ଅଜଣା ଗାଡ଼ି ଧକ୍କାରେ ଗାଈର ମୃତ୍ୟୁ, ଗୋରୁ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ବଅଁରପାଳ: ବଅଁରପାଳ ଅଞ୍ଚଳରେ ଅଜଣା ଗାଡ଼ି ଧକ୍କାରେ ଏକ ଗାଈର ମୃତ୍ୟୁ ଘଟିଛି। ରାସ୍ତା ଉପରେ ଗାଈଗୋରୁ ଅବାଧରେ ବୁଲୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଅନେକ ଗାଈଗୋରୁ ମାଲିକ ନିଜ ଗୋରୁଙ୍କୁ ଗୁହାଳରେ ବାନ୍ଧି ରଖିବା ପରିବର୍ତ୍ତେ କ୍ଷୀର ଦୁହିଁବା ପରେ ଚରିବା ପାଇଁ ରାସ୍ତା ଉପରେ ଛାଡ଼ି ଦେଉଛନ୍ତି। ଫଳରେ ଗାଈଗୋରୁ ରାସ୍ତା ମଝିରେ ଓ ରାସ୍ତା କଡ଼ରେ ବୁଲୁଥିବାରୁ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ଏହି ଘଟଣାରେ ଏକ ନିରୀହ ଗାଈର ଜୀବନ ଚାଲିଯାଇଥିବାରୁ ଗୋରୁ ମାଲିକମାନେ ନିଜ ପଶୁଙ୍କ ପ୍ରତି ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ରାସ୍ତା ଉପରେ ଗାଈଗୋରୁ ଛାଡ଼ିବା ଯୋଗୁଁ କେବଳ ପଶୁ ନୁହେଁ, ଯାତ୍ରୀ ଓ ଗାଡ଼ି ଚାଳକମାନଙ୍କ ଜୀବନ ମଧ୍ୟ ବିପଦରେ ପଡ଼ୁଛି।
ତେଣୁ ରାସ୍ତା ଉପରେ ଗାଈଗୋରୁଙ୍କୁ ଅବାଧରେ ଛାଡ଼ୁଥିବା ମାଲିକମାନଙ୍କୁ ଚିହ୍ନଟ କରି ସଚେତନ କରିବା ସହ ଆବଶ୍ୟକସ୍ଥଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏଥିସହ ରାସ୍ତାରେ ବୁଲା ଗୋରୁଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।
ଅନୁଗୋଳ ରୁ ଅଜିତ୍ କୁମାର ଭୋଇ
