November 16, 2024

ଗଣଶକ୍ତି ଓ ଗଣସଂଘର୍ଷ ଜରିଆରେ ଫାସୀବାଦ ଓ ସାଂପ୍ରଦାୟିକ ମୈାଳବାଦ ବିରୋଧରେ ବିଜୟ ସମ୍ଭବ

Share

ଗଣଶକ୍ତି ଓ ଗଣସଂଘର୍ଷ ଜରିଆରେ ଫାସୀବାଦ ଓ ସାଂପ୍ରଦାୟିକ ମୈାଳବାଦ ବିରୋଧରେ ବିଜୟ ସମ୍ଭବ :
-:ସାଥୀ ଶିବରାମଙ୍କ ଦ୍ୱିତୀୟ ମୃତ୍ୟୁ ବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମତପ୍ରକାଶ

ଭୁବନେଶ୍ୱର, ତା ୨୮/୦୫/୨୩:
ଶ୍ରମଜୀବୀ ଜନଗଣଙ୍କ ସାଲିସ୍ ବିହୀନ ଲଢ଼ୁଆ ସାଥୀ କମ୍ରେଡ ଶିବରାମଙ୍କ ଦ୍ୱିତୀୟ ମୃତ୍ୟୁ ବାର୍ଷିକୀ ଅବସରରେ ଲୋହିଆ ଏକାଡେମୀ, ଭୁବନେଶ୍ୱର ପରିସରରେ ଏକ ସ୍ମରଣିକା “ଲାଲ୍ ସଲାମ୍: ଶିବରାମ” ଉନ୍ମୋଚନ ସହିତ “ଫାଶୀବାଦ ଏବଂ ତାହାର ପ୍ରତିରୋଧ” ଶୀର୍ଷକ ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଯାଇଛି ।

ସାଥୀ ଶିବରାମ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅନ୍ୟତମ ସଦସ୍ୟ ନରେନ୍ଦ୍ର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ପରେ ଆବାହକ ବିଶ୍ୱପ୍ରିୟ କାନୁନଗୋ ସଭା ପରିଚାଳନା କରିଥିଲେ।
ସାଥୀ ଶିବରାମଙ୍କ ସ୍ମୃତିରେ ସିପିଆଇ (ଏମ୍. ଏଲ୍.)- ରେଡ୍ ଷ୍ଟାର ର ପୂର୍ବତନ ଜାତୀୟ ସାଧାରଣ ସଂପାଦକ କମ୍ରେଡ କେ.ଏନ୍. ରାମଚନ୍ଦ୍ରନ୍, ବସ୍ତି ସୁରକ୍ଷା ମଞ୍ଚର ପୁରୁଖା ନେତା ନାରାୟଣ ଲେଙ୍କା, ସଭାନେତ୍ରୀ ହେନା, ପ୍ରଫେସର ବିଜୟ ବହିଦାର ଓ ସଭାପତିଙ୍କ ଦ୍ଵାରା ସ୍ମରଣିକା ‘ଲାଲ୍ ସଲାମ୍: ଶିବରାମ’ ଉନ୍ମୋଚନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

କମ୍ରେଡ କେ.ଏନ୍. ରାମଚନ୍ଦ୍ରନ୍ ତାଙ୍କର ପ୍ରାରମ୍ଭିକ ଅଭିଭାଷଣରେ ଶିବରାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗଣଶକ୍ତି ନିର୍ମାଣ ଓ ଗଣସଂଘର୍ଷ ଜରିଆରେ ଶିବରାମ ବସ୍ତି ବାସିନ୍ଦାଙ୍କ ମୈାଳିକ ଅଧିକାର ପାଇଁ ଯେଉଁ ଲଢେ଼ଇ କରୁଥିଲେ, ସେହି ଲଢେଇକୁ ଆହୁରି ସଂଗଠିତ କରିପାରିଲେ, ତାହା ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ବୋଲି ମତବ୍ୟକ୍ତ କରିଥିଲେ।

