ବଂଶଧାରା ବସନ୍ତ ମହୋତ୍ସବ ରେ ଇରା ଝୁମାଇଲେ, ହସାଇଲେ ରାମନାଥ ଓ ଗୋପାଳ
ଗୁଣପୁର-(ସୁରେନ୍ଦ୍ର ମହାନ୍ତି )ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟାରେ ବେଶ ମନରଞ୍ଜନ ର ମଜା ନେଇଛନ୍ତି ଦର୍ଶକ । ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟିକା ଇରା ମହାନ୍ତିଙ୍କ ମନଛୁଆଁ ଗୀତ ହଜାର ହଜାର ଦର୍ଶକଙ୍କୁ ବେଶ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଓଡ଼ିଆ ଆଲବମ୍, ସିନେମା ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ସାଙ୍ଗକୁ ବିଭିନ୍ନ ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା । ସହ କଣ୍ଠ ଶିଳ୍ପୀ ନିହାର ରଞ୍ଜନଙ୍କ ମାଆ ପରି କିଏ ହେବ ସୁନ୍ଦର ଗୀତ ପରିବେଷଣ କରିବା ସହ ଅମିତାଭ ବଚ୍ଚନ ଓ ଅନ୍ୟ ଅଭିନେତାଙ୍କ ଅବିକଳ ନକଲ ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା । ସେହିପରି ହସତେରୁଆ ରାମନାଥ ତ୍ରିପାଠୀ, ଗୋପାଳ ସାମନ୍ତରାୟଙ୍କ କୋରାପୁଟିଆ ଅଭିନୟରେ ଦର୍ଶକ ବେଶ ହାସ୍ୟ ରାସାତ୍ମକ ହୋଇଥିଲେ। ଦ୍ୱିତୀୟ ସନ୍ଧ୍ୟାର ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଗୁଣପୁର ସମେତ ପୁରୀ, ଜୟପୁର, ବାଲିଗୁଡା ଅନ୍ୟ ଜିଲାର ନୃତ୍ୟ ଓ କଣ୍ଠଶିଳ୍ପୀ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ପୁରୀ ମା ଦିନକେଶ୍ଵରୀ ନୃତ୍ୟ ମଞ୍ଜରୀ, କଣ୍ଠ ଶିଳ୍ପୀ ଲକ୍ଷ୍ମଣ ଶବର, ଶର୍ମିଳା ସାମନ୍ତରାୟ ବାଲିଗୁଡ଼ା ନୃତ୍ୟ
ଦଳ, ଡ୍ରିମ ଡ୍ୟାନ୍ସ ଷ୍ଟୁଡ଼ିଓର ରିମିକ୍ସ ଦ୍ବିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖୁବା ଦେଖିବାକୁ ମିଳିଥିଲା । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ତାଙ୍କ ଆମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା ।ବଂଶଧାରା ବସନ୍ତ ମହୋତ୍ସବ କମିଟି ସଭାପତି ଅକ୍ଷୟ ଦାସ, ସମ୍ପାଦକ ମିଲି ପାଢ଼ୀ, ଉପସଭାପତି ଉମା ଦାସ,ପ୍ରଶାନ୍ତ କୁମାର ହୋତା, ସପନ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉଦ୍ଘୋଷକ ପୀୟୁଷ ପଟ୍ଟନାୟକ, ଉଦଘୋଷିକା ଅନ୍ବେଶା ବ୍ରହ୍ମ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଜି କଣ୍ଠଶିଳ୍ପୀ ଅନନ୍ୟାଙ୍କ କାର୍ଯ୍ୟକ୍ରମ ରହିଛି ।