ସିଙ୍ଗିପୁର ଗାଁ ରେ ରାଜ୍ୟ ତଥ୍ୟ ଅନୁସନ୍ଧାନକାରୀ ଦଳ..

ବ୍ରହ୍ମପୁର,୨୮/୦୬. ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଅନ୍ତର୍ଗତ ସିଙ୍ଗିପୁର ଗାଁ ରେ ରାଜ୍ୟର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଆଜି ଅପରାହ୍ନରେ ପହଞ୍ଚି ବଜରଙ୍ଗ ଦଳ ତଥା ଗୋରକ୍ଷା ବାହିନୀ ଦ୍ବାରା ଗତ ୨୨ ଜୁନ୍ ରେ ଯେଉଁ ବର୍ବର ଆକ୍ରମଣ ଶିକାର ହୋଇଥିବା ଗ୍ରାମର ବାବୁଲା ନାୟକ ଏବଂ ବୁଲୁ ନାୟକଙ୍କ ଉପରେ ହୋଇଥିବା ସମସ୍ତ ଅମାନବୀୟ ଘଟଣା ସଂପର୍କରେ ସେମାନଙ୍କୁ ସାକ୍ଷାତ କରି ତଥ୍ୟ ସଂଗ୍ରହ କରିଛନ୍ତି। ଗାଁ ର ବିଭିନ୍ନ ବ୍ୟକ୍ତି ଙ୍କ ଠାରୁ ମଧ୍ୟ ଏ ହୃଦୟ ବିଦାରକ ଘଟଣା ଶୁଣି ସ୍ତବ୍ଧ ହୋଇଛନ୍ତି। ଧରାକୋଟ ଥାନା ଅଧିକାରୀଙ୍କୁ ମଧ୍ୟ ଏହି ଟିମ୍ ସାକ୍ଷାତ କରିଥିଲେ। ହରିପୁର ଗାଁର ଜଣେ ଚାଷୀଙ୍କ ଠାରୁ ଗୋଟିଏ ଗାଇ ଓ ଦୁଇଟି ବାଛୁରୀ କ୍ରୟ କରି ଘରକୁ ଆଣୁଥିବା ବେଳେ ଜାହାଡା ଗ୍ରାମର ରାଜା ସାମଲ ଏବଂ ବିଭିନ୍ନ ଥାନା ଅଞ୍ଚଳର ତଥାକଥିତ ଗୋ ରକ୍ଷକ ତଥା ବଜରଙ୍ଗ ଦଳର କର୍ମୀ ରାସ୍ତାରେ ଅଟକାଇ ୩୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ । ଏତେ ଟଙ୍କା ଦେବାକୁ ସେ ନିଜର ଅସମର୍ଥତା ପ୍ରକାଶ କରିବାରୁ ସେମାନେ ସଂଘବଦ୍ଧ ହୋଇ ମାଡ ମାରିବା ସହ ତାଙ୍କ ମୁଣ୍ଡର ଗୋଟିଏ ପାର୍ଶ୍ୱକୁ ଲଣ୍ଡା କରି ରାସ୍ତାରେ ବୁଲାଇଲେ । ଏପରିକି ବାବୁଲା ନାୟକଙ୍କ ଉପରେ ଆକ୍ରମଣ ଖବର ପାଇ ସେହି ପାଖରେ ଏକ ପଥର କ୍ରସରରେ କାମ କରୁଥିବା ତାଙ୍କ ଗାଁର ବୁଲୁ ନାୟକ ଛଡେଇବାକୁ ଆସିବାରୁ ତାଙ୍କୁ ମଧ୍ୟ ସେମାନେ ଅଧା ଲଣ୍ଡା କରି ନିର୍ଦ୍ଧୁମ ମାଡ ମାରି ଆଣ୍ଠେଇ ଆଣ୍ଠେଇ ୨ ରୁ ୩ କିଲୋମିଟର ପର୍ଯ୍ୟନ୍ତ ଗ୍ରାମରେ ବୁଲାଇଥିଲେ । ସେମାନଙ୍କ ପାଖରେ ଥିବା ଟଙ୍କା ଓ ମୋବାଇଲକୁ ଛଡେଇ ନେଇଥିଲେ ଏବଂ ଥାନାରେ ଅଭିଯୋଗ କଲେ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲେ । ମାଡ ଖାଇବା ପରେ ପିଇବା ପାଇଁ ପାଣି ମାଗିବାରୁ ନର୍ଦ୍ଦମାର ମଇଳା ପାଣି ଏବଂ ଘାସ ଖୁଆଇଥିଲେ। ତଥ୍ୟ ଅନୁସନ୍ଧାନରେ ସାମିଲ ହୋଇଥିବା ସମସ୍ତ ସାମାଜିକ ଓ ରାଜନୈତିକ କର୍ମୀ ଭୁବନେଶ୍ଵର ରେ ଅତି ଶୀଘ୍ର ଅମାନବୀୟ ଘଟଣା ସଂପର୍କରେ ସବିଶେଷ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିବା ସହ ଆଗାମୀ ପଦକ୍ଷେପ ସଂପର୍କରେ ଘୋଷଣା କରିବେ। ଏହି ତଥ୍ୟ ଅନୁସନ୍ଧାନକାରୀ ଟିମରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସି.ପି.ଆଇ(ଏମ-ଏଲ) ଲିବରେସନ ର ମହେନ୍ଦ୍ର ପରିଡା, ସି.ପି.ଆଇ(ଏମ-ଏଲ) ରେଡ଼ଷ୍ଟାର ର ରାଜ୍ୟ ସମ୍ପାଦକ ପ୍ରମିଳା, ଲେଖକ ତଥା ସାମାଜିକ କର୍ମୀ ମାନସ ଜେନା, ସି.ପି.ଆଇ ର ବିଦେଶୀ ନାହକ, ବର୍ଷୀୟାନ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ସାମାଜିକ ନ୍ୟାୟ ଆନ୍ଦୋଳନ ର ଅକ୍ଷୟ ମଲିକ, ଅଜୟ ମହାପାତ୍ର, ବାସୁଦେବ ଭଟ୍ଟ, ଚିଦାନନ୍ଦ ଜେନା, ଅଖିଳ ଭାରତ ଛାତ୍ର ସଂଗଠନ ର ସଂଘ ମିତ୍ରା ଜେନା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ, ଅଗ୍ରଗାମୀ ମହିଳା ସଂଗଠନ ର ସାଧାରଣ ସଂପାଦକ ଲକ୍ଷ୍ମୀ ଡୋରା, ଓଡ଼ିଶା ଦଳିତ ଅଧିକାର ମଞ୍ଚ ର ଭିକାରୀ ନାୟକ, ଆମ୍ବେଦକର ବିଚାର ମଞ୍ଚ ଭଞ୍ଜନଗର ର ସତ୍ୟ ନାରାୟଣ ନାୟକ, ସାମ୍ବାଦିକ ସୋରେନ ନାୟକ, ମୁନା ନାୟକ ଆଦି ସାମିଲ୍ ହୋଇଥିଲେ।