“ଫାଶୀବାଦ ଏବଂ ତାହାର ପ୍ରତିରୋଧ” ଶୀର୍ଷକ ସ୍ମାରକୀ ବକ୍ତୃତା ଦେଇ ପ୍ରଫେସର ବିଜୟ ବହିଦାର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ବିଂଶ ଶତାବ୍ଦୀ ଓ ବର୍ତ୍ତମାନର ଫାସୀବାଦ ମଧ୍ୟରେ କିଛି ମୈାଳିକ ସାମଞ୍ଜସ୍ୟ ଅଛି ଓ ଭିନ୍ନତା ଅଛି । କିନ୍ତୁ ସାଂପ୍ରତିକ ସମୟର ଫାସୀବାଦ ଚିନ୍ତାଧାରା ପୂର୍ବ ତୁଳନାରେ ଅଧିକ ମାରାତ୍ମକ, ବିପଦଜନକ ଓ ଧ୍ୱଂସକାରୀ ଅଟେ ।
ହିନ୍ଦୁ ଓ ହିନ୍ଦୁତ୍ବ ପରସ୍ପର ଠାରୁ ଭିନ୍ନ ଅଟନ୍ତି । କିନ୍ତୁ ପୁରାତନ ବ୍ରାହ୍ମଣବାଦୀ ବିଚାର ଓ ଏକଦା କ୍ଷମତାଶୀନ ରାଜାରାଜୁଡ଼ା ଗୋଷ୍ଠୀ ମିଳିତ ଭାବରେ ଜାତୀୟତାବାଦ ସହ ଉଗ୍ରବାଦର ସମ୍ମିଶ୍ରଣ କରି ହିନ୍ଦୁତ୍ବକୁ ଏକ ନବ୍ୟ ରାଜନୈତିକ ଧାରଣା ଓ ବିଚାର ରେ ପରିଣତ କରିଛନ୍ତି । ସେହି ବିଚାରର ପ୍ରତିନିଧିତ୍ଵ କରୁଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ସେମାନଙ୍କ ରାଜନୈତିକ ତଥା ଅନ୍ୟାନ୍ୟ ସହବନ୍ଧିତ ସଂଗଠନ ମାନେ ଆଜି ବିବିଧତା ଭରା ଏହି ଦେଶରେ ସାଂପ୍ରଦାୟିକ ଫାସୀବାଦର ବିଷ ମଞ୍ଜି ବୁଣି ଚାଲିଛନ୍ତି । ଯାହାର ପରିଭାଷା ହେଉଛି ହିଂସା, ଦମନ, ଶୋଷଣ ମାଧ୍ୟମରେ ଶାସନ ଅକ୍ତିଆର କରିବା ଓ ଧର୍ମଶାସ୍ତ୍ର ଅନୁଯାୟୀ ଆସ୍ଥା ଓ ବିଶ୍ୱାସ ନାମରେ ସାଧାରଣ ମଣିଷର ମସ୍ତିଷ୍କକୁ କବ୍ଜା କରି ସାଂପ୍ରଦାୟିକ ରାଷ୍ଟ୍ରବାଦ ପ୍ରତିଷ୍ଠା କରିବା ।

ପ୍ରସଙ୍ଗ କ୍ରମେ ପ୍ରଫେସର ବହିଦାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦାହରଣ ଦେଇ କହିଥିଲେ ଯେ ସାଂପ୍ରଦାୟିକ ରାଷ୍ଟ୍ରବାଦର ପ୍ରବକ୍ତା ମାନେ ରାଜନୈତିକ ଭାବେ ଦୁର୍ବଳ ଥିବା ବେଳେ ଗୋଟିଏ ପନ୍ଥା ଓ ଶକ୍ତିଶାଳୀ ଥିବା ସମୟରେ ଅନ୍ୟ ପନ୍ଥା ଆପଣାଇଥାନ୍ତି ।
ଫାସୀବାଦ ଚିନ୍ତାଧାରା ସଦାସର୍ବଦା ଅଳ୍ପ ସଂଖ୍ୟକ ସଂପ୍ରଦାୟଙ୍କୁ ବହୁସଂଖ୍ୟକ ସଂପ୍ରଦାୟଙ୍କ ଦୁଃଖ ଦୁର୍ଦ୍ଦଶା ପାଇଁ ଦାୟୀ କରି ସେମାନଙ୍କ ବିରୋଧରେ ହିଂସା ଓ ଦଙ୍ଗାର ରାଜନୀତି, ମହିଳା ଅଧିକାର, ଦେଶର ମୂଳ ନିବାସୀ ଆଦିବାସୀ, ଦଳିତ ବିରୋଧୀ ବିଚାରଧାରା ସର୍ବୋପରି ବିବିଧତା ଭରା ସଂସ୍କୃତି ବିରୋଧରେ କାର୍ଯ୍ୟକ୍ରମ ସଂଗଠିତ କରିଥାଏ ।

