ୭୦ ପ୍ରତିଶତରେ ସୀମିତ ରହିଛି। ରାଜ୍ୟରେ ୧୦୦ ଶିଶୁ ଜନ୍ମ ହେଲେ ୩୦ ଜଣ କୁପୋଷଣର ଶିକାର ହୋଇ ବୟସ ଅନୁସାରେ ଛୋଟ ହେଉଛନ୍ତି ଏବଂ ଓଡିଶାରେ ୧୦୦ରୁ ୫୦ ମହିଳା ଏନେମିଆର ଶୀକାର ହେଉଛନ୍ତି ତେଣୁ ଶିଶୁ ଓ ମାତୃ ମୃତ୍ୟୁହାର, କୁପୋଷଣ, ବୃଦ୍ଧି କମିବା, ଏନିମିଆକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଦେଶର ଶ୍ରେଷ୍ଠ ରାଜ୍ୟ ମାନଙ୍କ ସହ ତୁଳନା କରି ଆମ ରାଜ୍ୟକୁ ସେ ଦିଗରେ ବିକଶିତ କରିବାକୁ ଓ କେତେ ବର୍ଷ ଭିତରେ ସରକାର ଏହା ସମ୍ପୂର୍ଣ୍ଣ କରିବେ, ବଜେଟରେ ତାହା ଘୋଷଣା କରିବାକୁ ବିଧାୟିକା ଜେନା ଦାବି କରିଥିଲେ I ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଓଡିଶାରେ ୩ ହଜାର ୨ ଶହ ୮୨ ଟି ମାମଲା ଯୌତୁକ ଜନିତ ହିଂସା ବୋଲି ରିପୋର୍ଟ ହୋଇଛି। ତାଛଡା ଅନେକ ମାମଲା ଥାନା ପର୍ଯ୍ୟନ୍ତ ଆସିପାରୁ ନାହିଁ। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ର ତଥ୍ୟ ଅନୁସାରେ ଅପରାଧରେ ଓଡିଶାରେ ୧ ଲକ୍ଷ ମହିଳାରେ ୧୧୨ ଜଣ ମହିଳା ଶିକାର ହେଉଥିଲା ବେଳେ ମହାରାଷ୍ଟ୍ର ଭଳି ରାଜ୍ୟରେ ଏହା ୪୬ ଜଣ । ଓଡିଶାରେ ୧୫ ହଜାର ୭୧୫ଟି ଦୁଷ୍କର୍ମ ମାମଲା ରିପୋର୍ଟ ହୋଇଥିବା ବେଳେ ୫ହଜାର ୬ଶହ ନାବାଳିକା ବା ଛୋଟ ପିଲା ଏହାର ଶୀକାର ହେଉଛନ୍ତି । ରାଜ୍ୟ ସରକାରଙ୍କର ଗୃହ ବିଭାଗ ତଥ୍ୟ ଅନୁଯାୟୀ କେବଳ ୨୦୨୪ ମସିହାରେ ୩୦୫୪ଟି ଦୁଷ୍କର୍ମ ହୋଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ଢ଼େର ଅଧିକ I ଏହା ଆମ ସମସ୍ତଙ୍କ ପାଇଁ ଏକ ଲଜ୍ଜାର ବିଷୟ। ଓଡିଶାରେ ଯୌତୁକଜନିତ ହିଂସା ମାମଲା ୩ ହଜାର ୨ ଶହ ୮୨ ଟି, ମହିଳାଙ୍କ ବିରୁଦ୍ଧରେ ଅପରାଧ ୩୧ ହଜାର ୩ଶହ ୫୨ଟି ଓ ପ୍ରତି ୫ଟି ଝିଅଙ୍କ ମଧ୍ୟରୁ ଜଣେ ଝିଅ ଆଇନାନୁମୋଦିତ ବୟସ ପୂର୍ବରୁ ବିବାହ ପାଇଁ ବାଧ୍ୟ ହେଉଛନ୍ତି । ଏହା ଆମ ରାଜ୍ୟବାସୀ ଏବଂ ବିଶେଷ କରି ମହିଳା ମାନଙ୍କ ପାଇଁ ଏକ ଭୟଙ୍କର ସମସ୍ୟା I ତେଣୁ ସରକାର ଏ ଦିଗରେ କଣ ବିଦ୍ଧିବଦ୍ଧ ପଦକ୍ଷେପେ ନେବେ ସେ ବିଷୟରେ ବଜେଟରେ ଘୋଷଣା କରିବାକୁ ବିଧାୟିକା ଜେନା ଦାବି କରିଥିଲେ I