September 18, 2026

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନ‌ତା ବୈଠକ

IMG-20240629-WA0014
Share

ପାରଳାଖେମୁଣ୍ଡି, ତା.୨୯.୦୬.୨୦୨୪

ଆଜି ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକ ମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟରେ ନିରାକରଣ ନିମନ୍ତେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଗଜପତି, ଶ୍ରୀ ସୁନୀଲ କୁମାର ମହାନ୍ତି,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଜପତି, ଡ଼.ମାୟାଧର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଅଶ୍ୱନି କୁମାର ତ୍ରିପାଠୀ,ଜିଲ୍ଲା ମଙ୍ଗଳ କମିଟି, ଅଧ୍ଯକ୍ଷ ଓ ଶ୍ରୀମତୀ ବୈଶାଳୀ ପଟ୍ଟନାୟକ, ପ୍ରକଳ୍ପ ସଂଯୋଜକ, ଚାଇଲ୍ଡ ଲାଇନ୍, ଗଜପତି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ କହିଥିଲେ ଯେ
ଶିଶୁ ଶ୍ରମିକ ଉଚ୍ଛେଦ ନେଇ ସମ୍ବିଧାନରେ ଉଲ୍ଲେଖ ଥିବା ମୌଳିକ ଅଧିକାର ସମେତ ବିଭିନ୍ନ ଧାରା ବିଷୟରେ ଆଲୋକପାତ କରିଥିଲେ। ଏହା ସହିତ ସମାଜରେ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବାର ମାନସିକତା ଦୂର କରିବାର ଆବଶ୍ୟକ‌ତା ରହିଛି ଓ ଏଥି ନିମନ୍ତେ ସମସ୍ତଙ୍କର ସହଭାଗିତା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। ଶିକ୍ଷା ପ୍ରତି ସଚେତନତା ସାଙ୍ଗକୁ ଉପଯୁକ୍ତ ତଇଥାନ ମାଧ୍ୟମରେ ଏହା ଲୋପ ପାଇପାରିବ ଓ ଶିଶୁଟିଏ ନିଜର ଭବିଷ୍ୟତ ଗଠନ ଦିଗରେ ଆଗେଇ ପାରିବ ବୋଲି ମଧ୍ୟ ସେ ମତପ୍ରକାଶ କରିଛନ୍ତି ।
ଏହି ଅବସରରେ ବିଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଭାରତୀ ବେହେରା ଶିଶୁ ଶ୍ରମିକ ଉଚ୍ଛେଦ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ | ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ବୋଲି ସେ ସୂଚନା ଦେଇଥିଲେ । ଏଥି ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାଇବା ପାଇଁ ସେ ପରାମର୍ଶ ଦେଇଥିଲେ। ଏତଦ୍ ବ୍ୟତୀତ, ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮ କୁ ଯୋଗାଯୋଗ କରିବାରେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ବିଭିନ୍ନଅନୁଷ୍ଠାନରୁ ଯୋଗ ଦେଇଥିବା ସଭ୍ୟ ସଭ୍ୟାମାନେ ସେମାନଙ୍କର ଅଭିଜ୍ଞତା ପ୍ରଦାନ କରିବା ସହ ଏହା ସହ ଯୋଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ସୁକାନ୍ତ କୁମାର ପଣ୍ଡା,ମଙ୍ଗଳ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ସମେତ ଅନ୍ୟ ମାନଙ୍କ ମଧ୍ୟରେ ଏନଜିଓ ସଂସ୍ଥା, ମିଲର ସଦସ୍ୟ, ଚାମ୍ବର ଅଫ କମର୍ସ, ନିର୍ମାଣ ଶ୍ରମିକ, ଚାଇଲ୍ଡ ଲାଇନ ଓ ଶ୍ରମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

You may have missed