ସେ କହିଥିଲେ ଯେ ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ନେତୃତ୍ବରେ ଆର୍ଯ୍ୟ ସମାଜ ମଧ୍ୟ ହିନ୍ଦୁ ମାନଙ୍କୁ ସଂଗଠିତ କରୁଥିଲେ, କିନ୍ତୁ ସେଥିରେ ଧାର୍ମିକ ସଂସ୍କାର ପ୍ରମୁଖ ପ୍ରସଙ୍ଗ ଥିବା ବେଳେ ଆର୍.ଏସ୍.ଏସ୍ ନିର୍ଦ୍ଦେଶିତ ହିନ୍ଦୁତ୍ବ କାର୍ଯ୍ୟସୂଚୀରେ ସଂସ୍କାର ଓ ବିତର୍କର କୈାଣସି ସ୍ଥାନ ନାହିଁ । ଏହା କେବଳ ହିଂସା, ଦମନ ଓ ବୁଲଡୋଜର୍ ସଂସ୍କୃତି ଉପରେ ପର୍ଯ୍ୟବେସିତ, ଯାହା ଧାର୍ମିକ ମୈାଳବାଦକୁ ଓ ମୈାଳବାଦୀଙ୍କ ନେତୃତ୍ବରେ ସାଂପ୍ରଦାୟିକ ଫାସୀବାଦକୁ କାର୍ଯ୍ୟକାରୀ କରିଥାଏ ।

