September 29, 2024

ଛଟେଇ ଆଉଟସୋର୍ସିଙ୍ଗ ନର୍ସ ଓ ମେଡ଼ିକାଲ କର୍ମଚାରୀଙ୍କ ପୁନଃ ନିଯୁକ୍ତି ନହେଲେ ଆନ୍ଦୋଳନ ଜୋରଦାର ହେବ, ଅକ୍ଟୋବର ୪ ତାରିଖ ମଧ୍ୟରେ ଦାବୀ ପୂରଣ ନହେଲେ ଭୁବନେଶ୍ୱର ଚାଲ ଡାକରା ଦିଆଯିବ..

Share

ଉଟସୋର୍ସିଙ୍ଗ ନର୍ସିଂ କର୍ମଚାରୀଙ୍କ ଭରସାରେ ସ୍ୱାସ୍ଥ୍ୟସେବା ଚାଲିଛି I କିନ୍ତୁ ସରକାର ଅର୍ଥାଭାବର ଆଳ ଦେଖାଇ ରାଜ୍ୟର ବିଭନ୍ନ ସ୍ଵାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଆଉଟସୋର୍ସିଂ ଏଜେନ୍ସି ଜରିଆରେ ସ୍ଵାସ୍ଥ୍ୟସେବାରେ ନିୟୋଜିତ ଶହ ଶହ ଏଏନଏମ୍, ଜିଏନଏମ୍, ଫାର୍ମାସିଷ୍ଟ ଆଦି ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ଚଳିତ ମାସରୁ ଛଟେଇ ନିର୍ଦେଶ ଦେଇଛନ୍ତି I

 

ସରକାରଙ୍କ ଉପରୋକ୍ତ ଅପରିଣାମଦର୍ଶୀ ନିଷ୍ପତିର ପ୍ରତିବାଦ କରି ଆଜି ସ୍ଥାନୀୟ ଗଞ୍ଜାମ କଳା ପରିଷଦରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଆଉଟସୋର୍ସିଙ୍ଗ ନର୍ସିଂ କର୍ମଚାରୀ ସଙ୍ଘ ଛଟେଇ ସମସ୍ତ ଆଉଟସୋର୍ସିଙ୍ଗ ପାରା ମେଡିକାଲ ଷ୍ଟାଫଙ୍କୁ ପୁନଃନିଯୁକ୍ତି ଦେବାକୁ ଦାବୀ କରିଛି । ଯଦି ଦାବି ପୂରଣ ନହୁଏ ତାହେଲେ ଆସନ୍ତା ଅକ୍ଟୋବର ୪ ତାରିଖରେ ଭୁବନେଶ୍ୱରରେ ଆନ୍ଦୋଳନକୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଛି I

 

ସୂଚନାଯୋଗ୍ୟ ଯେ ଗଞ୍ଜାମ ସମେତ ରାଜ୍ୟର ବିଭନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଭିନ୍ନ ସ୍ୱାସ୍ଥ୍ୟ ସ୍କିମରେ କାର୍ଯ୍ୟରତ ଜିଏନ୍‌ଏମ୍‌, ଏଏନ୍‌ଏମ୍ ଓ ଟେକ୍ନ ମ୍ୟାନେଜେରିଆଲ ଷ୍ଟାଫ ପ୍ରକ୍ରିୟାରେ ନିଯୁକ୍ତ ପାରା ମେଡିକାଲ ଷ୍ଟାଫ ଯଥା ଲେବ ଟେକ୍ନିସିଆନ, ଫାର୍ମାସିଷ୍ଟ, ରେଡ଼ିଓ ଗ୍ରାଫର ଆଦି କର୍ମଚାରୀମାନେ ଗତ କୋଭିଡ ସମୟରୁ ଜିଲ୍ଲା ଖଣିିଜ ପାଣ୍ଠି (DMF ) ତଥା ଅନ୍ୟାନ୍ୟ ସୂତ୍ରରୁ ଆସୁଥିବା ପାଣ୍ଠି ଓ NHM PIP ଗାଇଡଲାଇନ ମାଧ୍ୟମରେ ଦୀର୍ଘଦିନ ହେବ ସର୍ଭିସ ପ୍ରୋଭାଇଡ଼ର ସଂସ୍ଥା ଅଧୀନରେ ନିୟୋଜିତ ହୋଇ ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ସ୍ୱାସ୍ଥ୍ୟସେବା ଯୋଗାଇବା ବ୍ୟତିତ ଅତିରିକ୍ତ କାମ ହିସାବରେ ସରକାର ସେମାନଙ୍କୁ ବିଭିନ୍ନ ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳ ବୁଲି ଟୀକାକରଣ ସହ ଅନେକ ସର୍ଭେ ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟରେ ନିୟୋଜିତ କରି ଆସିଛନ୍ତି । ଗତ ପ୍ରାୟ ଚାରି ବର୍ଷ ଧରି ସେମାନେ ଅତ୍ୟନ୍ତ ନିଷ୍ଠାପର ଭାବେ ଆମର କର୍ତବ୍ୟ ସମ୍ପାଦନ କରି ଲୋକଙ୍କୁ ନିରବଛିନ୍ନ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଆସୁଛନ୍ତି ।

 

