ସୋଲଣ୍ଡି ଗ୍ରାମରେ ମହାଦେବ ଓ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବୁଗୁଡ଼ା : ତା ୨୮/୦୪/୨୬ : ବୁଗୁଡ଼ା ବ୍ଲକ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୋଲଣ୍ଡି ଗ୍ରାମରେ ବାବା ସୁବର୍ଣ୍ଣେଶ୍ବର ମହାଦେବ ଓ ଶ୍ରୀହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଓ ଗୋଯଜ୍ଞ ଅନୁଷ୍ଠିତ ହୋଇଥିଲା ବେଳେ ଚଢିଆପଲ୍ଲୀ, ନୂଆ ତନରଡା, ଭାମଶ୍ୟାଳି, ମହୁଲପଲ୍ଲୀ, ଚାଞ୍ଚରାସାହି ଓ ସୋଲଣ୍ଡି ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ନାମଯଜ୍ଞରେ ଅଂଶ ଗ୍ରହଣ କରିଥିଲେ। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ଅଙ୍କୁରାରୋପଣ, ବନଯାଗ, ରତ୍ନମୁଦ୍ର, ଶାଲାପୂଜା, ସୂର୍ଯ୍ୟପୂଜା, ମହାସ୍ନାନ, ଜୀବନ୍ୟାସ, ପାର୍ଶ୍ବଧ୍ବଜ ସ୍ଥାପନ ହୋଇଥିବା ବେଳେ ଅନ୍ତିମ ଦିବସରେ ନାମଯଜ୍ଞ ସମାପନ ସାଙ୍ଗକୁ ଦଧିଭାଣ୍ଡ ଭଞ୍ଜନ ଓ ନଗର ଭ୍ରମଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଷଷ୍ଠଦିବସୀୟ ଉତ୍ସବରେ ପୁରୋହିତ ଭାବେ ରବିନ୍ଦ୍ର କୁମାର ମହାପାତ୍ର, ଗୋପାଳ ଚନ୍ଦ୍ର ହୋତା ଓ ଗୌରୀ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାକାର୍ଯ୍ଯ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ସତ୍ୟ ନାରାୟଣ ଭୂୟାଁ ଦାୟିତ୍ବ ନିର୍ବାହ କରିଥିଲେ। ସୋଲଣ୍ଡି ଗ୍ରାମ୍ଯ କମିଟି ସଭାପତି ସୁରତ ଭୂୟାଁ, ସମ୍ପାଦକ ନନ୍ଦ କିଶୋର ଭୂୟାଁ ଓ କୋଷାଧକ୍ଷ ସନ୍ତୋଷ କୁମାର ସେଠୀଙ୍କ ତତ୍ତ୍ବାବଧାନରେ ଏବଂ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ କାର୍ଯ୍ଯକ୍ରମରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା।