ଭାରତରେ ଫାସୀବାଦର ରାଜନୈତିକ କାରଣକୁ ବ୍ୟାଖ୍ୟା କରି ପ୍ରଫେସର ବହିଦାର କହିଥିଲେ ଯେ ଆମ ଦେଶରେ ନବ୍ୟ ଉଦାରବାଦୀ ଓ ପୁଞ୍ଜିବାଦୀ ବ୍ୟବସ୍ଥା କେବଳ ଉତ୍ପାଦନ ଉପରେ ନିୟନ୍ତ୍ରଣ ନୁହେଁ, ସମସ୍ତ ପ୍ରକାର ପ୍ରାକୃତିକ ଓ ମାନବ ସମ୍ବଳ ଉପରେ ଏକଚାଟିଆ ନିୟନ୍ତ୍ରଣ ଓ ଦେଶୀ ବିଦେଶୀ ପୁଞ୍ଜିନିବେଶ ଜରିଆରେ ସେସବୁର ଲୁଣ୍ଠନ ପାଇଁ ସବୁ ରାସ୍ତା ଖୋଲି ଦେଇଛି । ତାହା ବିରୋଧରେ ଯେତେବେଳେ ଜନ ପ୍ରତିରୋଧ ଶକ୍ତିଶାଳୀ ହେଉଛି, ସେତେବେଳେ ତାହାକୁ ଦମନ କରିବା ପାଇଁ ଭାରତୀୟ ରାଷ୍ଟ୍ରବାଦ, ହିନ୍ଦୁତ୍ବ ଓ ମୈାଳବାଦୀ ସାଂପ୍ରଦାୟିକତା ଶାସକ ଶ୍ରେଣୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି । ଭାରତୀୟ ଜନତା ପାର୍ଟି (ବିଜେପି)ଗଣତାନ୍ତ୍ରିକ ପଦ୍ଧତିରେ କ୍ଷମତାକୁ ଆସିବା ପରେ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକୁ ଦୁର୍ବଳ କରିବା ଓ କବଳିତ କରିବା, ବିଭିନ୍ନ ଔପନିବେଶିକ ଆଇନ୍ ୟୁଏପିଏ, ସଶସ୍ତ୍ର ବଳ ବିଶେଷାଧିକାର ଆଇନ୍ ଓ ଦେଶଦ୍ରୋହ ଆଇନ ମାଧ୍ୟମରେ ଭିନ୍ନ ମତ ଓ ଗଣତାନ୍ତ୍ରିକ ଆନ୍ଦୋଳନ ଗୁଡିକୁ ଦମନ କରିବା ଭଳି କାର୍ଯ୍ୟକ୍ରମ ଜୋର୍ ଦାର୍ କରି ଚାଲିଛି ।
ବୈ।ଦ୍ଧିକ ବିଚାର କୁ କରାୟତ କରିବା ବା ସେହି ପ୍ରକ୍ରିୟା କୁ ମାରିଦେବା, ବିଜ୍ଞାନ ବଦଳରେ ଆସ୍ଥା ଓ ବିଶ୍ୱାସକୁ ପ୍ରାଧାନ୍ୟ ଦେବା, ମିଥ୍ୟା ଓ ଭ୍ରମକୁ ଜ୍ଞାନ ବୋଲି ସ୍ୱୀକୃତି ଦେବା, ତଦନୁଯାୟୀ ନୂଆ ଶିକ୍ଷା ନୀତି ପ୍ରଣୟନ କରିବା, ପ୍ରଶ୍ନ ପଚାରିବା ପ୍ରକ୍ରିୟାକୁ ଶେଷ କରିଦେବା ଭଳି ଅତ୍ୟନ୍ତ ମାରାତ୍ମକ କାର୍ଯ୍ୟକ୍ରମ ବର୍ତ୍ତମାନର ସରକାର ଗୋଟିଏ ପରେ ଗୋଟିଏ ହାତକୁ ନେଇ ଚାଲିଛନ୍ତି । ଅନ୍ୟ ପକ୍ଷରେ ଏକଦା ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବାବେଳେ କର୍ପୋରେଟ ପରିଚାଳିତ ଗଣମାଧ୍ୟମ ମାନେ ଏବେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ସର୍ବାଧିକ ବିପଦର କାରଣ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଗଣତାନ୍ତ୍ରିକ ଆଦର୍ଶ ଓ ଦେଶର ବିବିଧତା ଭରା ସଂସ୍କୃତି ଉପରେ ବିଶ୍ୱାସ କରୁଥିବା ସମସ୍ତ ପ୍ରଗତିଶୀଳ ଓ ଜନବାଦୀ ଶକ୍ତି ଏକାଠି ହେବାର ପ୍ରୟୋଜନ ଅଛି ବୋଲି ସେ ମତପୋଷଣ କରିଥିଲେ । କିନ୍ତୁ ଏହି ଉଦ୍ୟମ କେବଳ ନିର୍ବାଚନ ସର୍ବସ୍ବ ନହୋଇ ଜନସାଧାରଣଙ୍କ ବହୁବିଧ ଜ୍ଵଳନ୍ତ ସମସ୍ୟା ଓ ତା’ର ସମାଧାନ ପାଇଁ ସର୍ବନିମ୍ନ ସହମତି ଓ ଦୀର୍ଘସ୍ଥାୟୀ କର୍ମସୂଚୀ ଆଧାରିତ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସୁରେନ୍ଦ୍ର ତପସୁ, ହେନାରାଣୀ, ତୁହିନ୍ ଓ କୈଳାସ ସେଠୀ ସଂଗ୍ରାମୀ ସଙ୍ଗୀତ ପରିବେଷଣ କରିଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।

ପ୍ରସ୍ତୁତି: ନରେନ୍ଦ୍ର ମହାନ୍ତି,
ଶିବରାମ ସ୍ମୃତି କମିଟି,
ଫୋନ୍: ୯୪୩୭୪୨୬୬୪୭// ୭୦୦୮୪୮୩୬୨୨