ଏଭଳି ପରିସ୍ଥିତିରେ ନିକଟରେ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ଜଗତସିଂହପୁର, ବାଲେଶ୍ୱର ପରି କିଛି ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ)ଙ୍କ ଦ୍ୱାରା ଚିଠି ଜରିଆରେ ସେମାନଙ୍କୁ କାମରୁ ଛଟେଇ କରିବାକୁ ସର୍ଭିସ୍ ପ୍ରୋଭାଇଡ଼ର ଏଜେନ୍ସୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯାରିଫଳରେ ଶହ ଶହ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଏଜେନ୍ସୀ ପକ୍ଷରୁ ସବୁ ଜିଲ୍ଲାରେ ସାମୁହିକ ଛଟେଇ କରି ଦିଆଯାଇଛି । ନିକଟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ବିକାଶ କାର୍ଯ୍ୟ ପାଇଁ ଅର୍ଥର ଅଭାବ ନାହିଁ ବୋଲି ଘୋଷଣା କରିଥିବା ବେଳେ ସ୍ଵାସ୍ଥ୍ୟସେବା ପରି ଏକ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଅର୍ଥାଭାବର ଦ୍ଵାହି ଦେଇ ଏଭଳି ଛଟେଇ କରାଯିବା ଦୁର୍ଭାଗ୍ୟଜନକ ବେଲି ସେମାନେ କହିଛନ୍ତି I

 

କରୋନା ମହାମାରୀ ସମୟରୁ ଜୀବନ ପ୍ରତି ରିସ୍କ ନେଇ ବହୁତ କମ୍ ଦରମାରେ ଜରୁରୀ କାଳୀନ ସ୍ୱାସ୍ଥ୍ୟସେବାରେ ଦୀର୍ଘଦିନ ନିୟୋଜିତ ଥିଲେ ବି ସେମାନଙ୍କ ବରିଷ୍ଠତା ଓ ଅଭିଜ୍ଞତାକୁ ବିଚାରକୁ ନନେଇ ଏଭଳି ଛଟେଇ କରିବା ସମ୍ପୂର୍ଣ୍ଣ ଅନ୍ୟାୟ ଓ ବେଆଇନ ବୋଲି ସଙ୍ଘ ଦାବୀ କରିଛି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହସଙ୍ଘର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ଆଉଟସୋର୍ସିଂ ନର୍ସିଂ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦିକା ରିଙ୍କି ବିଷୋୟୀ, ବିସ୍ମିତା ସାହୁ, ସନ୍ତୋଷ ନାୟକ, ଜୟନ୍ତୀମାଳା ଦାସ, ଗିରିଜା ପ୍ରସାଦ ନନ୍ଦ, ଉଷାରଣୀ ବେହେରା ସମେତ ଜିଲ୍ଲାର ସମସ୍ତ ଆଉଟସୋର୍ସିଙ୍ଗ ଜିଏନଏମ, ଏଏନଏମ, ଫାର୍ମାସିଷ୍ଟ, ଏଲଟି ଓ ରେଡ଼ିଓ ଗ୍ରାଫର ଉପସ୍ଥିତ ଥିଲେ I

ଦାବୀ ସମୂହ :

୧. ରାଜ୍ୟସାରା ଛଟେଇ ନିର୍ଦ୍ଦେଶନାମାକୁ ବାତିଲ କରି ସମସ୍ତ ଛଟେଇ ଜିଏନ୍‌ଏମ୍ ଓ ଏଏନଏମ କର୍ମଚାରୀଙ୍କୁ ପୁନଃ ଅବସ୍ଥାପିତ କରାଯିବା ପାଇଁ ଏଜେନ୍ସିର ଟେଣ୍ଡରକୁ ଦୀର୍ଘମିଆଦୀ କରାଯାଉ।

୨. ନର୍ସିଙ୍ଗ କ୍ୟାଡରରେ ଆଉଟସୋର୍ସିଙ୍ଗ ପ୍ରଥା ଉଛେଦ କରି ଖାଲିଥିବା ନିୟମିତ ପଦବୀରେ ନିଯୁକ୍ତ ପାଇଁ ଆଉଟସୋରସିଂ ନର୍ସିଂ କର୍ମଚାରୀଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିବାର ବରିଷ୍ଠତା ଓ ଅଭିଜ୍ଞତାକୁ ଅଗ୍ରାଧିକାର ଦେଇ ଚୟନ କରାଯାଉ।

୩. ବିଭିନ୍ନ ପାଣ୍ଠି ର ଅଭାବ ଦର୍ଶାଇ ଛଟେଇ କରିବା ବଦଳରେ ସ୍ୱାସ୍ଥ୍ୟ ବିଭାଗର ଅର୍ଥରେ ଖାଲି ଥିବା ପଦବୀରେ ଆମ ନିଯୁକ୍ତିକୁ ସୁନିଶ୍ଚିତ କରାଯାଉ।

4.ତାଲିମପ୍ରାପ୍ତ ନର୍ସିଙ୍ଗ କର୍ମଚାରୀଙ୍କୁ ବ୍ୟବହାର କରି ଫୋପାଡ଼ି ଦେବା ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅତିରିକ୍ତ କାମ ବୋଝ ତୁଲାଇ ଅସୁଥିବା ଏହି କର୍ମଚାରୀମାନଙ୍କୁ ଚାକିରୀର ସୁରକ୍ଷା (Job Security)  ପ୍ରଦାନ କରାଯାଉ।